ମୁମ୍ୱାଇ: ମହାରାଷ୍ଟ୍ର ସରକାରର ଶିବସେନା କୋଟାରୁ ମନ୍ତ୍ରୀ ମନ୍ତ୍ରୀ ସଞ୍ଜୟ ସିରସାଟ୍ଙ୍କ ଅଡୁଆ ବଢିବାରେ ଲାଗିଛି । ହଠାତ୍ ବଢିଥିବା ସମ୍ପତ୍ତିକୁ ନେଇ ଆୟକର ବିଭାଗ ତାଙ୍କୁ ନୋଟିସ୍ ପଠାଇଥିଲା । ଏବେ ସିରସାଟ୍ଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ସିରସାଟ୍ ସର୍ଟ୍ସ ଓ ବନିୟାନ ପନ୍ଧି ଖଟରେ ବସିଛନ୍ତି ଓ ସିଗାରେଟ୍ ଟାଣୁଛନ୍ତି । ଭିଡିଓ ସେ କାହା ସହ ଫୋନରେ କଥା ହେଉଥିବା ନଜର ଆସୁଛନ୍ତି । ତାଙ୍କ ପାଖରେ ଏକ ଟ୍ରଲି ବ୍ୟାଗ୍ ନଜର ଆସୁଛି । ବ୍ୟାଗରେ ନୋଟ୍ ବଣ୍ଡଲ୍ ଥିବା ନଜର ଆସୁଛି ।
ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ସୋସିଆଲ୍ ମିଡିଆରେ ଏହି ଭିଡିଓକୁ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, 'ଦେବେନ୍ଦ୍ର ଫଡନାବିସଙ୍କ ଉପରେ ମୋତେ ଦୟା ଆସୁଛି । ଇଜ୍ଜତ କ୍ଷୁର୍ଣ୍ଣ ହେବା ଆଉ କେତେ ଦେଖିବେ । ଆସହାୟତାର ଅନ୍ୟ ନାଁ-ଦେବେନ୍ଦ୍ର ଫଡନାବିସ ।' ସଞ୍ଜୟ ରାଉତଙ୍କ ଏହି ଭିଡିଓକୁ ନେଇ ସିରାସଟ୍ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବ୍ୟାଗରେ ଟଙ୍କା ନୁହେଁ ପୋଷାକ ଥିଲା ।
ଭିଡିଓରେ କଳା ରଙ୍ଗର ଦୁଇଟି ବ୍ୟାଗ ଦେଖିବାକୁ ମିଳୁଛି । ଗୋଟିଏ ବ୍ୟାଗ ଖୋଲା ଅଛି, ଯେଉଁଥିରେ ନୋଟ୍ ରହିଛି । ଅନ୍ୟ ବ୍ୟାଗ ବନ୍ଦ ଅଛି । ଆୟକର ବିଭାଗ ତାଙ୍କୁ ୨୦୧୯-୨୪ ମଧ୍ୟରେ ବଢିଥିବା ସମ୍ପତ୍ତି ପାଇଁ ନୋଟିସ୍ ପଠାଇଥିଲା । ମିଡିଆକୁ ପ୍ରତିକ୍ରିୟା ଦେଇ ସିରାସଟ୍ କହିଥିଲେ, 'କିଛି ଲୋକ ମୋ ସହି ପାରୁ ନାହାନ୍ତି, କିନ୍ତୁ ସେମାନଙ୍କୁ ଜବାବ ମିଳିଯିବ । ସିଷ୍ଟମ ନିଜର କାମ କରୁଛି ଓ ମୋତେ ଏଥିରେ କୌଣସି ସମସ୍ୟା ନାହିଁ । ମୁଁ କୌଣସି ପ୍ରକାର ଚାପରେ ନାହିଁ ।'