୧୨ ଦିନ ଯୁଦ୍ଧରେ କେତେ ବଦଳିଛି ଇସ୍ରାଏଲ, ଫଟୋରୁ ଦେଖନ୍ତୁ

Published By : Prameya-News7 Bureau | June 25, 2025 IST

ନୂଆଦିଲ୍ଲୀ ୨୫।୬: ଇସ୍ରାଏଲ ଜୁନ ୧୩ ତାରିଖ ଦିନ ଇରାନ ବିରୋଧରେ ‘ଅପରେସନ ରାଇଜିଂ ଲାୟନ’ ଆରମ୍ଭ କରିଥିଲା। ଇରାନର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ, ମିଜାଇଲ ନିର୍ମାଣ ୟୁନିଟି ଓ ସୈନ୍ୟ କମାଣ୍ଡରଙ୍କୁ ଇସ୍ରାଏଲ ସିଧାଶଳଖ ଟାର୍ଗେଟ୍ କରିଥିଲା। ଇସ୍ରାଏଲକୁ ଜବାବ ଦେବାକୁ ଇରାନ ହାତକୁ ନେଇଥିଲା ‘ଅପରେସନ ଟ୍ରୁ ପ୍ରୋମିସ-୩’ ଓ କ୍ଷେପଣାସ୍ତ୍ର ବର୍ଷା କରିଥିଲା। ଏହା ଦୀର୍ଘ ୧୨ ଦିନ ପର୍ଯ୍ୟନ୍ତ ଜାରିଥିଲା। 

ଦୁଇ ଦେଶଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟ-ପ୍ରାଚ୍ୟକୁ ଚିନ୍ତାରେ ପକାଇ ଦେଇଥିଲା। ଏବେ ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶଙ୍କ ମଧ୍ୟରେ ଯୁଦ୍ଧବିରତୀ  କରାଇଥିବା ବେଳେ ଇସ୍ରାଏଲ ଓ ଇରାନ କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି। ଏହି ଯୁଦ୍ଧ ୧୨ ଦିନ ଚାଲିବା ମଧ୍ୟରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଉଭୟପକ୍ଷଙ୍କ ଭୀଷଣ ଧନଜୀବନ ହାନୀ ହୋଇଛି। ଏହି ଯୁଦ୍ଧରେ କାହାକୁ ସ୍ପଷ୍ଟ ବିଜୟ ମିଳିନି କି କେହି ପରାଜିତ ହୋଇ ନାହାନ୍ତି, ହେଲେ ଏଥିରେ କେଉଁ ପକ୍ଷର କ୍ଷତି ଟିକେ କମ୍ ହୋଇଥିବା ବେଳେ କେଉଁପକ୍ଷର କ୍ଷତି ଅଧିକ ହୋଇଥିବା ସ୍ପଷ୍ଟ ହୋଇଛି। 

ଇସ୍ରାଏଲରୁ ଆସୁଥିବା ଚିତ୍ର ଯୁଦ୍ଧ କିପରି ଦେଶର ସମୃଦ୍ଧ ସହରାଞ୍ଚଳଙ୍କୁ ଧ୍ୱଂସସ୍ତୁପରେ ପରିଣତ କରିଛି ତାହା ବୟାନ କରୁଛି। ତେଲ ଆଭିଭ ଭଳି ଉଚ୍ଚ ଅଟ୍ଟାଳିକାମୟ ନଗରୀର ଅନେକ ସ୍ଥାନରେ ଇରାନ ମିଜାଇଲ ବିନାଶଲିଳା ରଚିଛି। ଏବେ ଯୁଦ୍ଧ ଥମିବା ପରେ ସହରର ବେଗ ମଧ୍ୟ ଥମିଯାଇଥିବାର ଦେଖାଯାଉଛି। ଅନେକ ସ୍ଥାନ ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଯୁଆଡେ ଚାହିଁଲେ ସିଆଡେ ଖାଲି ଭଙ୍ଗା କୋଠା ଆଉ ଭଙ୍ଗା କୋଠା। 

ଆସନ୍ତୁ ଦେଖିବା ୧୨ ଦିନ ପରର ଛବି
ଏହି ଛବିଟି ଇସ୍ରାଏଲ ଷ୍ଟକ୍ ଏକ୍ସଚେଞ୍ଜର। ଏକ ସମୟରେ ଝଲମଲ କରୁଥିବା ବିଲ୍ଡିଂ ଇସ୍ରାଏଲୀ କମ୍ପାନୀଙ୍କ ସାମର୍ଥ୍ୟର ପ୍ରତୀକ ଥିଲା। ତେବେ ଇରାନର ବାଲିଷ୍ଟିକ୍ ମିଜାଇଲ ମାଡ଼ରେ ଏହା ଧ୍ୱଂସ୍ତବିଧ୍ୱଂସ୍ତ ହୋଇଛି। ଇସ୍ରାଏଲ ଷ୍ଟକ୍ ଏକ୍ସଚେଞ୍ଜ ୧୯୫୩ ମସିହାରେ ନିର୍ମିତ ହୋଇଥିଲା। ଏହାକୁ ତେଲଆଭିଭ ଷ୍ଟକ୍ ଏକ୍ସଚେଞ୍ଜ (ଟିଏଏସଇ)ର ପ୍ରାରମ୍ଭିକ ମୁଖ୍ୟାଳୟ ରୂପେ ବ୍ୟବହାର କରାଯାଉଥିଲା। 

ସେହିପରି ଇରାନ ମିଜାଇଲ ମାଡ଼ରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଭବନ ସୂଚୀରେ ଦକ୍ଷିଣ ଇସ୍ରାଏଲର ସୋରୋକା ହସ୍ପିଟାଲ ରହିଛି। ମିଜାଇଲ ମାଡ଼ରେ ଏହି ହସ୍ପିଟାଲଟି ଧ୍ୱଂସବିଧ୍ୱଂସ୍ତ ହୋଇଛି। ସୋରୋକା ମେଡିକାଲ ସେଣ୍ଟରର ମହାନିର୍ଦ୍ଦେଶକ ପ୍ରଫେସର ସ୍ଲୋମି କୋଡେସ ମେଡିକାଲର ସର୍ଜିକାଲ ୱାର୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କହିଛନ୍ତି। ଏହା ଛଡା ତେଲ ଆଭିଭର ରିସୋନ ଲେଜିୟନ, ପେଟାହ ତିକ୍ୱା ଓ ବେତ ୟମର ଅନେକ ଆବାସିକ ବିଲ୍ଡିଂ ଆଂଶିକ ଅଥବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। 

ରିପୋର୍ଟରେ ଏ ପର୍ଯ୍ୟନ୍ତ ୬୧ରୁ ଅଧିକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବାର ପୁଷ୍ଟି କରାଯାଇଛି। ଏଥିରେ ଅନେକ ବହୁତଳ ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ମଧ୍ୟ ରହିଛି। ଇସ୍ରାଏଲ ବିର୍ଶେବା ସହରରେ ଥିବା ମାଇକ୍ରୋସଫ୍ଟ ବିଲ୍ଡିଂ ଇରାନ କ୍ଷେପଣାସ୍ତ୍ର ମାଡ଼ରେ ଧ୍ୱଂସସ୍ତୁପ ପାଲଟିଛି। ଇରାନର କ୍ଷେପଣାସ୍ତ୍ର ଟାର୍ଗେଟରେ ଇସ୍ରାଏଲର ହାଇଫା ସହର ମଧ୍ୟ ଥିଲା। ଏଠାରେ ଥିବା ଐତିହାସିକ ଅଲ-ଜରିନା ଗ୍ରାଣ୍ଡ ମସଜିଦ୍ ଗୁରୁତର ପ୍ରଭାବିତ ହୋଇଛି। ଏହି ମସଜିଦଟି ୧୭୭୫ ମସିହାରେ ନିର୍ମିତ ହୋଇଥିଲା, ୧୯୦୧ରେ ଅଟୋମନ ସାମ୍ରାଜ୍ୟ କାଳରେ ଏହା ସମ୍ପ୍ରସାରିତ ହୋଇଥିଲା। 

ହାଇଫାର ସାଂସ୍କୃତିକ ଓ ଐତିହାସିକ ସ୍ଥଳର ପରିଚୟକୁ ଯୁଦ୍ଧ ସମ୍ପୂର୍ଣ୍ଣ ବଦଳେଇ ଦେଇଛି। ଇରାନ କ୍ଷେପଣାସ୍ତ୍ର ମାଡ଼ରେ ଧ୍ୱଂସ୍ତ ହୋଇଥିବା ଏହି ମସଜିଦର ଛବିକୁ ଇସ୍ରାଏଲ ରାଷ୍ଟ୍ରପତି ତାଙ୍କ ଇଂଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ଇରାନରେ ମଧ୍ୟ ଅନେକ କ୍ଷୟକ୍ଷତି ହୋଇଛି। ଯଦିଓ ଏ ସବୁର ଛବି ଆସିନି କେତେକ ଉପଗ୍ରହ ଚିତ୍ରରୁ ଫର୍ଡୋ ପରମାଣୁ କେନ୍ଦ୍ର ଧ୍ୱଂସ୍ତ ହୋଇଥିବା ଦେଖାଯାଉଛି। ତେବେ ଏହା ଆମେରିକୀୟ ଆକ୍ରମଣରେ ନଷ୍ଚ ହୋଇଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.