ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣାର ଫିଟୁନି ରହସ୍ୟ : ସନ୍ଦେହ ଘେରରେ ପ୍ରଶ୍ନ ଛାପିଥିବା ଫାର୍ମ

Published By : Prameya-News7 Bureau | July 23, 2025 IST

କଟକ ୨୩।୭: ସ୍ପେସାଲ ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣାର ରହସ୍ୟ ଫିଟୁନି । ତଦନ୍ତକୁ ୩ ଦିନ ବିତି ଯାଇଥିଲେ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ପ୍ରଘଟକାରୀଙ୍କ ଟେର୍‌ ପାଇପାରିନାହିଁ । ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଫିସରମାନେ ବୋର୍ଡ କାର୍ଯ୍ୟାଳୟ କର୍ମଚାରୀଙ୍କୁ ତନ୍ନ ତନ୍ନ କରି ପଚରାଉଚରା କରିସାରିଲେଣି । ତଦନ୍ତକାରୀ ଟିମ୍‌ ପ୍ରଶ୍ନପତ୍ର ଜବତ କରିବା ସହିତ ଅନ୍ୟ କାଗଜପତ୍ର ସଂଗ୍ରହ କରି ଛାନ୍‌ଭିନ୍‌ ଚଳାଇଛନ୍ତି । ମାତ୍ର ଫଳ ଶୂନ । ଲିକ୍‌ ହୋଇଥିବା ପ୍ରଶ୍ନ ଇଂରାଜୀରୁ ଓଡ଼ିଆକୁ ଅନୁବାଦ ହୋଇ ହାତରେ ଲେଖାଯାଇ ଭାଇରାଲ୍‌ କରାଯାଇଛି । ତଦନ୍ତରୁ ସୁରାକ ମିଳୁଛି କି ପ୍ରଶ୍ନପତ୍ରର ଇଂରାଜୀ ଭାଷାରେ ଲେଖା ଅଂଶକୁ ଗୁଗଲ୍‌ ଟ୍ରାନ୍ସଲେଟ୍‌ କରି ଓଡ଼ିଆ ଅକ୍ଷରରେ ପ୍ରଶ୍ନ ଓ ତାର ଉତ୍ତର ହାତରେ ଲେଖି ତାହାକୁ ପ୍ରଘଟ କରାଯାଇଛି । ୩ ଦିନର ତଦନ୍ତ ପରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌କୁ ଏତିକି ମାତ୍ର ତଥ୍ୟ ମିଳିଛି । ଏଣୁ ଏବେ ବୋର୍ଡ କାର୍ଯ୍ୟାଳୟଠୁ ଆରମ୍ଭ କରି ଯେଉଁଠାରେ ପ୍ରଶ୍ନପତ୍ର ଛପାଯାଇଛି ସେ ଫାର୍ମ ବି ସନ୍ଦେହ ଘେରରେ ।  ପ୍ରଶ୍ନପତ୍ର ପ୍ରସ୍ତୁତକାରୀ ଫାର୍ମ ଉପରେ ସନ୍ଦେହ ଆସୁଥିବାରୁ କ୍ରାଇମ୍‌ବ୍ରାଞ୍ଚ ରାଜ୍ୟ ବାହାରର ସମ୍ପୃକ୍ତ ସଂସ୍ଥାକୁ ତଦନ୍ତ ପରିସରକୁ ଆଣିବ ବୋଲି ସୂଚନା ମିଳିଛି । 

ଅନ୍ୟପକ୍ଷରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ପ୍ରଶ୍ନର ମୂଳ ଉତ୍ପତ୍ତିସ୍ଥଳରେ ବି କ୍ରାଇମବ୍ରାଞ୍ଚ୍‌ ପହଞ୍ଚିବାକୁ ଚେଷ୍ଟା କରୁଛି । ଭାଇରାଲ୍‌ ହୋଇଥିବା ମୂଳ ଆଇଡିକୁ ଠାବ କରି ପ୍ରଶ୍ନ କେଉଁଠୁ ଓ କିପରି ପ୍ରଥମେ ଆସିଲା ତାହା ଜାଣିବା ପାଇଁ ତଦନ୍ତକାରୀ ସଂସ୍ଥା ଅନୁସନ୍ଧାନ ଚଳାଇଛି । ଓଟିଇଟି ପାଇଁ ପେପର୍‌-୧ ଓ ପେପର୍‌-୨ରେ ୧ ନମ୍ବର ବିଶିଷ୍ଟ ୧୫୦ଟି ଲେଖାଏଁ ପ୍ରଶ୍ନ ରହିଛି । ସମସ୍ତ ପ୍ରଶ୍ନ ରାଜ୍ୟ ବାହାରର ଏକ ପ୍ରମୁଖ ପ୍ରଶ୍ନପତ୍ର ପ୍ରସ୍ତୁତକାରୀ ଫାର୍ମରେ ଛପା ହୋଇଛି । ପେପର-୧ରେ ୫ଟି ବିଷୟ ଯଥା ପେଡାଗୁଜି, ସାହିତ୍ୟ, ଇଂରାଜୀ, ଗଣିତ ଓ ପରିବେଶ ବିଜ୍ଞାନରେ ୩୦ ନମ୍ବର ଲେଖାଏଁ ପ୍ରଶ୍ନ ରହିଛି । ସେହିପରି ପେପର୍‌-୨ରେ କଳା ଓ ବିଜ୍ଞାନ ପରୀକ୍ଷାର୍ଥୀଙ୍କ ପାଇଁ ପେଡାଗୁଜି, ସାହିତ୍ୟ, ଇଂରାଜୀ ପ୍ରଶ୍ନ ପାଟର୍ନ ସମାନ ରହିଛି । ମାତ୍ର କଳା(ଆର୍ଟସ୍‌)ପରୀକ୍ଷାର୍ଥୀଙ୍କ ପାଇଁ ଇତିହାସ ଓ ଭୂଗୋଳ ପ୍ରଶ୍ନ ଏବଂ ବିଜ୍ଞାନ ଷ୍ଟ୍ରିମ୍‌ ପାଇଁ ଗଣିତ ଓ ବିଜ୍ଞାନ ୩୦ ନମ୍ବର ଲେଖାଏଁ ପୃଥକ ପ୍ରଶ୍ନ ରହିଛି । ଉଭୟ ପେପର୍‌ରେ ୫ଟି ବିଷୟରେ ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ରରୁ କେବଳ ସାହିତ୍ୟ ପ୍ରଶ୍ନରେ ଓଡ଼ିଆ ଭାଷା ସହ ବେଙ୍ଗଲି, ତେଲୁଗୁ, ହିନ୍ଦୀ, ଉର୍ଦ୍ଦୁ ଭାଷାରେ ପ୍ରଶ୍ନ ରହିଥିବା ବେଳେ ଇଂରାଜୀକୁ ଛାଡ଼ି ବାକି ଅନ୍ୟ ୩ଟି ବିଷୟରେ ପ୍ରଶ୍ନଗୁଡ଼ିକ ଓଡ଼ିଆ ଓ ଇଂରାଜୀ ଲେଖା ରହିଛି । ପେପର-୧ ରେ ପେଡାଗୁଜି, ଗଣିତ, ପରିବେଶ ବିଜ୍ଞାନ ପ୍ରଶ୍ନ ଲିକ୍‌ ହୋଇଛି । ଲିକ୍‌ ହୋଇଥିବା ପ୍ରଶ୍ନରୁ ଇଂରାଜୀ ଅକ୍ଷରରେ ଲେଖା ହୋଇଥିବା ପ୍ରଶ୍ନ ହିଁ ପ୍ରଘଟ ହୋଇଛି । ତେବେ ସେସବୁ ପ୍ରଶ୍ନକୁ ଗୁଗଲ୍‌ ଟ୍ରାନ୍ସଲେସନ୍‌ ଦ୍ୱାରା ଓଡ଼ିଆକୁ ଅନୁବାଦ କରାଯାଇଥିବା ଅନୁସନ୍ଧାନରୁ ଜଣାଯାଇଛି । 

ପ୍ରଶ୍ନ ସହ ଉତ୍ତର ଅବିକଳ ଓଡ଼ିଆରେ ଲେଖା ନହୋଇ ଖଣ୍ଡି ଓଡ଼ିଆରେ ଲେଖା ଥିବାରୁ ଏହାକୁ ନେଇ ସନ୍ଦେହ ବଢ଼ିଛି । ପ୍ରଶ୍ନ ପ୍ରସ୍ତୁତକାରୀ ସଂସ୍ଥା ରାଜ୍ୟ ବାହାରର ହୋଇଥିବାରୁ ଏ ଲିକ୍‌ କାରବାରରେ କେହି ଅଣଓଡ଼ିଆ ବ୍ୟକ୍ତି ସାମିଲ୍‌ ଥାଇ କେଳେଙ୍କାରୀ କରିଥିବା ସନ୍ଦେହ କରାଯାଉଛି । ପୂରା ଘଟଣାକୁ ନେଇ ବୋର୍ଡରେ ଏବେ ଭାଳେଣି ପଡ଼ିଛି । ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷା ଭିତରୁ ପୂର୍ବରୁ ମାଟ୍ରିକ୍‌ ପରୀକ୍ଷାରେ ମଧ୍ୟ ଅନେକ ଥର ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ୍‌ ହୋଇଛି । କାକଟପୁର ଅଞ୍ଚଳର ଏକ ବିଦ୍ୟାଳୟରେ ଆଲମିରା ଭାଙ୍ଗି ମାଟ୍ରିକ୍‌ ପ୍ରଶ୍ନପତ୍ର ଥରେ ଚୋରି ହୋଇ ପ୍ରଘଟ ହୋଇଥିଲା । ସେହିପରି ୨୦୧୨, ୨୦୧୮, ୨୦୨୩ରେ ଏକାଧିକ ବାର ପ୍ରଶ୍ନପତ୍ର ଭାଇରାଲ୍‌ ହେବାର ଅଭିଯୋଗ ଉଠିବାରୁ କ୍ରାଇମ୍‌ବ୍ରାଞ୍ଚ ଏହାର ତଦନ୍ତ କରିଥିଲା । ସେତେବେଳେ ବି କ୍ରାଇମବ୍ରାଞ୍ଚ ବୋର୍ଡ କର୍ମଚାରୀଙ୍କଠାରୁ ଆରମ୍ଭ କରି କେତେକ ଶିକ୍ଷକଙ୍କୁ ଡାକି ପଚରାଉଚରା କରିଥିଲା । ହେଲେ ପ୍ରଘଟକାରୀଙ୍କୁ ଠାବ କରିପାରି ନଥିଲା । ଏଣୁ ପୂର୍ବ ପ୍ରଶ୍ନପତ୍ର ଲିକ୍‌ ଘଟଣା ପରି ଏଥର ବି ସ୍ପେସାଲ୍‌ ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣାରେ କ୍ରାଇମବ୍ରାଞ୍ଚକୁ କେତେଦୂର ସଫଳତା ମିଳୁଛି ସେନେଇ ଶିକ୍ଷାବିତ୍‌ମାନେ ସନ୍ଦେହରେ ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.