ନୂଆଦିଲ୍ଲୀ ୧୬/୦୫: ୟୁକ୍ରେନ ଯୁଦ୍ଧ ମଧ୍ୟରେ ଋଷ ସାମରିକ ନେତୃତ୍ୱର ଏକ ବଡ଼ ପରିବର୍ତ୍ତନ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷିଆର ସ୍ଥଳ ସେନା ମୁଖ୍ୟ ଜେନେରାଲ ଓଲେଗ ସାଲ୍ୟୁକୋଭଙ୍କୁ ତାଙ୍କ ପଦରୁ ହଟାଇଛନ୍ତି । ଗୁରୁବାର କ୍ରେମଲିନ୍ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି । ଜେନେରାଲ ସାଲ୍ୟୁକୋଭଙ୍କୁ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ସୋଇଗୁଙ୍କ ଡେପୁଟି ଭାବରେ ନିଯୁକ୍ତ କରାଯାଇଛି । ଯାହାଙ୍କୁ ଗତ ବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ହଟାଇ ରୁଷର ସୁରକ୍ଷା ପରିଷଦର ସଚିବ କରାଯାଇଥିଲା ।
ଏହି ପରିବର୍ତ୍ତନ ଏପରି ଏକ ସମୟରେ ଆସିଛି ଯେତେବେଳେ ରୁଷ-ୟୁକ୍ରେନ ଯୁଦ୍ଧକୁ ତିନି ବର୍ଷ ପୂରଣ ହୋଇଛି । ଦେଶ ଭିତରେ ବରିଷ୍ଠ ସାମରିକ ଅଧିକାରୀମାନେ ଲଗାତାର ଦୁର୍ନୀତିର ଅଭିଯୋଗ କରିଆସୁଥିଲେ । ସାଲିୟୁକୋଭ କିଛି ଦିନ ପୂର୍ବରୁ ମସ୍କୋର ରେଡ ସ୍କୋୟାରରେ ବିଜୟ ଦିବସ ପରେଡର ନେତୃତ୍ୱ ନେଇଥିଲେ, ଯେଉଁଥିରେ ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ଆଣ୍ଡ୍ରେ ବେଲୋସୋଭ ମଧ୍ୟ ଉପସ୍ଥିତ ଥିଲେ। ଜର୍ମାନୀ ଉପରେ ଋଷର ବିଜୟର ୮୦ତମ ବାର୍ଷିକୀ ପାଳନ କରିବା ପାଇଁ ଏହି ପରେଡ୍ ଆୟୋଜନ କରାଯାଇଥିଲା।
ଗତ ଗୋଟିଏ ବର୍ଷ ମଧ୍ୟରେ ଅନେକ ସାମରିକ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ବର୍ଷ ମଧ୍ୟରେ ଋଷର ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ପ୍ରତିରକ୍ଷା ଏବଂ ସାମରିକ ଅଧିକାରୀଙ୍କ ବିରୋଧରେ ଡଜନ ଡଜନ ଦୁର୍ନୀତି ଅଭିଯୋଗ ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଅଭିଯୋଗ କରିଛନ୍ତି ଯେ ସେମାନେ ବ୍ୟକ୍ତିଗତ ଲାଭ ପାଇଁ ପ୍ରମୁଖ ପ୍ରତିରକ୍ଷା ପ୍ରକଳ୍ପରୁ ଟଙ୍କା ହଡ଼ପ କରିଛନ୍ତି ।
ସାଲିୟୁକୋଭ ୨୦୧୪ ମସିହାରୁ ରୁଷିଆର ସ୍ଥଳସେନାର ମୁଖ୍ୟ ଅଛନ୍ତି ଏବଂ ସିରିଆ ଗୃହଯୁଦ୍ଧ ଓ ୟୁକ୍ରେନ ସଂଘର୍ଷରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ଏହା ପୂର୍ବରୁ, ସେ ଚାରି ବର୍ଷ ପାଇଁ ଡେପୁଟି ଚିଫ୍ ଅଫ୍ ଦି ଜେନେରାଲ ଷ୍ଟାଫ୍ ଭାବରେ କାର୍ଯ୍ୟ କରିଥିଲେ। ଏହି ସମୟରେ, ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଋଷ ଓ ୟୁକ୍ରେନ ମଧ୍ୟରେ ସିଧାସଳଖ ଶାନ୍ତି ଆଲୋଚନା ହେବାର ସମ୍ଭାବନା ରହିଛି, ଯାହା ଇସ୍ତାନବୁଲରେ ହୋଇପାରେ।