ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | August 13, 2025 IST

ନୂଆଦିଲ୍ଲୀ ୧୩।୮: ଦୁଇ ଥର ଅଲିମ୍ପିକ ମେଡାଲ ବିଜେତା ସୁଶୀଲ କୁମାରଙ୍କୁ ଜୁନିୟର ରେସ୍ଲର ସାଗର ଧନଖଡ ହତ୍ୟା ମାମଲାରେ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ସୁପ୍ରିମକୋର୍ଟ ରେସ୍ଲର ସୁଶୀଲ କୁମାରଙ୍କୁ ସପ୍ତାହକ ମଧ୍ୟରେ ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଓ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ବେଞ୍ଚ ମାର୍ଚ୍ଚ ୪ ତାରିଖରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ମଞ୍ଜୁର ଜାମିନକୁ ରଦ୍ଦ କରି ସପ୍ତାହକ ମଧ୍ୟରେ ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ସାଗରଙ୍କ ପିତା ଅଶୋକ ଧନଖଡଙ୍କ ପିଟିସନ ଉପରେ ଆସିଛି, ଯେଉଁଥିରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ୪୨ ବର୍ଷ ବୟଷ୍କ ସାଗର ଧନଖଡ଼ ହତ୍ୟାକାଣ୍ଡର ମୁଖ୍ୟଅଭିଯୁକ୍ତ  ସୁଶୀଲ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ୪ ମାର୍ଚ୍ଚ ୨୦୨୫ରେ ଜାମିନରେ ମୁକ୍ତ କରିଥିଲେ। ୨୦୨୧ରେ ସୁଶୀଲ ଗିରଫ ହେବା ପରେ ତାଙ୍କୁ ତୃତୀୟବାର ଜାମିନ ମିଳିଥିଲା। 

ଏହା ପୂର୍ବରୁ ପ୍ରଥମ ଜାମିନ ତାଙ୍କ ପିତାଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ମିଳିଥିବା ବେଳେ ଦ୍ୱିତୀୟ ଜାମିନ ତାଙ୍କ ଲିଗାମେଣ୍ଟ ଅପରେସନ ପାଇଁ ହାଇକୋର୍ଟ ମଞ୍ଜୁର କରିଥିଲେ। ୪ ମେ ୨୦୨୧ରେ ସୁଶୀଲ ଓ ତାଙ୍କ ସାଥୀମାନେ ଦିଲ୍ଲୀ ଛତ୍ରସାଲ ଷ୍ଟାଡିୟମରେ ଜୁନିୟର ରେସ୍ଲର ସାଗର ଧନଖଡଙ୍କୁ ହକି ଷ୍ଟିକ୍ ରେ ନିର୍ମମ ମାଡ଼ ମାରିଥିଲେ। ସୁଶୀଲ ଓ ଧନଖଡଙ୍କ ମଧ୍ୟରେ ବିବାଦ ଏକ ସମ୍ପତ୍ତିକୁ ନେଇ ହୋଇଥିଲା। 


ସୁଶୀଲ କୁମାର ଓ ସାଥୀଙ୍କ ଆକ୍ରମଣରେ ଗୁରୁତର ଆହତ ସାଗର ଧନଖଡ଼ ହସ୍ପିଟାଲରେ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ସୁଶୀଲ କୁମାର ଦୀର୍ଘ ୧୮ ଦିନ ପର୍ଯ୍ୟନ୍ତ ଫେରାର ଥିଲେ। ଦୁଇ ଥର ଅଲିମ୍ପିକ ପଦକ ବିଜେତା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣା ଆଦି ସ୍ଥାନରେ ଆତ୍ମ ଗୋପନ କରିଥିଲେ। ତେବେ ଶେଷରେ ଦିଲ୍ଲୀ ପୋଲିସ ତାଙ୍କୁ ମୁଣ୍ଡକା ଅଞ୍ଚଳରୁ ଗିରଫ କରିଥିଲା। 


ସୁଶୀଲ କୁମାର ୨୦୦୮ ବେଜିଂ ଅଲିମ୍ପିକରେ ବ୍ରୋଞ୍ଜ ପଦକ ବଜିୟୀ ହୋଇଥିଲେ। ଏହା ପରେ ତାଙ୍କୁ ୨୦୧୨ ଲଣ୍ଡନ ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିଲେ। ୨୦୨୧ରେ ପୋଲିସ ଯେତେବେଳେ ତାଙ୍କୁ ଗିରଫ କଲା ସୁଶୀଲ କୁମାର କାର୍ଯ୍ୟ କରୁଥିବା ରେଳବାଇ ଚାକିରୀରୁ ନିଲମ୍ବିତ ହୋଇଥିଲେ। ଏବେ ସୁଶୀଲ କୁମାରଙ୍କ ନିକଟରେ ଆତ୍ମ ସମର୍ପଣ ପାଇଁ ମାତ୍ର ୭ ଦିନ ସମୟ ଅଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.