ମସ୍କୋ ୯।୬: ଋଷିଆ ଓ ୟୁକ୍ରେନ ତୁର୍କିରେ ହୋଇଥିବା ଶାନ୍ତି ବାର୍ତ୍ତା ଅନୁସାରେ ସୋମବାର ଯୁଦ୍ଧବନ୍ଦୀଙ୍କ ପ୍ରତ୍ୟାର୍ପଣ ଆରମ୍ଭ କରିଛନ୍ତି। ଏ ନେଇ ମସ୍କୋ ପକ୍ଷରୁ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ଯୁବବର୍ଗଙ୍କୁ ପ୍ରତ୍ୟାର୍ପଣ କରାଯିବ। ଏଥିରେ ୨୫ ବର୍ଷରୁ କମ ଆୟୁ ବର୍ଗର ସୈନିକଙ୍କୁ ଛଡାଯିବ। ଗତ ସୋମବାର ଇସ୍ତାନାବୁଲରେ ହୋଇଥିବା କଥାବାର୍ତ୍ତା ଅନୁସାରେ ଉଭୟ ପକ୍ଷ ଆହତ ସୈନିକ ଓ ୨୫ ବର୍ଷରୁ କମ ଆୟୁବର୍ଗର ଯୁଦ୍ଧବନ୍ଦୀଙ୍କ ମୁକ୍ତି ପାଇଁ ସହମତ ହୋଇଥିଲେ।
ଏହି ବୁଝାମଣା ଅନୁସାରେ ଉଭୟ ପକ୍ଷ ୧୦୦୦ରୁ ଅଧିକ ସୈନିକଙ୍କୁ ମୁକ୍ତ କରିବେ। ଏହା ସହ ଉଭୟ ପକ୍ଷ ୬ ହଜାର ଲେଖାଏଁ ମୃତ ସୈନିକଙ୍କ ଶବ ପ୍ରତ୍ୟାର୍ପଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ସୋମବାର ଟେଲିଗ୍ରାମରେ ସେୟାର କରିଥିବା ପୋଷ୍ଟରେ କହିଛି ଯେ ଋଷିଆ-ୟୁକ୍ରେନ ବୁଝାମଣା ଅନୁସାରେ ୨୫ ବର୍ଷରୁ କମ ଆୟୁବର୍ଗର ଋଷିଆର ପ୍ରଥମ ଦଳକୁ କିଭ ନିୟନ୍ତ୍ରଣାଧୀନ କ୍ଷେତ୍ରରେ ପ୍ରତ୍ୟାର୍ପଣ କରାଯାଇଛି।
ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲନସ୍କି ଏକ୍ସ (ଟ୍ୱିଟର)ରେ ଏହାକୁ ମଞ୍ଜୁରୀ ଦେଇଥିବା ବେଳେ କହିଛନ୍ତି ଯେ ଏହି ପ୍ରକ୍ରିୟା ଆଗାମୀ ଦିନରେ ଅନେକ ପର୍ଯ୍ୟାୟରେ ଜାରି ରହିବ। ତେବେ ପ୍ରାରମ୍ଭିକ ପ୍ରତ୍ୟାର୍ପଣରେ କେତେ ସୈନିକ ସାମିଲ ଅଛନ୍ତି ଏହା କୌଣସି ପକ୍ଷ ସ୍ପଷ୍ଟ କରି ନାହାନ୍ତି। ହେଲେ ଋଷିଆ କହିଛି ଯେ ୟୁକ୍ରେନର ସେତିକ ସଂଖ୍ୟକ ସୈନିକଙ୍କୁ ଫେରସ୍ତ କରାଯାଇଛି। ତେବେ ଶାନ୍ତି ବାର୍ତ୍ତାରେ ଋଷିଆ ପକ୍ଷରୁ ଅଂଶ ଗ୍ରହଣ କରିଥିବା ଭ୍ଲାଦିମୀର ମୋଦିଂସ୍କି ଶନିବାର କହିଥିଲେ ଯେ ମସ୍କୋ ୬୪୦ ଯୁଦ୍ଧବନ୍ଦୀଙ୍କ ମୁକ୍ତି ନିମନ୍ତେ ତାଲିକା ଉପସ୍ଥାପନ କରିଛି।
ଏଥିରେ ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ଫେରାଯାଇଥିବା ସୈନିକଙ୍କ ମାନସିକ ସ୍ୱାସ୍ଥ୍ୟ ଓ ମେଡିକାଲ ଟେଷ୍ଟ ବେଲାରୁଷରେ କରାଯାଉଛି, ଏହା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯିବ। ତେବେ ଜେଲନସ୍କି ଏହି ପ୍ରକ୍ରିୟାକୁ ଅତ୍ୟନ୍ତ ଜଟିଳ. ସମ୍ବେଦନଶୀଳ ଓ ଅନେକ ଉଦ୍ଦେଶ୍ୟର ବୋଲି କହିଛନ୍ତି ଓ ଏ ନେଇ ବାର୍ତ୍ତା ପ୍ରାୟ ସବୁଦିନ ଜାରି ରହିଛି। ସୂଚନା ମୁତାବକ କ୍ରେମଲିନ ସୋମବାର ବୁଝାମଣା ପୂରଣ କରିବା ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିବା ବେଳେ ୟୁକ୍ରେନ ନିଜ ଦାୟିତ୍ୱ ପୂରା କରୁନଥିବାର ଅଭିଯୋଗ କରିଛି।