ବ୍ରହ୍ମପୁର: ନଦୀରୁ ବାହାର କରାଯାଉଛି ବାଲି। ଶହ ଶହ ଟ୍ରକରେ ହେଉଛି ଏସବୁରୁ ଚୋରା ଚାଲାଣ। ଦିନ ଦ୍ବିପ୍ରହରରେ ବେଧଡକ ଜେସିବି ଯୋଗ ଖୋଳି ଚାଲାଣ କରାଯାଉଛି ଟ୍ରିପ୍ ଟ୍ରିପ ବାଲି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ନଳବଣ୍ଟା ପଞ୍ଚାୟତ ଅଧୀନ ପାଟିଲିଗୁଡ଼ା ଦେଇଯାଇଥିବା
ଋଷିକୂଲ୍ୟା ନଦୀ ମୁହାଣରୁ ଦୁଇ ମାସ ଧରି ବେଆଇନ ଭାବେ କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ ଚାଲିଛି l ଦୈନିକ ଶହ ଶହ ଟ୍ରକ ବେଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଫଳରେ ପାଖା ପାଖି ୩୦ ଫୁଟ ଗଭୀର ଏବଂ ଏକ କିଲୋମିଟର ପରିମିତ ନଦୀ ପଠାରୁ ବାଲି ଲୁଟ କରୁଛନ୍ତି ମାଫିଆ l
ଆହୁରି ମଧ୍ୟ ଏହି ବାଲି ଉଠାଣ ବିନା ଲିଜରେ ଚାଲାଣ ହେଉଛି। ପ୍ରତିଦିନ ଶହ ଶହ ହାଇଓ୍ବା ଗାଡ଼ିରେ ଏଭଳି ବାଲି ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବାରମ୍ବାର ବିରୋଧ କରୁଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି l ଗୋଟିଏ ପକ୍ଷରେ ବିନା ଲିଜରେ ଏହି ବାଲି ଘାଟ ଚାଲିଥିବା ବେଳେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି l ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏହାର ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।
ସେପଟେ ଏନେଇ ଖଣି ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନଥିବାବେଳେ ଦେବାକୁ ମନା କରି ଦେଇଛନ୍ତି। ଅପର ପକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଘଟଣାର ତଦନ୍ତ କରିବେ କହି ସମ୍ପୂର୍ଣ୍ଣ ନୀରବ ବସିଛନ୍ତି l ସେପଟେ ବେଆଇନ ବାଲି ଚାଲାଣ, ଚୋରା ଲଘୁ ଖଣିଜ ଦ୍ରବ୍ୟରେ ସମ୍ପୃକ୍ତ ଥିବା ସମସ୍ଥଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କାହାରିକୁ ଛଡ଼ାଯିବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ପୂର୍ବରୁ ଅନେକ ଥର କହିଛନ୍ତି। ଏପରିକି ବେଆଇନ ଲଘୁ ଖଣିଜ ଦ୍ରବ୍ୟ କାରବାର ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୪୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜରିମାନା ଆଦାୟ କରା ଯାଇଥିବା ନେଇ ପୂର୍ବରୁ ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି।