ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ନୂଆ ନିୟମ। କର୍ମଚାରୀଙ୍କୁ ଅତିକମ୍ରେ ତିନି ଦିନ ଅଫିସ ଆସି କାମ କରିବାକୁ ପଡ଼ିବ। ଆଉ ଏହା ବାଧ୍ୟତାମୂଳକ। ତେବେ କମ୍ପାନିର ଏହି ନୂଆ ପଦକ୍ଷେପ ହୁଏତ ଅନେକ କର୍ମଚାରୀଙ୍କୁ ପସନ୍ଦ ନଆସିପାରେ। ବିଶେଷ କରି ଓ୍ବାର୍କ ଫ୍ରମ ହୋମ ପସନ୍ଦ କରୁଥିବା କର୍ମଚାରୀଙ୍କ ଇସ୍ତଫା ଦେଇପାରନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ନୂଆ ନୀତି ମାଇକ୍ରୋସଫ୍ଟର ରେଡମଣ୍ଡ ମୁଖ୍ୟାଳୟର ୫୦ ମାଇଲ ମଧ୍ୟରେ ରହୁଥିବା କର୍ମଚାରୀମାନଙ୍କୁ ପ୍ରଭାବିତ କରିବ। କାରଣ ଏଠାରେ କମ୍ପାନିର ବିଶ୍ବରେ ଥିବା ୨,୨୮,୦୦୦ କର୍ମଚାରୀଙ୍କୁ ମଧ୍ୟରୁ ଅଧିକାଂଶ ରହୁଛନ୍ତି। ତେବେ ବିଜନେସ ଇନସାଇଡରର ଏକ ରିପୋର୍ଟ ଅନୁସାରେ କମ୍ପାନିର କିଛି ଟିମ୍ଙ୍କ ଉପରେ ଏହି ନିୟମ ଭିନ୍ନ ଢଙ୍ଗରେ ଲାଗୁ ହୋଇପାରେ। ଅର୍ଥାତ ତିନି ଦିନ ତୁଳନାରେ ସେମାନଙ୍କୁ ୪ରୁ ୫ ଦିନ ଅଫିସ ଆସି କାମ କରିବାକୁ ପଡ଼ିପାରେ।
କମ୍ପାନି ଆସନ୍ତା ମାସରୁ ଏହି ନିୟମକୁ ପରୀକ୍ଷାମୂଳକ ଭାବରେ କାର୍ଯ୍ୟକାରୀ କରିବାକୁ ଯାଉଛି। ଯାହା ଦ୍ଵାରା କର୍ମଚାରୀମାନଙ୍କୁ ନୂଆ ନୀତି ସହ ଖାପ ଖୁଆଇବାକୁ ସମୟ ମିଳିବ।
ତେବେ କମ୍ପାନି କୋଭିଡ ସମୟରେ ଆଣିଥିବା ନିୟମର ପରିବର୍ତ୍ତନକୁ ଦର୍ଶାଉଛି। ଏକ ରିପୋର୍ଟ ଅନୁସାରେ କୋଭିଡ ସମୟରେ କମ୍ପାନିର ନୀତି ଅନୁସାରେ ଅନେକ କର୍ମଚାରୀ ଘରୁ କାମ କରୁଥିଲେ। ପୂର୍ବରୁ ଗତ ସେପ୍ଟେମ୍ବରରେ କ୍ଲାଉଡ୍ ଏକ୍ସିକ୍ୟୁଟିଭ ସ୍କଟ୍ ଗୁଥ୍ର କର୍ମଚାରୀମାନଙ୍କୁ କହିଥିଲେ ଯେ, ଉତ୍ପାଦକତା ଉଲ୍ଲେଖନୀୟ ଭାବରେ ହ୍ରାସ ନହେଲେ ମାଇକ୍ରୋସଫ୍ଟ ଏହାର ପୂର୍ବ ନିୟମ ବଜାୟ ରଖିବ। ଅର୍ଥାତ କର୍ମଚାରୀ ଓ୍ବାର୍କ ଫ୍ରମ୍ ହୋମ କରିପାରିବେ। ହେଲେ ଏବେ ନିୟମରେ ପରିବର୍ତ୍ତନର ସ୍ପଷ୍ଟତା ମିଳିନଥିଲେବି କମ୍ପାନିର ଲାଭ ଜାରି ରହିଛି। କମ୍ପାନିର ୪ ଟ୍ରିଲିୟନ ଡଲାର ମାର୍କେଟ କ୍ୟାପ୍ ଦିଗରେ ଅଗ୍ରସର ହେଉଛି।
ସେପଟେ ଆମାଜନ ମଧ୍ୟ ଅଫିସରେ ପାଞ୍ଚ ଦିନ କାମ କରିବା ଉପରେ ଫୋକସ କରୁଥିବାବେଳେ ଗୁଗଲ୍ ଏବଂ ମେଟା ତିନି ଦିନ ଅଫିସ୍ରେ କାମ ବାଧ୍ୟତାମୂଳକ କରିଛନ୍ତି। ‘ଦି ଭର୍ଜ’ର ରିପୋର୍ଟ ଅନୁସାରେ ଏହା ଖବର ଏଭଳି ସମୟରେ ଆସିଛି ଯେତେବେଳେ ମାଇକ୍ରୋସଫ୍ଟର ତ୍ରୈମାସିକ ଲାଭ ୨୭ ବିଲିୟନ ଡଲାର ହୋଇଛି। ଅବଶ୍ୟ କମ୍ପାନି ୧୫ ହଜାର କର୍ମଚାରୀଙ୍କୁ ଛଟେଇ ଘୋଷଣା କରିଛି।