ବନ୍ଧୁ ପାଇଁ ବାହାରିଲା ବନ୍ଧୁ, ଭାରତକୁ ଆମେରିକାର ଧମକରେ ରାଗି ଗଲା ରୁଷ, ଟ୍ରମ୍ପଙ୍କୁ ଚେତାବନୀ, 'କିଛି ଠିକ୍ କରୁନ'

Published By : Prameya-News7 Bureau | August 05, 2025 IST

ନୂଆଦିଲ୍ଲୀ: ବନ୍ଧୁ ପାଇଁ ବାହାରିଲା ବନ୍ଧୁ । ଆମେରିକାର ଚେତାବନୀ ପରେ ଭାରତର ବିଶ୍ୱସ୍ତ ବନ୍ଧୁ ରୁଷ କଡ଼ା ଜବାବ ଦେଇଛି । ରୁଷଠାରୁ ତେଲ କିଣିବାକୁ ନେଇ ଭାରତ ଉପରେ ଅଧିକ ଟାରିଫ୍ ଲଗାଇବେ ବୋଲି ସୋମବାର ଟ୍ରମ୍ପ ଚେତାବନୀ ଦେଇଥିଲେ । ଏହାପରେ ଭାରତ ଓ ରୁଷ ଦୁହେଁ ମିଶି ଆମେରିକାକୁ ତାହାରି ଭାଷାରେ ବୁଝାଇ ଦେଇଛନ୍ତି । ମଙ୍ଗଳବାର ରୁଷ ଏହି ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ଦେଇଛି । କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି, ରୁଷ ସହ ବାଣିଜ୍ୟ ନେଇ ଅନ୍ୟ ଦେଶକୁ ମନା କରିବା ବେଆଇନ ଅଟେ ।

ଦିମିତ୍ରୀ ପେସ୍କୋଭ କହିଛନ୍ତି, 'ସବୁ ଦେଶ ନିଜ ନିଜର ବାଣିଜ୍ୟିକ ନିଷ୍ପତ୍ତି ନେବା ପାଇଁ ସ୍ୱତନ୍ତ୍ର । କାହା ଉପରେ କୌଣସି ପ୍ରକାର ଚାପ ପକାଯିବା ଧମକ ରୂପେ ବିବେଚନା କରାଯିବ । ଆମେ ଏପରି ଅନେକ ବୟାନ ଶୁଣିଛୁ, ଯାହା ବାସ୍ତବରେ ଧମକ ଅଟେ । ଏହି ଧମକରେ ଦେଶଗୁଡ଼ିକୁ ରୁଷ ସହ ବାଣିଜ୍ୟିକ ସମ୍ପର୍କ ଶେଷ କରିବା ପାଇଁ ବାଧ୍ୟ କରାଯାଉଛି । ଏଭଳି ବୟାନ ଠିକ୍ ନୁହେଁ ।' କ୍ରେମଲିନ୍ ମୁଖପାତ୍ର କହିଛନ୍ତି, 'ଆମ ମତ ହେଉଛି ସାର୍ବଭୌମତ୍ୱ ଥିବା ଦେଶଗୁଡ଼ିକୁ ନିଜ ନିଜର ବାଣିଜ୍ୟିକ ପାର୍ଟନର, ବାଣିଜ୍ୟ ଓ ଆର୍ଥିକ ସହଯୋଗ ପାଇଁ ଅଂଶୀଦାର ଚୟନ କରିବାର ଅଧିକାର ରଖନ୍ତି ।'

ଟ୍ରମ୍ପ ସୋମବାର ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଲେଖିଥିଲେ, 'ଭାରତ, ରୁଷଠାରୁ ବିପୁଳ ମାତ୍ରାରେ କେବଳ ତେଲ କିଣୁନାହିଁ ବରଂ ସେହି ତେଲର ଏକ ବଡ଼ ଅଂଶକୁ ଖୋଲା ବଜାରରେ ଉଚ୍ଚ ମୂଲ୍ୟରେ ବିକ୍ରି କରି ଅଧିକ ଲାଭ ପାଉଛି । ଏହା ସହ ଟ୍ରମ୍ପ କହିଥିଲେ, ରୁଷର ଆକ୍ରମଣ ଯୋଗୁ ୟୁକ୍ରେନରେ କେତେ ଲୋକଙ୍କ ଜୀବନ ଯାଉଛି, ସେହି କଥାରେ ଭାରତକୁ କୌଣସି ଫରକ ପଡ଼ୁ ନାହିଁ । ଏହି କାରଣରୁ ଭାରତରୁ ଆମେରିକାକୁ ଦିଆଯାଉଥିବା ଶୁଳ୍କକୁ ବଢାଇବାକୁ ଯାଉଛି ।‘

ଏହା ଉପରେ ସୋମବାର ରାତିରେ ଭାରତ କଡ଼ା ଜବାବ ଦେଇଥିଲା । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଥିଲେ, ୟୁକ୍ରେନ ବିବାଦ ଆରମ୍ଭ ହେବା ପରେ ପାରମ୍ପରିକ ଯୋଗାଣକାରୀମାନେ ତେଲ ୟୁରୋପକୁ ପଠାଇଥିବାରୁ ଭାରତ ରୁଷରୁ ତେଲ ଆମଦାନୀ ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲା । ସେହି ସମୟରେ, ନିଜେ ଆମେରିକା ଭାରତକୁ ଏପରି ପଦକ୍ଷେପ ନେବା ପାଇଁ ଉତ୍ସାହିତ କରିଥିଲା । ସେ କହିଥିଲା ଯେ ଭାରତୀୟ ଗ୍ରାହକମାନଙ୍କୁ ଶସ୍ତା ଏବଂ ସ୍ଥିର ଉର୍ଜା ସୁନିଶ୍ଚିତ କରିବା ପାଇଁ ଭାରତର ଏହି ଆମଦାନୀ ଆବଶ୍ୟକ । ଏହା ଏକ ବିକଳ୍ପ ନୁହେଁ, ବରଂ ବିଶ୍ୱ ବଜାରର ଏକ ବାଧ୍ୟବାଧକତା । ବୈଦେଶିକ ମନ୍ତ୍ରଣାଳୟ ଜୋର ଦେଇ କହିଥିଲା ଯେ ଭାରତକୁ ଟାର୍ଗେଟ କରିବା ଅବୈଧ ଏବଂ ଯୁକ୍ତିହୀନ । ଏକ ପ୍ରମୁଖ ଅର୍ଥନୀତି ଭାବରେ ଭାରତ ସର୍ବଦା ଏହାର ଜାତୀୟ ସ୍ୱାର୍ଥ ଏବଂ ଆର୍ଥିକ ସୁରକ୍ଷାକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.