ରୁଷ କବଜାରେ ୟୁକ୍ରେନର ୧୯% ଅଞ୍ଚଳ, ଜେଲେନସ୍କିଙ୍କ ହାତ ଖାଲି, କିପରି ହେବ ବୁଝାମଣା ?

Published By : Prameya-News7 Bureau | August 13, 2025 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଆଲାସ୍କାରେ ହେବାକୁ ଥିବା ବୈଠକ ଉପରେ ସାରା ଦୁନିଆର ନଜର ରହିଛି । ତେବେ ଏହି ବୈଠକରୁ କିଛି ନିଷ୍କର୍ସ ବାହାରିବ ବୋଲି ଆଶା କରାଯାଉନାହିଁ । କାରଣ ବୈଠକରେ ଶାନ୍ତି ସ୍ଥାପନ ଆଶା ସେତେବେଳ ସମ୍ଭବ ହୋଇପାରିବ, ଯେତେବେଳେ ପୁଟିନଙ୍କ ସର୍ତକୁ ସ୍ୱୀକାର କରାଯିବ । ପୁଟିନଙ୍କ ସର୍ତ ଯେ କବଜାରେ ଥିବା ୟୁକ୍ରେନ ଅଞ୍ଚଳରୁ ରୁଷରେ ସାମିଲ କରିବେ । ଟ୍ରମ୍ପ ଏହା ଉପରେ ଏକପ୍ରକାର ରାଜି ଅଛନ୍ତି । ଖୋଲାଖୋଲି ଭାବରେ କହିଥିଲେ ଯେ ୟୁକ୍ରେନ ଓ ରୁଷ ଭୂମି ଛାଡ଼ିବା ଦରକାର, କିନ୍ତୁ ଏହା କିପରି ହେବ ତାର ଜବାବ କାହା ପାଖରେ ନାହିଁ । କାରଣ ଜେଲେନସ୍କିଙ୍କ ପାଖରେ ରୁଷର କୌଣସି ଭୂମି ନାହିଁ । ଏପରି ସ୍ଥଳରେ ଯଦି ଯଥାସ୍ଥିତି ଉପରେ ସହମତି ହୁଏ ତେବେ ୟୁକ୍ରେନ ନିଜର ଏକ ବଡ଼ ଅଞ୍ଚଳ ହରାଇ ବସିବ ଏବଂ ବଦଳରେ କିଛି ପାଇବ ନାହିଁ ।

ରୁଷ-ୟୁକ୍ରେନ ଯୁଦ୍ଧର ସଦ୍ୟ ମ୍ୟାପ୍ ଅନୁସାରେ ରୁଷ କବଜାରେ ୟୁକ୍ରେନର ପ୍ରାୟ ୧ ଲକ୍ଷ ୧୪ ହଜାର ୫୦୦ ବର୍ଗ କିଲୋମିଟର ଅଞ୍ଚଳ ରହିଛି । ୟୁକ୍ରେନ କ୍ଷେତ୍ରଫଳ ଆଧାରରେ ଏହା ପ୍ରାୟ ୧୯ ପ୍ରତିଶତ ଅଞ୍ଚଳ । ଏଥିରେ କ୍ରିମିଆ ମଧ୍ୟ ସାମିଲ ଅଛି । ଅନ୍ୟପଟେ ୟୁକ୍ରେନ ପାଖରେ ରୁଷର କୌଣସି ଅଞ୍ଚଳ ନାହିଁ । ମସ୍କୋ ଦାବି କରୁଛି ଯେ ଯୁଦ୍ଧର ଯଥାସ୍ଥିତିକୁ ବଜାଏ ରଖି ଶାନ୍ତି ଆଲୋଚନା ହେବା ଦରକାର । 

୨୦୧୪ରେ ରୁଷ ସେନା କ୍ରିମିଆକୁ ନିୟନ୍ତ୍ରଣ କରିଥିଲା, ଯାହା ଦକ୍ଷିଣ ୟୁକ୍ରେନର କୃଷ୍ଣ ସାଗର ଯାଏ ବ୍ୟାପ୍ତ । ୟୁକ୍ରେନ ଆଜି ବି ଏହାକୁ ନିଜର ବୋଲି ଦାବି କରୁଛି, ଅନ୍ୟପଟେ ରୁଷ ଏହି ଅଞ୍ଚଳକୁ ସୋଭିଏତ୍ ସଂଘ ସମୟରୁ ନିଜର ବୋଲି ଦାବି କରୁଛି । ଏହି ଅଞ୍ଚଳ ୨୭ ହଜାର ବର୍ଗ କିଲୋମିଟର ଯାଏ ବ୍ୟାପ୍ତ । ୟୁକ୍ରେନୀୟ ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ୧୮ଶହ ଶତାବ୍ଦୀରେ କ୍ୟାଥରିନ୍ ଦି ଗ୍ରେଟ୍ ଜୋରଜବରଦସ୍ତି କ୍ରିମିଆକୁ ରୁଷ ସାମ୍ରାଜ୍ୟରେ ମିଶାଇ ଦେଇଥିଲେ ଏବଂ ସେଭାସ୍ତୋପୋଲରେ ଏକ ନୌସେନା ଜାହାଜ ସ୍ଥାପନ କରିଥିଲେ । ୧୯୨୧ ମସିହାରେ ଏହା ସୋଭିଏତ୍ ୟୁନିଅନର ଅଂଶ ହୋଇଗଲା ।

ପୂର୍ବ ୟୁକ୍ରେନର ଡୋନବାସର ପ୍ରାୟ ୮୮% ଅଞ୍ଚଳ ରୁଷ ନିୟନ୍ତ୍ରଣରେ ରହିଛି । ଏଥିରେ ଲୁହାନସ୍କ ଅଞ୍ଚଳ ଏବଂ ଡୋନେଟେସ୍କ ଅଞ୍ଚଳର ୭୫ ପ୍ରତିଶତ ସାମିଲ । ଏବେ ୟୁକ୍ରେନର ମାତ୍ର ୬ ହଜାର ବର୍ଗ କିଲୋମିଟର ଅଞ୍ଚଳ ବାକି ଅଛି । ସେପଟେ ରୁଷ ଏବେ ଡୋନେଟେସ୍କର ସମ୍ମୁଖ ଭାଗରେ ନିଜରର ଶକ୍ତି ଲଗାଇ ଦେଇଛି ଏବଂ ବାକି ପ୍ରମୁଖ ସହରଗୁଡ଼ିକ ଆଡକୁ ଗତି କରୁଛି । ଡୋନେଟେସ୍କ ଏବଂ ଲୁହାନସ୍କ ଅଞ୍ଚଳରେ ବହୁ ସଂଖ୍ୟକ ରୁଷ-ସମର୍ଥିତ ବିଚ୍ଛିନ୍ନତାବାଦୀ ୟୁକ୍ରେନୀୟ ସରକାରଠାରୁ ଅଲଗା ହୋଇ ନିଜକୁ ସ୍ୱାଧୀନ ଘୋଷଣା କରିସାରିଛନ୍ତି । ୨୦୨୨ ମସିହାରେ ଯୁଦ୍ଧ ପୂର୍ବରୁ, ପୁଟିନ ଏହି ଦୁଇଟି ରାଜ୍ୟକୁ ସ୍ୱାଧୀନ ଭାବରେ ମାନ୍ୟତା ଦେଇଥିଲେ ।

ରୁଷ ସେନା ଦକ୍ଷିଣ-ପୂର୍ବ ୟୁକ୍ରେନର ଜାପୋରିଜ୍ଜିଆ ଓ ଖେରସାନର ୭୪ ପ୍ରତିଶତ ଅଞ୍ଚଳ ଉପରେ ରୁଷର କବଜା ରହିଛି । ୟୁକ୍ରେନ ପାଖରେ ଏହି ଦୁଇ ଅଞ୍ଚଳର ମାତ୍ର ୧୪୫୦୦୦ ବର୍ଗ କିଲୋମିଟର ରହିଛି । ପୁଟିନ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ଯଦି ୟୁକ୍ରେନ ରୁଷର ସହରଗୁଡ଼ିକକୁ ପ୍ରତ୍ୟାହାର କରେ ଏବଂ ନାଟୋରେ ଯୋଗଦାନ ପାଇଁ ଜିଦ୍ ଛାଡିଦିଏ, ତେବେ ସେ ଶାନ୍ତି ପାଇଁ ରାଜି ହେବେ ।

ୟୁକ୍ରେନର ଖାରକିଭ, ସୁମି, ମାଇକୋଲାଇଭ, ଡ୍ରିପୋପେଟ୍ରୋଭସ୍କ ଏବଂ ସେଭାସ୍ତୋପୋଲ ମଧ୍ୟ ରୁଷ କବଜା କରିଛି । ରୁଷ ସେନା ଏହି ଅଞ୍ଚଳଗୁଡ଼ିକ ମଧ୍ୟରୁ କିଛିରେ ୪୦୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ଦଖଲ କରିଛି । ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ପୁଟିନ ୟୁକ୍ରେନରେ ଟ୍ରମ୍ପଙ୍କ ସହ ଯୁଦ୍ଧବିରତି ଚୁକ୍ତି ପାଇଁ ପ୍ରସ୍ତୁତ, କିନ୍ତୁ ସେ କୌଣସି ପ୍ରମୁଖ ଆଞ୍ଚଳକୁ ଛାଡ଼ିବାକୁ ରାଜି ନୁହନ୍ତି । 

ରୁଷ କହିଛି ଯେ ସେ ଏହାର କୁର୍ସ୍କ ଅଞ୍ଚଳକୁ ୟୁକ୍ରେନ ଆକ୍ରମଣରୁ ରକ୍ଷା କରିବା ପାଇଁ ସୁମିରେ ଏକ ବଫର ଜୋନ୍ କରୁଛି । ରୁଷ ଏହା ମଧ୍ୟ କହି ଆସୁଛି ଯେ କ୍ରିମିଆ, ସେଭାସ୍ତୋପୋଲ୍, ଲୁହାନସ୍କ, ଡୋନେଟସ୍କ, ଜାପୋରିଜ୍ଜିଆ ଏବଂ ଖେରସନ ଅଞ୍ଚଳଗୁଡ଼ିକ ରୁଷ ଫେଡେରେସନର ଅଂଶ । ତେବେ ୟୁକ୍ରେନ କିମ୍ବା ଅନ୍ୟ ଦେଶମାନେ ରୁଷର ଏହି ଦାବିକୁ ଖଣ୍ଡନ କରିଛନ୍ତି । ଜାତିସଂଘ ସାଧାରଣ ମହାସଭା ୨୦୧୪ରେ ଏହି ମିଶ୍ରଣକୁ ଅବୈଧ ଘୋଷଣା କରିଥିଲା ଏବଂ କ୍ରିମିଆ ୟୁକ୍ରେନର ବୋଲି କହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.