ତୁର୍କିରେ ୨ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ଋଷିଆ-ୟୁକ୍ରେନ ଶାନ୍ତି ବାର୍ତ୍ତା, ଜାଣନ୍ତୁ କ’ଣ ହୋଇଛି ନିଷ୍ପତ୍ତି?

Published By : Prameya-News7 Bureau | June 02, 2025 IST

ଇସ୍ତାନାବୁଲ ୨।୬: ଭୀଷଣ ଡ୍ରୋନ ଆକ୍ରମଣର ଦିନକ ପରେ ଋଷିଆ ଓ ୟୁକ୍ରେନ ପ୍ରତିନିଧି ମଣ୍ଡଳ ୨ଜୁନ ସୋମବାର ଇସ୍ତାନାବୁଲରେ ସାମ୍ନା ସାମ୍ନି କଥାବାର୍ତ୍ତା ହୋଇଛନ୍ତି। ଏହି ଶାନ୍ତି ବାର୍ତ୍ତା ପାଖାପାଖି ୨ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ୧ ଘଣ୍ଟା ଧରି ଚାଲିଥିଲା। ତେବେ ଏହି ଆଲୋଚନାରେ ଯୁଦ୍ଧବିରାମ ଅଥବା ଯୁଦ୍ଧ ସମାପ୍ତି ନେଇ କୌଣସି କଥାବର୍ତ୍ତା ହୋଇ ନାହିଁ,  ହେଲେ କେତେକ ମାନବୀୟ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। 

ଏହି ସବୁ ପ୍ରସଙ୍ଗରେ ହୋଇଛି ସହମତି 
ଯୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲନସ୍କି କହିଛନ୍ତି ଯେ ଉଭୟ ପକ୍ଷ ତୁର୍କି ମାଧ୍ୟମରେ ପରସ୍ପରର କାଗଜପତ୍ର ଆଦାନପ୍ରଦାନ କରିଥିଲେ ଓ ଏଥିରେ ଯୁଦ୍ଧବନ୍ଦୀଙ୍କ ଏକ ନୂଆ ଅଦଳବଦଳ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଇସ୍ତାନାବୁଲରେ ହୋଇଥିବା ଶାନ୍ତି ବାର୍ତ୍ତାରେ ଦୁଇ ଦେଶ ୬ହଜାର ଲେଖାଏଁ ସୈନ୍ୟ ଓ ଶବ ଆଦାନପ୍ରଦାନ ପାଇଁ ସହମତ ହୋଇଛନ୍ତି। ଏହା ପୂର୍ବରୁ ମେ ୧୬ ତାରିଖରେ ହୋଇଥିବା ଆଲୋଚନାରେ ୧ହଜାର ଲେଖାଏଁ ଯୁଦ୍ଧବନ୍ଦୀଙ୍କ ଆଦାନପ୍ରଦାନ ପାଇଁ ସହମତି ହୋଇଥିଲା। ଏହା ଛଡା ଉଭୟପକ୍ଷ ଗୁରୁତର ଆହତ ଓ ୨୫ ବର୍ଷରୁ କମ ବୟଷ୍କ ଯୁଦ୍ଧବନ୍ଦୀଙ୍କ ଆଦାନପ୍ରଦାନ ପାଇଁ ସହମତ ହୋଇଛନ୍ତି। ଋଷିଆଠୁ ୟୁକ୍ରେନ ସେହି ପିଲାଙ୍କ ଫେରସ୍ତ ଦାବି କରିଛି ଯେଉଁମାନଙ୍କୁ ଋଷୀୟ ସେନା କଥିତ ରୂପେ ଜୋରଜବରଦସ୍ତ ଋଷିଆ ନେଇଯାଇଛନ୍ତି। 

ଆକ୍ରମଣ ମଧ୍ୟରେ ଆଲୋଚନା
ୟୁକ୍ରେନ ଦିନକ ପୂର୍ବରୁ  ଋଷିଆର ୪ଟି ବାୟୁସେନା ଘାଟି ଉପରେ ବଡ଼ ଧରଣର ଡ୍ରୋନ ଆକ୍ରମଣ କରିଥିଲା। ଫଳରେ ଋଷିଆର ୪୦ରୁ ଅଧିକ  ଯୁଦ୍ଧ ବିମାନ ନଷ୍ଟ ହୋଇଯାଇଛି। ଏହି ଆକ୍ରମଣରେ ଋଷିଆର ରଣନୈତିକ ବୋମାବର୍ଷି ବିମାନର ଏକ ତୃତୀୟାଂଶରୁ ଅଧିକ କ୍ଷମତା ପ୍ରଭାବିତ ହୋଇଛି। ଅନ୍ୟପଟେ ଋଷିଆ ରବିବାର ୟୁକ୍ରେନ ଉପରକୁ ୪୭୨ଟି ଡ୍ରୋନ ପଠାଇ ଆକ୍ରମଣ କରିଛି, ଯାହା ୨୦୨୨ରେ ଯୁଦ୍ଧ ଆରମ୍ଭ କାଳରୁ ଏ ପର୍ଯ୍ୟନ୍ତର ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। 

ତୁର୍କିରେ ଦ୍ୱିତୀୟବାର ବୈଠକ
ଇସ୍ତାନାବୁଲରେ ଓଟୋମନ କାଳର ସିରେଗନ ପ୍ୟାଲେସରେ ଅନୁଷ୍ଠିତ ଏହି ବୈଠକରେ ଦୁଇ ଦେଶଙ୍କ ପ୍ରତିନିଧି ସାମ୍ନା ସାମ୍ନି ବସିଥିଲେ।   ପ୍ରତିରକ୍ଷାମନ୍ତ୍ରୀ ରୁସ୍ତମ ଉମେରୋଭ ୟୁକ୍ରେନ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିବା ବେଳେ ଋଷୀୟ ଦଳର ନେତୃତ୍ୱ ରାଷ୍ଟ୍ରପତି ପୁଟିନଙ୍କ ପରାମର୍ଶଦାତା ଭ୍ଲାଦିମୀର ମେଦିନସ୍କି ନେଇଥିଲେ। ବୈଠକରେ ତୁର୍କି ବିଦେଶମନ୍ତ୍ରୀ ହାକାନ ଫିଦାନ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଯୁଦ୍ଧବନ୍ଦୀଙ୍କ ମୁକ୍ତି ବ୍ୟତୀତ ଋଷିୟାକୁ  ୟୁକ୍ରେନ ସେହି ପିଲାଙ୍କ ତାଲିକା ପ୍ରଦାନ କରିଛି ଯେଉଁମାନଙ୍କୁ ଜୋରଜବରଦସ୍ତ ଋଷିଆ ନିଆଯାଇଛି। ସେମାନଙ୍କୁ ଫେରାଇ ଦେବାକୁ ବୈଠକରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.