ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ବ୍ୟାଡମିଣ୍ଟନ ଷ୍ଟାର୍ ସାଇନା ନେହୱାଲ ଓ ତାଙ୍କ ସ୍ୱାମୀ ପି କଶ୍ୟପ ନିଜ ବିବାହକୁ ଦ୍ୱିତୀୟ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସାଇନା ନେହୱାଲ୍ ନିଜେ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି । ଶନିବାର ନିଜ ଇନଷ୍ଟା ହ୍ୟାଣ୍ଡେଲରେ ସେ ନିଜ ସ୍ୱାମୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ବେଳେବେଳେ ଦୂରତା ଆପଣଙ୍କୁ ଉପସ୍ଥିତର ମହତ୍ୱ ଶିଖାଇଥାଏ । ଆମେ ପୁଣି ଥରେ ପ୍ରୟାସ କରିବୁ ।
ଷ୍ଟାର୍ ସଟଲର୍ ସାଇନା ନେହୱାଲ୍ ଜୁଲାଇ ୧୩ରେ ନିଜ ସ୍ୱାମୀ ପି କଶ୍ୟପଙ୍କଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ । ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ, ‘ବହୁତ ଚିନ୍ତା କରିବା ପରେ, କଶ୍ୟପ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଜୀବନ କେତେବେଳେ ଆମକୁ ଭିନ୍ନ ଦିଗରେ ନେଇଯାଏ । ଆମେ ପରସ୍ପରର ଶାନ୍ତି, ବିକାଶ ପାଇଁ ଏହି ରାସ୍ତା ବାଛିଛୁ । ମୁଁ ତାଙ୍କ ସହିତ ସମସ୍ତ ସ୍ମୃତି ପାଇଁ କୃତଜ୍ଞ । ଭବିଷ୍ୟତ ପାଇଁ ତାଙ୍କୁ ଶୁଭକାମନା ଜଣାଉଛି । ଆମର ଗୋପନୀୟତାକୁ ବୁଝିବା ଏବଂ ସମ୍ମାନ କରିବା ପାଇଁ ଧନ୍ୟବାଦ।’ କିନ୍ତୁ ଆଜି ହଠାତ ସ୍ୱାମୀଙ୍କ ସହ ଫଟୋ ସେୟାର କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ସାଇନା ।
ସାଇନା ନେହୱାଲ ୨୦୧୮ ଡିସେମ୍ୱର ୧୪ରେ କଶ୍ୟପ ପାରୁପାଲିଙ୍କୁ ପ୍ରେମ ବିବାହ କରିଥିଲା । ଦୁହେଁ ୨୦୦୭ ମସିହାରୁ ସମ୍ପର୍କରେ ଥିଲେ । କ୍ୟାରିୟରର ପ୍ରାରମ୍ଭିକ ଦିନରେ ଦୁହେଁ ହାଇଦ୍ରାବାଦର ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଏକାଠି ପ୍ରଶିକ୍ଷଣ ନେଉଥିଲେ । ଏକାଡେମୀରେ ତାଲିମ ସମୟରେ ଦୁହିଁଙ୍କ ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା ।
ହରିୟାଣାର ବାସିନ୍ଦା ସାଇନା ନେହୱାଲ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି, ଯିଏ ଅଲିମ୍ପିକ୍ ପଦକ ଜିତିଥିଲେ । ସେ ଲଣ୍ଡନ ଅଲିମ୍ପିକ୍ -୨୦୧୨ରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୧୫ରେ ମହିଳା ସିଙ୍ଗଲ୍ସ ରାଙ୍କିଙ୍ଗରେ ସେ ବିଶ୍ୱ ନମ୍ବର-୧ ଖେଳାଳି ଥିଲେ । ସାଇନା ହେଉଛନ୍ତି ଏକମାତ୍ର ମହିଳା ଭାରତୀୟ ଖେଳାଳି ଯିଏ ବ୍ୟାଡମିଣ୍ଟନରେ ବିଶ୍ୱ ନମ୍ବର-୧ ସ୍ଥାନ ହାସଲ କରିଥିଲେ । ସାଇନା ୨୦୧୦ ଏବଂ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।