ମୁମ୍ୱାଇ ୧୫/୧୦: ଆଜି ବାଜିବ ମହାରାଷ୍ଟ୍ର, ଝାଡଖଣ୍ଡ ନିର୍ବାଚନୀ ବିଗୁଲ୍ । ତେବେ ତାରିଖ ଘୋଷଣା ହେବା ପୂର୍ବରୁ ବିସ୍ଫୋରକ ବୟାନ ଦେଇଛନ୍ତି ଏନ୍ସିପି-ଏସ୍ପି ନେତା ଶରଦ ପାଓ୍ୱାର । ଯାହା ରାଜନୀତିକୁ କରିଦେଇଛି ହଲଚଲ । କହିଛନ୍ତି 'ଏ ବୁଢ଼ା ଆଉ ଅଟକିବନି । କହିଛନ୍ତି ୮୪ ବର୍ଷ ହେଉ ଅବା ୯୦ । ଆପଣ ଚିନ୍ତା କରନ୍ତୁ ନାହିଁ ।
ସୂଚନା ଥାଉକି, ଗୋଟିଏ ରାଲିକୁ ସମ୍ବୋଧିତ କରି ଏନ୍ସିପି-ଏସ୍ପି ନେତା ଶରଦ ପାଓ୍ୱାର କହିଛନ୍ତି, 'କିଛି ଯୁବକ ହାତରେ ବୋର୍ଡ ଧରି ଠିଆ ହୋଇଥିଲେ । ଏଥିରେ ମୋର ଫଟୋ ଥିଲା। ଯେଉଁଥିରେ ୮୪ ବର୍ଷ ପୁରୁଣା ବୋଲି ଲେଖାଯାଇଥିଲା। ଦୟାକରି ବ୍ୟସ୍ତ ହୁଅନ୍ତୁ ନାହିଁ। ଆମକୁ ବହୁତ ଦୂର ଯିବାକୁ ଅଛି। ଏହି ବୁଢ଼ା ଜଣକ ଅଟକିବ ନାହିଁ। ମୋତେ ୮୪ ବର୍ଷ ହେଉ ଅବା ୯୦ ବର୍ଷ। ମହାରାଷ୍ଟ୍ରକୁ ସଠିକ୍ ରାସ୍ତାକୁ ନଆଣିବା ଯାଏ ଏହି ବୃଦ୍ଧ ବ୍ୟକ୍ତି ଅଟକିବ ନାହିଁ।'
ପ୍ରକୃତରେ ଶରଦ ପାୱାର ନିର୍ବାଚନ ସହ ଜଡିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ସେ ମଞ୍ଚରୁ ସମ୍ବୋଧିତ କରିବାବେଳେ ଏକ ଘଟଣା ବିଷୟରେ କହିଥିଲେ। ସେ କହିଥିଲେ ଯେ କିଛି ଯୁବକ ହାତରେ ବୋର୍ଡ ଧରି ଠିଆ ହୋଇଥିଲେ। ଯୁବକଙ୍କ ଇସାରା ଥିଲା ଯେ, ବର୍ତ୍ତମାନ ଶରଦ ପାୱାର ବୁଢ଼ା ହୋଇଯାଇଛନ୍ତି ଏବଂ ତାଙ୍କୁ ରାଜନୀତି ଛାଡିଦେବା ଉଚିତ୍।
ଅଜିତ ପାଓ୍ୱାର ଏନ୍ସିପିରୁ ବିଦ୍ରୋହ କରି ଅଲଗା ହେବା ପରେ ଶରଦ ପାୱାର ଗତ ବର୍ଷ ଏନସିପି-ଏସପି ପାର୍ଟି ଗଠନ କରିଥିଲେ। ନିର୍ବାଚନ ଆୟୋଗ ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୨୬ରେ ଶେଷ ହେବ। ସେହିପରି ଝାଡ଼ଖଣ୍ଡ ସରକାରଙ୍କ କାର୍ଯ୍ୟକାଳ ଡିସେମ୍ବର ୨୯ରେ ଶେଷ ହେବ।