ଟାଙ୍ଗୀ: ପବିତ୍ର ରଥଯାତ୍ରା ଉପଲକ୍ଷେ ଜଗତର ନାଥ ଜଗନ୍ନାଥଙ୍କ ଏହି ପବିତ୍ର ଘୋଷଯାତ୍ରା ଚିଲିକାର ନୀଳ ଜଳରାଶିରେ ଅନୁଷ୍ଠିତ ହୋଇଥିଲା। ସମଗ୍ର ବିଶ୍ବରେ ସବୁଠି ସ୍ଥଳ ପଥରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଠି କିନ୍ତୁ ଚିଲିକାର ଜଳପଥରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା , ଯାହାକି ନିଆରା ରଥଯାତ୍ରା ଭାବେ ପାଳନ କରାଯାଏ । ଜଗନ୍ନାଥଙ୍କ ରୀତିନୀତି ଅନୁସାରେ ସମସ୍ତ ନୀତିକାନ୍ତି କାର୍ଯ୍ୟ ଅନୁଯାୟୀ ପାଳନ ହୋଇଥାଏ ଏହି ରଥଯାତ୍ରା ।
ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅଧିନସ୍ଥ ନଈରୀ ଗ୍ରାମର ଚିଲିକା ମଧ୍ୟରେ ରହିଛି ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ "କାଙ୍କଣ ଶିଖରୀ" ଧାମ । ଚିଲିକାର ମଧ୍ୟ ଭାଗରେ ରହିଛି ଗୋଟିଏ ଛୋଟ କୂଦ ( ସ୍ଥଳ ଭାଗ ) ଯାହାର ନାଁ ରହିଛି "କାଙ୍କଣ ଶିଖରୀ" । ସେହି ଠାରେ ଆଜକୁ ଦୀର୍ଘ ବର୍ଷ ଧରି ଏଭଳି ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି ।
୩ଟି ନୌକା (ନନ୍ଦିଘୋଷ , ତାଳଧ୍ୱଜ , ଦର୍ପଦଳନ)କୁ ଗୋଟିଏ ରଜୁରେ ବନ୍ଧା ଯିବା ପରେ ସେଥିରେ ନିର୍ମାଣ ହୋଇଥାଏ ରଥ । ସେହି ରଥରେ ବିରାଜମାନ କରିଥାନ୍ତି ମହାପ୍ରଭୁ ଜଗନ୍ନାଥ , ବଳଭଦ୍ର ଓ ଦେବୀ ସୁଭଦ୍ରା । ରଥାରୂଢ ହେବା ପରେ ରଥଟଣା ହୋଇଥାଏ । ଜଳ ପଥରେ ହୋଇଥାଏ ଘୋଷଯାତ୍ରା ।
ଚିଲିକାର ନୀଳ ଜଳରାଶି ହୋଇଥାଏ ବଡ଼ଦାଣ୍ଡ ଏବଂ ଚିଲିକା ଢେଉରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଥାଏ ବିରଳ ରଥଯାତ୍ରା । ରଥ ରଜୁର ଆବଶ୍ୟକତା ନାହିଁ ବରଂ ଭାବରେ ବନ୍ଧା ନୀଳାମୟ ଠାକୁରଙ୍କ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ହୋଇଥାଏ ଏହି ରଥଯାତ୍ରା ।"କାଙ୍କଣ ଶିଖରୀ" କୂଦକୁ ପରିକ୍ରମା କରିବା ପରେ ଠାକୁର ପୁଣି ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି । ଘଣ୍ଟ-ଘଣ୍ଟା, କାହାଳୀ, ମୃଦଙ୍ଗ, ଝାଞ୍ଜି, କୀର୍ତ୍ତନ ସାଙ୍ଗକୁ ହରିବୋଲ , ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି ରେ ପ୍ରକମ୍ପିତ ହୋଇଥାଏ ଗଗନ ପବନ । ଏହି ବିରଳ ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତ-ଶ୍ରଦ୍ଧାଳୁ ଙ୍କର ସମାଗମ ହୋଇଥାଏ ।
ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଜଗତର ନାଥ ଜଗନ୍ନାଥଙ୍କ ଏହି ପବିତ୍ର ଘୋଷଯାତ୍ରା ଚିଲିକାର ନୀଳ ଜଳରାଶିରେ ଅନୁଷ୍ଠିତ ହୋଇଥିଲା । ସମଗ୍ର ବିଶ୍ବରେ ସବୁଠି ସ୍ଥଳ ପଥରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଠି କିନ୍ତୁ ଚିଲିକାର ଜଳପଥରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା , ଯାହାକି ନିଆରା ରଥଯାତ୍ରା ଭାବେ ପାଳନ କରାଯାଏ । ନଈରୀ ଗ୍ରାମର କାଙ୍କଣ ଶୀଖରୀ ଲୀଳା କ୍ଷେତ୍ରରେ ଅନୁଷ୍ଠିତ ହୋଇଥିଲା ଏହି ନିଆରା ଘୋଷଯାତ୍ରା।