ସରିଲା ଗ୍ରୀଷ୍ମ ଅବକାଶ, ଝାଡ଼ାବାନ୍ତି ପ୍ରଭାବିତ ଜିଲ୍ଲାକୁ ଛାଡି ଅନ୍ୟ ଜିଲ୍ଲାରେ ଖୋଲିଲା ସ୍କୁଲ୍

Published By : Prameya-News7 Bureau | June 20, 2025 IST

ଭୁବନେଶ୍ୱର ୨୦/୦୬: ସରିଲା ଗ୍ରୀଷ୍ମ ଛୁଟି, ଆଜିଠୁ ରାଜ୍ୟରେ ଖୋଲିଛି ସ୍କୁଲ ।  ଗଣଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ହଷ୍ଟେଲ ଆଜିଠାରୁ ଖୋଲିବାକୁ ଯାଉଛି  । ତେବେ ଝାଡ଼ାବାନ୍ତି ବ୍ୟାପିଥିବାରୁ ଯାଜପୁର, ଭଦ୍ରକ ପରି ଜିଲ୍ଲାରେ ସ୍କୁଲ ଖୋଲିବା ତାରିଖ କୁ ଘୁଞ୍ଚାଇ ଦିଆଯାଇଛି । 

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁବନେଶ୍ବର ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଓ କଟକ ସହରରେ ଥିବା ସରକାରୀ, ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା ହୋଇଛି  । ୨୧ ତାରିଖ ଏହି ଦୁଇ ସହରର ବିଦ୍ୟାଳୟ ଖୋଲିବ  ।

ହଇଜା, ଝାଡ଼ାବାନ୍ତି ପରି ଜଳବାହିତ ରୋଗ ବ୍ୟାପୁଥିବାରୁ ପିଲାଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ପିଇବା ପାଣି ଝାଡ଼ାବାନ୍ତିର ପ୍ରମୁଖ କାରଣ ହୋଇଥିବାରୁ ଅନେକ ସ୍ଥାନରେ ଜଳ ବିଶୋଧନ ଓ ସଫେଇ କାମକୁ ଗୁରୁତ୍ବ ଦିଆଯାଇଛି । ସ୍କୁଲ ଖୋଲିଲେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବେ ଓ ପାନୀୟଜଳ ପିଇବେ, ସେ ନେଇ ଗାଇଡଲାଇନ ରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ।

ମଧ୍ୟାହ୍ନ ଭୋଜନରେ ଗରମ ଖାଦ୍ୟ ସହ ଫୁଟା ପାଣି ଦିଆଯିବ । ହଷ୍ଟେଲରେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ ହେବ । ସ୍କୁଲ ପରିବେଶ ସହ ପାଣି ଟାଙ୍କି ସଫା କରିବା ଉପରେ ବିଭାଗ ଗୁରୁତ୍ବ ଦେଇଛି । ବିଦ୍ୟାଳୟ ଖୋଲିବା ପରେ ଅଭିଭାବକ ସ୍କୁଲ ପରିବେଶ ଓ ମଧ୍ୟାହ୍ନ ଭୋଜନ ଯାଞ୍ଚ କରିପାରିବେ । ଝାଡ଼ାବାନ୍ତି ବ୍ୟାପୁଥିବାରୁ ସ୍ଥିତି ବିଗିଡ଼ିଲେ ଜିଲ୍ଲାପାଳ ମାନେ ଶିକ୍ଷାନୁଷ୍ଠାନ ବନ୍ଦ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.