ନୂଆଦିଲ୍ଲୀ: ରୁଷର ମହାଶକ୍ତି ଆସନ ଏବେ ଟଳମଳ ହେଉଛି । ରବିବାର ପାଞ୍ଚ ବାୟୁସେନା ଘାଟି ଉପରେ ଆକ୍ରମଣ ଓ ବେଲାୟା ଏୟାରବେସ୍ ଉପରେ ପରମାଣୁ ଆକ୍ରମଣ ସକ୍ଷମ ୪୦ରୁ ଅଧିକ ବୋମାବର୍ଷଣକାରୀ ବିମାନକୁ ୟୁକ୍ରେନ ନଷ୍ଟ କିରି ଯୁଦ୍ଧକୁ ଚରମରେ ପହଞ୍ଚାଇଛି । ଏହି ଆକ୍ରମଣ ୟୁକ୍ରେନ ଉପରେ ରୁଷର ପରମାଣୁ ଆକ୍ରମଣ ବିପଦକୁ ଅଧିକ ଭନୀଭୂତ କରିଛି । ଆମେରିକାର ଦୁଇ ଜଣ ସାଂସଦ ଏହି ଅଶଂକା ପ୍ରକାଶ କରିବା ପରେ ସୋମବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କୁ ଭେଟିଛନ୍ତି । ଏହି ବୈଠକରେ ଆଗାମୀ ଦିନରେ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ ଆଶଙ୍କା ଉପରେ ଆଲୋଚନା କରିଛନ୍ତି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବା ପରେ, ପ୍ୟାରିସରେ ଆମେରିକାର ରିପବ୍ଲିକାନ ପାର୍ଟିର ସେନେଟର ଲିଣ୍ଡସେ ଗ୍ରାହାମ ଏବଂ ଡେମୋକ୍ରାଟିକ ପାର୍ଟିର ସେନେଟର ରିଚାର୍ଡ ବ୍ଲୁମେନ୍ଥଲ ଏକ ଭୟଙ୍କର ଲଢ଼େଇର ଆଶଂକା ପ୍ରକାଶ କରିଛନ୍ତି । ଉଭୟ ସେନେଟର କହିଛନ୍ତି ଯେ ରାଷ୍ଟ୍ରପତି ମାକ୍ରନ ମଧ୍ୟ ସେମାନଙ୍କ ମତାମତ ସହିତ ୧୦୦ ପ୍ରତିଶତ ସହମତ ।
ବିଶେଷଜ୍ଞଙ୍କ ମତରେ, ଯୁଦ୍ଧବିରତି ପାଇଁ ଆମେରିକାର ବଢ଼ୁଥିବା ଚାପ ମଧ୍ୟରେ ରୁଷ-ୟୁକ୍ରେନର ଯଥାସମ୍ଭବ ଅଧିକ ଭୂମି ଦଖଲ କରିବାକୁ ଚେଷ୍ଟା କରୁଛନ୍ତି । ଅଧିକ ଭୂମି ଅକ୍ତିକାର କରିବା ଦ୍ୱାରା ରୁଷ ପାଇଁ ଆଲୋଚନା ଟେବୁଲରେ ନିଜ ଦାବି ମନାଇବା ସହଜ ହେବ । ଏଥିପାଇଁ ଗତ ତିନି ସପ୍ତାହ ହେଲା ରୁଷ ନିରନ୍ତର ଭାବରେ ୟୁକ୍ରେନ ଉପରେ ବଡ଼ ଆକ୍ରମଣ କରୁଛି । କିନ୍ତୁ ରବିବାର ୟୁକ୍ରେନର ପ୍ରତିଆକ୍ରମଣ ରୁଷର ରଣନୀତି ଏବଂ ଏହାର ସ୍ଥିତିକୁ ଏକ ବଡ଼ ଧକ୍କା ଦେଇଛି ।
ଏହି ଆକ୍ରମଣର ସଫଳତା ୟୁକ୍ରେନର ମନୋବଳକୁ ବଢାଇଛି, ତେଣୁ ଯୁଦ୍ଧ ଭୟଙ୍କର ରୂପ ନେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି । ଯଦି ୟୁକ୍ରେନ ନିକଟ ଭବିଷ୍ୟତରେ ପୁଣି ଥରେ ସମାନ କିଛି କରିବାକୁ ସାହସ କରେ, ତେବେ ରୁଷ ନିଶ୍ଚିତ ଭାବେ ବଡ଼ ଧରଣ ଆକ୍ରମଣ କରିବ । ଏହି ବଡ଼ ଆକ୍ରମଣ ପରମାଣୁ ଅସ୍ତ୍ର ପ୍ରୟୋଗ ହୋଇପାରେ ।
ସେନେଟର ଗ୍ରାହାମ ଲିଣ୍ଡସେ କହିଛନ୍ତି ଯେ ପୁଟିନ ଏକ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା କେବଳ ରୁଷ ରାଷ୍ଟ୍ରପତି ପୁଟିନଙ୍କ ପାଇଁ କଷ୍ଟକର ନୁହେଁ ବରଂ ବିଶ୍ୱ ପାଇଁ ମଧ୍ୟ ବିପଦପୂର୍ଣ୍ଣ ହୋଇପାରେ । ବିଶେଷଜ୍ଞଙ୍କ ମତରେ, ୟୁରୋପୀୟ ସଂଘ ଏବଂ ବ୍ରିଟେନ ଦ୍ୱାରା ରୁଷ ଉପରେ ଲାଗୁ କରାଯାଇଥିବା ନୂଆ କଟକଣା ମଧ୍ୟ ପୁଟିନଙ୍କ ଉପରେ ଚାପ ବଢାଇଛି । ଯଦି ଆମେରିକା ଏହି କଟକଣାରେ ସାମିଲ ହୁଏ, ତେବେ ରୁଷର ସମସ୍ୟା ନିଶ୍ଚିତ ଭାବେ ବଢ଼ିବ ।