ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂହଙ୍କ ତେର୍ଚ୍ଛା ବାଣ। ଗଣମାଧ୍ୟମ ପ୍ରତିକ୍ରିୟାରେ ପରୋକ୍ଷରେ କହିଲେ ଏବେ ସେ ଦଳରେ କୋଣଠେସା। ପ୍ରକୃତରେ ସୋମବାର ଗଣମାଧ୍ୟମରେ ଦେଇଥିବା ପ୍ରତିକ୍ରିୟାରେ ଭୂପିନ୍ଦର କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ବିପର୍ଯ୍ୟୟର କାରଣ କଣ ? ସେନେଇ ଦଳ ଭିତରେ ଆଲୋଚନା ହେଲାନି। ଆଲୋଚନା ହୋଇଥିଲେ ଜଣାପଡିଥା’ନ୍ତା।
ଯେଉଁ ଚର୍ଚ୍ଚା ହେଉଛି ଯେ, ବିଜେଡି ଓ ବିଜେପି ଭିତରେ ଘନିଷ୍ଠ ସମ୍ପର୍କ ରହିଛି, ତାହା ଲୋକଙ୍କ ମନରୁ ବାହାର କରିବା ଦରକାର। କଥାରେ ନୁହଁ କାମରେ କରିବା ଦରକାର। ନହେଲେ ଲୋକେ ତୃତୀୟ ବିକଳ୍ପ ଆଡ଼କୁ ଢ଼ଳିବେ। ତୃତୀୟ ବିକଳ୍ପ ହେଉଛି କଂଗ୍ରେସ।’’
‘‘କଂଗ୍ରେସ ଅଧିକ ଉତ୍ସାହିତ ହୋଇଛି। କଂଗ୍ରେସ ଜାତୀୟ ନେତୃତ୍ୱ ଓଡ଼ିଶାରେ ଗୋଟେ ସୁଯୋଗ ଥିବା ଅନୁଭବ କରିଛନ୍ତି। ଭାରତ ରାଜନୀତିରେ କଂଗ୍ରେସ ବିକଳ୍ପ। କଂଗ୍ରେସ ସମସ୍ତ ପୁରୁଖାଙ୍କୁ ଆମନ୍ତ୍ରଣ କରୁଅଛି। ସବୁ ଟିମ୍ ଭଲ ଖେଳାଳିକୁ ନେବାକୁ ଚାହିଁବେ। କିନ୍ତୁ ମୋ ସହିତ କେହି ଆଲୋଚନା କରିନାହାନ୍ତି।’’ ଆଉ ପରୋକ୍ଷରେ ଭୂପିନ୍ଦରଙ୍କ ଏହି ମନ୍ତବ୍ୟ ତାଙ୍କୁ ଦଳରେ କୋଣଠେସା କରାଯାଉଥିବା ସୂଚାଉଛି। ଅବଶ୍ୟ ସେ ସାମ୍ବାଦିକ ପ୍ରଶ୍ନର ଉତ୍ତରରେ ଦଳରେ କୋଣଠେସା ବୋଲି ଅନୁଭବ କରୁନଥିବା କହିଛନ୍ତି ଏବଂ ଏମିତି ଗଣମାଧ୍ୟମ ଓ ବୁଦ୍ଧିଜୀବୀ ଅନୁଭବ କରୁଥିବା କହିଛନ୍ତି ।
ସେପଟେ ଭୂପିନ୍ଦରଙ୍କ ଏହି ପ୍ରତିକ୍ରିୟା ଉପରେ ମତ ରଖିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ । ପ୍ରଦୀପ କହିଛନ୍ତି, ଦଳରେ କେହି କୋଣଠେସା ନୁହେଁ। ଯଦି କେହି ଏହା ଅନୁଭବ କରୁଛନ୍ତି ତାହାଲେ ସେମାନେ ଆଲୋଚନା କରିବା ଦରକାର। ଆଜିବି ନବୀନ ବାବୁଙ୍କ ଲୋକପ୍ରିୟତା ଅଛି। ଆହୁରି ଲୋକପ୍ରିୟତା ବଢ଼ିଛି। ରାଜ୍ୟରେ କଂଗ୍ରେସର ସ୍ଥିତି କଣ ସମସ୍ତେ ଜାଣିଛନ୍ତି।