ସହଜ କ୍ୟାଚ୍ ଛାଡିଦେଲେ ରୋହିତ ଶର୍ମା, ଗ୍ରାଉଣ୍ଡରୁ ବାହାର କରିଦେଲେ କ୍ୟାପଟେନ୍ !

Published By : Prameya-News7 Bureau | May 22, 2025 IST

ମୁମ୍ୱାଇ ୨୨/୦୫: ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ୱାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା ମ୍ୟାଚ୍ । ମ୍ୟାଚ୍‌ରେ ରୋହିତ ଶର୍ମା ବ୍ୟାଟରେ କିଛି ବିଶେଷ କରିପାରିନଥିଲେ । ସେ ୫ ରନ କରିବା ପରେ ମୁସ୍ତାଫିଜୁର ରହମାନଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । ଏହା ପରେ, ସେ ଫିଲ୍ଡିଂରେ ବି ସହଜ କ୍ୟାଚ୍ ହାତଛଡ଼ା କରିଥିଲେ । ଫଳସ୍ୱରୂପ ପରବର୍ତ୍ତୀ ଓଭରରେ ତାଙ୍କୁ ପଡ଼ିଆ ବାହାରକୁ ଦେଖିବାକୁ ମିଳିଥିଲା । ତଥାପି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଦଳ ଏହି ମ୍ୟାଚ୍ ୫୯ ରନରେ ଜିତି ପ୍ଲେଅଫରେ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି । 

ୱାଙ୍ଖେଡେ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ନାମରେ ଏକ ଷ୍ଟାଣ୍ଡ ହେବା ପରେ ସେ ପ୍ରଥମ ମ୍ୟାଚ୍ ଖେଳୁଥିଲେ । ଟେଷ୍ଟରୁ ଅବସର ନେବା ପରେ ଏହା ତାଙ୍କର ପ୍ରଥମ ମ୍ୟାଚ୍ ମଧ୍ୟ ଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । MI ପାଇଁ ରୋହିତ ଶର୍ମା ଓ ରିଆନ୍ ରିକଲଟନ୍ ଇନିଂସ ଆରମ୍ଭ କରିଥିଲେ । କିନ୍ତୁ ରୋହିତ ୫ ରନ କରିବା ପରେ ଆଉଟ୍ ହୋଇଥିଲେ।


ୱିଲ୍ ଜ୍ୟାକ୍ସ ୨୧ ରନ୍ କରି ଆଉଟ୍ ହେବା ପରେ, ସୂର୍ଯ୍ୟକୁମାର ଯାଦବ ୪୩ ବଲରେ ୭୩ରନର ଚମତ୍କାର ଇନିଂସ ଖେଳିଥିଲେ । ସୂର୍ଯ୍ୟଙ୍କ ସହ ତିଲକ ବର୍ମା ୨୭ ବଲ୍‌ରେ ୫୫ ରନର ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ । ଏହା ପରେ, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩ ରନ କରିବା ପରେ ଆଉଟ ହୋଇଥିଲେ । ଦଳ ୧୮୦ ରନ କରିଥିଲା।

ଦିଲ୍ଲୀ ଇନିଂସର ୫ମ ଓଭରରେ, ରୋହିତ ଶର୍ମା ମିଚେଲ ସାଣ୍ଟନରଙ୍କ ବଲ୍ ରେ ବିପ୍ରଜ ନିଗମଙ୍କ କ୍ୟାଚ୍ ଛାଡିଥିଲେ । ସର୍ଟ ଥାର୍ଡ ମ୍ୟାନ୍‌ରେ ଠିଆ ହୋଇଥିବା ରୋହିତଙ୍କ ପାଇଁ ଏହା ଏକ ସହଜ କ୍ୟାଚ୍ ଥିଲା କିନ୍ତୁ ସେ ଏହାକୁ ଧରିପାରିଲେ ନାହିଁ । ଏହା ପରେ, ସେଠାରେ ବସିଥିବା ସମସ୍ତ ଦର୍ଶକ ନିରାଶ ହୋଇଗଲେ । 

ପରବର୍ତ୍ତୀ ଓଭରରେ, ରୋହିତ ଶର୍ମା ପଡ଼ିଆରୁ ବାହାରିଥିଲେ । ତାଙ୍କ ସ୍ଥାନରେ କର୍ଣ୍ଣ ଶର୍ମା ଆସିଥିଲେ ଫିଲ୍ଡିଂ କରିବାକୁ । ରୋହିତ ଆଉ ଫିଲ୍ଡିଂ ପାଇଁ ଆସିଲେ ନାହିଁ । ତେବେ ଏହା ପରେ ସୋସିଆଲ ମିଡିଆରେ କିଛି ୟୁଜର୍ସ କହୁଛନ୍ତି ଯେ, କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ରାଗିଯାଇ କ୍ୟାଚ୍ ଛାଡିବା ପରେ, ରୋହିତଙ୍କୁ ପଡ଼ିଆ ବାହାରକୁ ପଠାଇଥିଲେ । 

  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.