କଟକ ୨୩।୭: କଟକ ଜିଲ୍ଲାର ପ୍ରାୟ ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ହେବ । ଦରମା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ । କଟକ ଜିଲ୍ଲାର କଲେଜକୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ରିପୋର୍ଟ ତଥା ICC ରିପୋର୍ଟ ମଗାଯାଇଥିଲା । ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ୪୮ ଘଣ୍ଟା ମଧ୍ୟରେ ସମସ୍ତ କଲେଜ ICC ରିପୋର୍ଟ ଦେବାକଥା । କିଛି କଲେଜ ଉକ୍ତ ନିର୍ଦ୍ଦେଶ ପାଳନ କରିଥିଲେ । କିନ୍ତୁ ପାଖାପାଖି ୨୧୦ଟି କଲେଜରୁ ନିର୍ଦ୍ଧିଷ୍ଟ ସମୟ ଭିତରେ ରିପୋର୍ଟ ମିଳିଲା ନାହିଁ । ତେଣୁ ସେଠାକାର କର୍ମଚାରୀ ମାନଙ୍କ ଦରମା ବନ୍ଦ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ଣ୍ଣାଙ୍ଗ ICC ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆଗାମୀ ୨୪ ଘଣ୍ଟା ଭିତରେ ICC ରିପୋର୍ଟ ନମିଳେ ତେବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସମ୍ପୃକ୍ତ କଲେଜ ପ୍ରିନ୍ସିପାଲ ମାନଙ୍କୁ ସସ୍ପେଣ୍ଡ କରାଯିବ ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଚେତାବନୀ ମଧ୍ୟ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପରେ ତତ୍ପର ହୋଇଛି ଉଚ୍ଚଶିକ୍ଷା ବିଭାଗ ।ଫକୀରମୋହନ କଲେଜର ପୀଡିତା ଛାତ୍ରୀ ICCରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥାକୁ ଗୁରୁତ୍ବର ସହ ନିଆ ଯାଇନଥିଲା । ଯାହା ଫଳରେ ସେ ଏତେବଡ଼ ନିଷ୍ପତ୍ତି ନେଇଥିଲେ । ତେଣୁ ରାଜ୍ୟର ବିଭିନ୍ନ କଲେଜରେ ଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି କେତେ କାର୍ଯ୍ୟକ୍ଷମ ରହିଛି ସେ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି ।
You Can Read:
ସାନଖେମୁଣ୍ଡି ବ୍ଲକ୍ ଅଞ୍ଚଳରେ ଝାଡ଼ାବାନ୍ତି ଆତଙ୍କ : ୩ ଜଣଙ୍କ ମୃତ୍ୟୁ ଅଭିଯୋଗ, ୧୦ରୁ ଅଧିକ ଆକ୍ରାନ୍ତ