ଉତ୍ତର ସିକ୍କିମ ବାହନ ଦୁର୍ଘଟଣାରେ ନିଖୋଜ ଲୋକଙ୍କ ଆଜିବି ମିଳିଲାନି ସନ୍ଧାନ

Published By : Prameya-News7 Bureau | May 31, 2025 IST

ଗାଙ୍ଗଟକ୍ ୩୧।୫: ଉତ୍ତର ସିକ୍କିମର ମୁନସିଥାଙ୍ଗରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବାହନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଇ ଦିନ ପରେ ମଧ୍ୟ ନିଖୋଜ ଲୋକଙ୍କ ସନ୍ଧାନ ମିଳି ନାହିଁ। ଏଣୁ ନିଖୋଜଙ୍କୁ ଜୀବିତ ଉଦ୍ଧାର କରାଯିବାର ଆଶା ମଉଳି ଯାଇଛି। ଅନ୍ୟପଟେ ଶୁକ୍ରବାର ରାତିରେ ହୋଇଥିବା ଭୀଷଣ ବର୍ଷା ସମସ୍ୟାକୁ ଆହୁରି ଜଟିଳ  କରିଛି। ବର୍ଷା ଯୋଗୁ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଶନିବାର ପ୍ରଭାବିତ ହୋଇଛି। ଭୀଷଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି। 

ଏହି ଦୁର୍ଘଟଣାରେ ବାହନ ଚାଳକ ସମେତ ମୋଟ ୯ ଜଣ ନିଖୋଜ ଅଛନ୍ତି। ମଙ୍ଗନ ଜିଲ୍ଲା ପୋଲିସ ଅଧିକ୍ଷକ ସୋନାମ ଡି. ଭାଟିଆ ଶନିବାର ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଉଦ୍ଧାରକାରୀ ଦଳ ନିଖୋଜ ଲୋକଙ୍କ ସନ୍ଧାନ କରୁଛନ୍ତି ହେଲେ ପ୍ରତିକୂଳ ପାଗ ଯୋଗୁ ଉଦ୍ଧାର ଅଭିଯାନରେ ସମସ୍ୟା ଉପୁଜିଛି। ପୋଲିସ ଅଧିକ୍ଷକ କହିଛନ୍ତି ଯେ ଏହି ଦୁର୍ଘଟଣା ୨୯ ମେ ରାତି ସାଢେ ୭ରୁ ୮ଟା ମଧ୍ୟରେ ହୋଇ ଥାଇପାରେ। ଲାଞ୍ଚୁଗରୁ ୧୦ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ବାହନ ମୁନସିଥାଙ୍ଗ ନିକଟସ୍ଥ ଛୋବମ୍ପୂରେ ସଡକରୁ ପାଖାପାଖରି ୧ ହଜାର ଫୁଟ ତଳକୁ ତିସ୍ତାନଦୀକୁ ଖସିପଡିଥିଲା। 

ପୋଲିସ ଅଧିକ୍ଷକ ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନଥିବା କହିଛନ୍ତି। ତେବେ ତଦନ୍ତ ପରେ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପର୍ଯ୍ୟଟକ ୨ଟି ବାହନରେ ଲାଞ୍ଚୁଗରୁ ଫେରୁଥିଲେ ଓ ଦୁର୍ଘଟଣାଗ୍ରସ୍ତ ବାହନଟି ପଛରେ ଆସୁଥିଲା। ଆଗ ବାହନଟି ଚୁଙ୍ଗଥାଙ୍ଗ ପହଞ୍ଚି ଅନେକ ସମୟ ଅପେକ୍ଷା କରିଥିଲା। ତେବେ ପଛ ବାହନ ନ ଆସିବାରୁ ଚୁଙ୍ଗଥାଙ୍ଗ ପୋଲିସକୁ ସୂଚିତ କରାଯାଇଥିଲା। ଚୁଙ୍ଗଥାଙ୍ଗ ପୋଲିସ ନେତୃତ୍ୱରେ ଦମକଳ ବିଭାଗ, ଆଇଟିବିପି ଓ ଡ୍ରାଇଭରଙ୍କ ଏକ ଟିମ୍ ପଛ ବାହନକୁ ଖୋଜିବାକୁ ବାହାରି ଥିଲେ। 

ପୋଲିସ ୧୦-୧୧ଟା ରାତିରେ ଦୁର୍ଘଟଣାସ୍ଥଳକୁ ଚିହ୍ନଟ କରି ସନ୍ଧାନ ଓ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଦୁର୍ଘଟଣାସ୍ଥଳରୁ ୨ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯିବାର ପରଦିନ ଏସଟିଏନଏମ ହସ୍ପିଟାଲ ରେଫର କରିଦିଆଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଉତ୍ତର ସିକ୍କିମ ସିନ୍ଧିକର ପାସାଙ୍ଗ ସେରପା ଚଳାଉଥିଲେ। ବାହନରେ ଓଡିଶା, ତ୍ରିପୁରା ଓ ଉତ୍ତରପ୍ରଦେଶର ଯାତ୍ରୀ ବସିଥିଲେ। ତେବେ ଉଦ୍ଧାର ଅଭିଯାନ ଜାରି ରହିଛି ଓ ନିଖୋଜଙ୍କ ସନ୍ଧାନ ଖୁବ୍ ଶୀଘ୍ର ମିଳିଯିବ ବୋଲି ପୋଲିସ ଅଧିକ୍ଷକ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.