ପାକିସ୍ତାନରେ ଭୟଙ୍କର ବନ୍ୟା ସ୍ଥିତି; ଏପର୍ଯ୍ୟନ୍ତ ଗଲାଣି ୨୦୦ ଜୀବନ, ଚାଲିଛି ଉଦ୍ଧାରକାର୍ଯ୍ୟ

Published By : Prameya-News7 Bureau | July 23, 2025 IST

ନୂଆଦିଲ୍ଲୀ ୨୩।୦୭; ପାକିସ୍ତାନରେ ଜଳ ପ୍ରଳୟ। ଦେଖିବାକୁ ମିଳିଛି ବନ୍ୟାର କରାଳ ରୂପ। ଏପର୍ଯ୍ୟନ୍ତ ଗଲାଣି ୨୦୦ରୁ ଅଧିକ ଲୋକ ଜୀବନ । ସବୁଠି ପାଣି ହିଁ ପାଣି। ମୌସୁମୀ ଜନିତ ଲଗାଣ ବର୍ଷା ଯୋଗୁଁ ପାକିସ୍ତାନର ଅନେକ ଅଞ୍ଚଳରେ ଜୀବନଯାତ୍ରା ବ୍ୟାହତ ହୋଇଛି । ବିଶେଷକରି ପଞ୍ଜାବର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ସ୍ଥିତି ଏଭଳି ହେଲାଣି ଯେ ଏପର୍ଯ୍ୟନ୍ତ ବନ୍ୟା ପ୍ରଭାବରେ ମୃତ୍ୟୁବରଣ କଲେଣି ୨୦୦ରୁ ଅଧିକ ଲୋକ । ୫୬୦ ଅଧିକ ଆହତ ହୋଇଛନ୍ତି।ଅନେକ ଅଞ୍ଚଳରେ ଜରୁରୀରିକାଳୀନ ସ୍ଥିତି ଜାରି କରାଯାଇଛି ।

ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା NDMA ପକ୍ଷରୁ ସୂଚନା ଦିଆଯାଇଛି, ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ପାକିସ୍ତାନରେ ୨୦୦ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୯୬ ଜଣ ଶିଶୁ ମଧ୍ୟ ଅଛନ୍ତି । ପଞ୍ଜାବ ପ୍ରଦେଶରେ ସର୍ବାଧିକ ୧୨୩ ଜଣଙ୍କ ମୃତ୍ୟୁ ଘଟିଛି। ସେପଟେ ପଞ୍ଜାବ ପରେ ଖାଇବର ପଖତୁନଖ୍ୱାରେ ୪୦ ଜଣ, ସିନ୍ଧରେ ୨୧ ଜଣ, ବେଲୁଚିସ୍ତାନରେ ୧୬ ଜଣଙ୍କ ଜୀବନ ଯାଇଛି ।

ସେହିଭଳି ଇସଲାମାବାଦ ଏବଂ ପିଓକେରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା NDMA ଜଣାଇଛି । ତେବେ ପ୍ରବଳ ବର୍ଷା ପରେ ଏତେସଂଖ୍ୟକ ଲୋକଙ୍କ ମୃତ୍ୟୁ ଏବେ ସମସସ୍ତଙ୍କୁ ଚକିତ କରିଛି । ବନ୍ୟା ଯୋଗୁଁ ପାଖାପାଖି ୩୦ଜଣଙ୍କ ଜୀବନ ଯାଇଥିବା ବେଳେ ଭୁଶୁଡ଼ି ପଡ଼ିଥିବା କୋଠାଗୁଡ଼ିକର ଭଗ୍ନାବଶେଷ ତଳେ ଚାପି ହୋଇ ମୋଟ ୧୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କେବଳ ବନ୍ୟା ନୁହେଁ ବରଂ କୋଠା ଭୁଶୁଡ଼ିବା, ବିଦ୍ୟୁତ ଆଘାତ ଲାଗିବା, ବଜ୍ରପାତ ଓ ଭୂସ୍ଖଳନ କାରଣରୁ ମଧ୍ୟ ଅନେକ ଲୋକଙ୍କ ଜୀବନ ଯାଇଛି ।

ସେପଟେ ପାକିସ୍ତାନରେ ମୌସୁମୀ ବର୍ଷା ଭୟଙ୍କର କ୍ଷୟକ୍ଷତି ଘଟାଇଛି । ମୁଷଳଧାରାରେ ବର୍ଷା ଯୋଗୁଁ, ପଞ୍ଜାବର ମରିୟମ ନୱାଜ ସରକାର ଅନେକ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଖାଇବର ପଖତୁନଖ୍ୱା, ପଞ୍ଜାବ, ସିନ୍ଧ ଏବଂ ଇସଲାମାବାଦର ଅନେକ ଜିଲ୍ଲା ଏବେ ହାଇ ଆଲର୍ଟର ଅଛନ୍ତି। ଦେଶର ଅନେକ ସ୍ଥାନରେ ଡ୍ରେନ୍ ଅବରୋଧ ହେବା ଯୋଗୁଁ ଜଳବନ୍ଦୀ ସମସ୍ୟା ଗମ୍ଭୀର ହୋଇପଡ଼ିଛି, ଯାହା ସାଧାରଣ ଜୀବନକୁ ପ୍ରଭାବିତ କରିଛି । ତେବେ ସ୍ଥାନୀୟ ପ୍ରଶାସନକୁ ଡ୍ରେନ୍ ସଫା କରିବା ଏବଂ ଜରୁରୀକାଳୀନ ଦଳଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.