ପୂର୍ବତନ ସ୍ୱାମୀ ଏବଂ ଶାଶୁଘର ବିରୋଧରେ ମିଥ୍ୟା ଅଭିଯୋଗ : ସର୍ବସାଧାରଣରେ କ୍ଷମା ମାଗିବେ ଆଇପିଏସ୍‌ ପତ୍ନୀ

Published By : Prameya-News7 Bureau | July 23, 2025 IST

ନୂଆଦିଲ୍ଲୀ ୨୩।୭: ପୂର୍ବତନ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ବିରୋଧରେ ମିଥ୍ୟା ଅପରାଧିକ ମାମଲା କରି ଫସିଲେ ମହିଳା ଆଇପିଏସ୍ ।ମହିଳା ଆଇପିଏସ୍‌ ଅଧିକାରୀ ଓ ତାଙ୍କ ପରିବାରକୁ ସର୍ବସାଧାରଣରେ କ୍ଷମା ମାଗିବା ଲାଗି ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିଲାଗି ସୁପ୍ରିମକୋର୍ଟ ୩ ଦିନ ସମୟ ଦେଇଛନ୍ତି । 

ସୂଚନାଯୋଗ୍ୟ ଯେ, ମହିଳା ଜଣକ ବୈବାହିକ ବିବାଦ ପରେ ତାଙ୍କ ପୂର୍ବତନ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ନାଁରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ସହ ଅନ୍ୟ ଅପରାଧିକ ମାମଲା କରିଥିଲେ । ଏଥିଯୋଗୁ ତାଙ୍କ ସ୍ୱାମୀଙ୍କୁ ୧୦୯ ଦିନ ଏବଂ ଶ୍ୱଶୁରଙ୍କୁ ୧୦୩ ଦିନ ଜେଲରେ ରହିବାକୁ ପଡ଼ିଥିଲା ।  ସିଜେଆଇ ବି.ଆର୍‌ ଗଭଇ ଏବଂ ଜଷ୍ଟିସ୍‌ ଏ.ଜି ମସିହଙ୍କ ଖଣ୍ଡପୀଠ କହିଛନ୍ତି, ମିଥ୍ୟା ମାମଲା ଯୋଗୁ ସେମାନେ ସହିଥିବା ମାନସିକ ନିର୍ଯାତନା ବାବଦକୁ କୌଣସି କ୍ଷତିପୂରଣ ଦିଆଯାଇପାରିବ ନାହିଁ । ତେଣୁ ସମ୍ପୃକ୍ତା ମହିଳା ଏବଂ ତାଙ୍କ ପରିବାର ଏଥିଲାଗି ସାର୍ବଜନିନ ଭାବେ ନିଃସର୍ତ୍ତ କ୍ଷମା ମାଗିବା ଜରୁରୀ । ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ କ୍ଷମା ପ୍ରାର୍ଥନା କରିବେ । ଏଥିପାଇଁ ସୁପ୍ରିମକୋର୍ଟ ନିଜ ଆଡ଼ୁ ନିର୍ଦ୍ଦିଷ୍ଟ ଭାବେ ଲେଖାଥିବା ପ୍ରାର୍ଥନା ପତ୍ର ମଧ୍ୟ ଦେଇଛନ୍ତି । ମହିଳା ଜଣକ ଏହି ଫର୍ମରେ କୌଣସି ପରିବର୍ତ୍ତନ ନ କରି କେବଳ ନିଜ ପରିଚୟ ଦେଇ କ୍ଷମା ମାଗିବେ । ଏଥିସହ ଆଇପିଏସ୍‌ ଥିବା ଯୋଗୁ ସେ ତାଙ୍କ କ୍ଷମତାର ଦୁରୁପଯୋଗ ନ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ଚେତାଇଛନ୍ତି । 

ତାଙ୍କ ପୂର୍ବତନ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କୁ ମଧ୍ୟ ଖଣ୍ଡପୀଠ ଚେତାବନୀ ଦେଇଛନ୍ତି । ମହିଳାଙ୍କ କ୍ଷମା ପ୍ରାର୍ଥନାକୁ ଭବିଷ୍ୟତରେ କୌଣସି ସ୍ଥିତିରେ ଅସ୍ତ୍ର ଭାବେ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଉଭୟଙ୍କ ଶିଶୁ କନ୍ୟାଙ୍କୁ ପରିବାର ଲୋକେ ଭେଟିପାରିବେ ଏବଂ ଝିଅ ବାବଦରେ ସୂଚନା ଜାଣିପାରିବେ ବୋଲି ମଧ୍ୟ ଏହି କ୍ଷମା ପ୍ରାର୍ଥନା ଫର୍ମାଟରେ ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି ।  

ମହିଳା ଜଣକ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ବିରୋଧରେ ୬ଟି ଅପରାଧିକ ମାମଲା ରୁଜୁ କରାଇଥିଲେ । ସେଥିମଧ୍ୟରେ ଘରୋଇ ହିଂସା, ବିଶ୍ୱାସଘାତ, ଦୁଷ୍କର୍ମ, ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା ରହିଛି । ଏଥିସହ ମହିଳା ଜଣକ ଛାଡ଼ପତ୍ର ଏବଂ ଏ ବାବଦ ଭରଣପୋଷଣ ଲାଗି ମଧ୍ୟ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ । ସ୍ୱାମୀ ମଧ୍ୟ ଛାଡ଼ପତ୍ର ଓ ଅନ୍ୟ ଅଭିଯୋଗ ନେଇ ପିଟିସନ କରିଥିଲେ । ଉଭୟେ ପରସ୍ପର ବିରୋଧରେ କରିଥିବା ମାମଲାକୁ ନିଜ ନିଜ ଅଧିକାର କ୍ଷେତ୍ରକୁ ଟ୍ରାନ୍ସଫର କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

 

 

  • delhi
  • new delhi
  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.