ମୁମ୍ବାଇ ୩୧।୫: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପରିବେଶକୁ ଧ୍ୟାନରେ ରଖି ଏକ ଅନନ୍ୟ ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ଅନୁସାରେ ଏବେ ବାର୍ଷିକ ଜମା ହେଉଥିବା ଟନ ଟନ କଟାଫଟା ନୋଟ୍ କୁ ଆଉ ଅଳିଆ ଗଦାକୁ ଫିଙ୍ଗି ଦିଆଯିବ ନାହିଁ। ଏହାକୁ କାଠ ଭଳି ମଜଭୁତ ବୋର୍ଡରେ ରୂପାନ୍ତରିତ କରାଯିବ। ଯେଉଁଥିରୁ ଫର୍ଣ୍ଣିଚର ଓ ଅନ୍ୟ ଉପଯୋଗର ବସ୍ତୁତ ତିଆରି କରାଯାଇ ପାରିବ। ଏଥି ପାଇଁ ଆରବିଆଇ ଦେଶର ପ୍ରମୁଖ ବୈଷୟିକ ସଂସ୍ଥାଙ୍କ ସହ ମିଶି ଏହି ଫର୍ମୂଲା ବାହାର କରିଛନ୍ତି।
ଏହା ଦ୍ୱାରା ଫଟାକଟା ଓ ପ୍ରଚଳନରୁ ବାହାରିଯାଇଥିବା ନୋଟ୍ ପୁନଃଚକ୍ରିକରଣ (ରିସାଇକ୍ଲ) କରି ‘ପାର୍ଟିକ୍ଲ ବୋର୍ଡ’ ତିଆରି କରାଯିବ। ଏହି ବୋର୍ଡ ପାରମ୍ପରିକ କାଠ ପଟାର ବିକଳ୍ପ ରୂପେ କାମରେ ଆସିବ ଓ ଏହାକୁ ଫର୍ଣ୍ଣିଚରରୁ ଆରମ୍ଭ କରି ନିର୍ମାଣ ସାମଗ୍ରୀରେ ମଧ୍ୟ ବ୍ୟବହାର କରାଯିବ। ଆରବିଆଇଙ୍କ ୨୦୨୪-୨୫ ବାର୍ଷିକ ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ବର୍ଷ ପାଖାପାଖି ୧୫ହଜାର ଟନ ଖରାପ ନୋଟ ଜମା ହୋଇଥାଏ। ଏ ପର୍ଯ୍ୟନ୍ତ ଏହି ଅଦରକାରୀ ନୋଟ ଗୁଡିକୁ ଗାତ ଖୋଳି ପୋତି ଦିଆଯାଉଥିଲା ନଚେତ ପୋଡାଯାଉଥିଲା।
ଏପରି କରିବା ପରିବେଶ ଉପରେ ଖରାପ ପ୍ରଭାବ ପକାଉଥିଲା। ହେଲେ ଏବେ ନୂଆ ପ୍ରକ୍ରିୟାରେ ଏଗୁଡିକର ଉପଯୁକ୍ତ ଉପଯୋଗ ସମ୍ଭବ ହୋଇ ପାରିବ। ଏଥି ପାଇଁ ଆରବିଆଇ କେନ୍ଦ୍ରୀୟ ପରିବେଶ ମନ୍ତ୍ରାଳୟ ଅଧିନ ଉଡେନ ସାଇନ୍ସ ଆଣ୍ଡ ଟେକ୍ନିକାଲ ଇନିଷ୍ଟେଚ୍ୟୁଟରେ ଗବେଷଣା କରାଇଥିଲେ। ଏହି ଗବେଷଣାରୁ ଜଣା ପଡିଥିଲା ଯେ କରେନ୍ସୀ ପେପରରେ ତିଆରି ବ୍ରିକେଟ ବୈଷୟିକ ରୂପେ ପାର୍ଟିକ୍ଲ ବୋର୍ଡ ତିଆରିରେ ସହାୟକ ହୋଇ ପାରିବ। ଏହା ପରେ ଆରବିଆଇ ପାର୍ଟିକ୍ଲ ତିଆରି କରୁଥିବା କମ୍ପାନୀଙ୍କୁ ପ୍ୟାନେଲରେ ଯୋଡିବା ଆରମ୍ଭ କରିଥିଲେ।
କଟାଫଟା ନୋଟରେ ଥିବା ସୁରକ୍ଷା ସୁତ୍ର, ରସାୟନ, ସ୍ୟାହୀ ଓ ଫାଇବର ପରିବେଶକୁ ଯାଇ କ୍ଷତିକାରକ ପ୍ରଭାବ ପକାଉଥିଲା। ଏଗୁଡିକୁ ପୋଡିଲେ ବାୟୁରେ ହାନୀକାରକ ଗ୍ୟାସ୍ ମିଶୁଥିଲା। ହେଲେ ଏବେ ନୂଆ ଉପାୟରେ ଏହି ଅଦରକାରୀ ନୋଟର ଉପଯୁକ୍ତ ଉପଯୋଗ ହୋଇ ପାରିବ। ଆରବିଆଇଙ୍କ ଏହି ପଦକ୍ଷେପ ନା କେବଳ ନୋଟଗୁଡିକର ପ୍ରବନ୍ଧନକୁ ଅଧିକ ଦାୟିତ୍ୱବାନ କରିବ ବରଂ ପରିବେଶ ଦୃଷ୍ଟିକୋଣରୁ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ଏବେ ଆପଣ ଯେଉଁ ଟେବୁଲ ଓ ଚେୟାରରେ ବସିବେ ହୁଏତ ତାହା କେବେ ୫୦୦ ଓ ୨୦୦୦ ଟଙ୍କା ନୋଟ ନଥିଲା ବୋଲି କହିହେବ ନାହିଁ।