ନୂଆ ହାଇପରସୋନିକ୍ ମିସାଇଲ୍ ନିର୍ମାଣ କରୁଛି ରୁଷ, ବେଲାରୁଷରେ କରିବ ମୁତୟନ

Published By : Prameya-News7 Bureau | August 02, 2025 IST

ନୂଆଦିଲ୍ଲୀ: ରୁଷ ନିଜର ନୂତନ ପିଢିର ହାଇପରସୋନିକ ମିସାଇଲ୍ ଓରେସନିକର ଅଧିକ ଉତ୍ପାଦନ ଆରମ୍ଭ କରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ସହଯୋଗୀ ଦେଶ ବେଲାରୁଷରେ ମୁତୟନ କରିବ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଏହି ଘୋଷଣା କରିଛନ୍ତି । ସେଣ୍ଟ ପିରର୍ସବର୍ଗ ନିକଟସ୍ଥ ବଲାମ ଦ୍ୱୀପରେ ବେଲାରୁଷ ରାଷ୍ଟ୍ରପତି ଆଲେକ୍ସଜାଣ୍ଡର ଲୁକାସେଙ୍କୋଙ୍କ ସହ ବୈଠକ ବେଳେ ଏହି ସୂଚନା ଦେଇଛନ୍ତି ।

ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ଓରେସନିକ କ୍ଷେପଣାସ୍ତ୍ର ମୁତୟନ ପାଇଁ ରୁଷ ସେନା ପୂର୍ବରୁ ହିଁ ବେଲାରୁଷରେ ସ୍ଥାନ ଚିହ୍ନଟ କରିସାରିଛି । ସେ କହିଛନ୍ତି, ଏବେ ପୂରା ପ୍ରସ୍ତୁତି ଚାଲିଛି ଓ ବର୍ଷ ଶେଷ ପୂର୍ବରୁ କାମ ପୂରା ହୋଇଯିବ । ପୁଟିନ ଏହା ବି କହିଛନ୍ତି ଯେ ଓରେସନିକ କ୍ଷେପଣାସ୍ତ୍ରର ପ୍ରଥମ ୟୁନିଟ୍ ପ୍ରସ୍ତୁତ ହୋଇସାରିଛି ଓ ସେନାରେ ଏହାକୁ ସାମଲ କରାସରିଛି । 

ଗତ ବର୍ଷ ନଭେମ୍ୱରରେ ରୁଷ ସେନା ପ୍ରଥମେ ଏହି ମିସାଇଲକୁ ୟୁକ୍ରେନ ବିରୁଦ୍ଧରେ ପ୍ରୟୋଗ କରିଥିଲା । ଏହାକୁ ୟୁକ୍ରେନ ସହ ନିପ୍ରୋରେ ଏକ ମିସାଇଲ୍ ଫ୍ୟାକ୍ଟ୍ରି ଉପରେ ମାଡ଼ କରାଯାଇଥିଲା । ଏହି ଫ୍ୟାକ୍ଟ୍ରିରେ ସୋଭିଏତ୍ ସଂଘ ସମୟରେ ମିସାଇଲ୍ ନିର୍ମାଣ କରାଯାଉଥିଲା । ଓରେସନିକର କ୍ଷମତାକୁ ପ୍ରଶଂସା କରି ପୁଟିନ କହିଛନ୍ତି, ଏହାର ଅନେକ ୱାରହେଡକୁ ରୋକିବା ଅସମ୍ଭବ, କାରଣ ଏହା ଏକାସଙ୍ଗରେ ଦ୍ରୁତ ଗତିରେ ଟାର୍ଗେଟ୍ ଉପରେ ପଡ଼ିଥାଏ । ଯଦି ଏକାସଙ୍ଗରେ ଅନେକ ମିସାଇଲ୍ ମାଡ଼ କରାଯାଏ, ତେବେ ଏହି ପାରମ୍ପାରିକ ଆକ୍ରମଣ ବି ପରମାଣୁ ଆକ୍ରମଣ ପରି ବିନାଶକାରୀ ହୋଇପାରେ ।

ଏହା ସହ ସେ ପାଶ୍ଚ୍ୟାତ ଦେଶଗୁଡ଼ିକୁ ମଧ୍ୟ ଚେତାବନୀ ଦେଇଛନ୍ତି । ଯଦି ନାଟୋର କୌଣସି ସଦସ୍ୟ ଦେଶ ରୁଷ ଭିତରେ ଆକ୍ରମଣ କରିବା ପାଇଁ ୟୁକ୍ରେନକୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦିଅନ୍ତି, ତେବେ ରୁଷ ଏହି ମିସାଇଲକୁ ପ୍ରୟୋଗ କରିବ । ରୁଷ ସେନାର ମିସାଇଲ୍ ନିୟନ୍ତ୍ରଣ ବିଭାଗର ମୁଖ୍ୟ କହିଛନ୍ତି ଯେ ଓରେସନିକ ମିସାଇଲ୍ ପାରମ୍ପାରିକ ଓ ପରମାଣୁ ଅସ୍ତ୍ର ନେବାରେ ସକ୍ଷମ ଅଟେ । ଏହାର ରେଞ୍ଜ ଏତେ ଅଧିକ ଯେ ୟୁରୋପର ଯେକୌଣସି ସ୍ଥାନକୁ ଟାର୍ଗେଟ୍ କରାଯାଇପାରିବ । ଏହି ମିସାଇଲ୍ ୫୦୦ରୁ ୫,୫୦୦ କିଲୋମିଟର ଦୂର ଯାଏ ଲକ୍ଷ୍ୟ ଭେଦ କରିପାରିବ । ପୂର୍ବରୁ ଏକ ଚୁକ୍ତି ଅନୁସାରେ ଏହା ଉପରେ କଟକଣା ଥିଲା, କିନ୍ତୁ ଆମେରିକା ଓ ରୁଷ ୨୦୧୯ରେ ଏହି ସନ୍ଧିକୁ ରଦ୍ଦ କରିଥିଲେ ।

୨୦୨୪ରେ ପୁଟିନ ଓ ବେଲାରୁଷ ରାଷ୍ଟ୍ରପତି ଲୁକାସେଙ୍କୋଙ୍କ ମଧ୍ୟରେ ଏକ ସୁରକ୍ଷା ବୁଝାମଣା ହୋଇଥିଲା । ଏଥିରେ ବେଲାରୁଷର ସୁରକ୍ଷା ଦାୟିତ୍ୱ ରୁଷ ନେଇଥିଲା । ଏପରି କି ଆବଶ୍ୟକ ସ୍ଥଳେ ପରମାଣୁ ହତିଆର ବ୍ୟବହାର ବି ଭରସା ଦେଇଥିଲା । ଚୁକ୍ତ ପରେ ରୁଷ ନିଜ ପରମାଣୁ ନୀତିରେ ପରିବର୍ତ୍ତନ କରିଥିଲା । ପ୍ରଥମ ଥର ପାଇଁ ବେଲାରୁଷକୁ ନିଜ ପରାମଣୁ ସୁରକ୍ଷା କବଚରେ ସାମିଲ କରିଥିଲା । ବେଲାରୁଷରେ ଲୁୟାସେଙ୍କୋଙ୍କ ଶାସନ ରୁଷର ଆର୍ଥିକ ଓ ରାଜନୀତିକ ସାହାଯ୍ୟ ଉପରେ ନିର୍ଭର । ୨୦୨୨ରେ ନିଜ ଭୂମିରୁ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ରୁଷ ସୈନିକଙ୍କୁ ବେଲାରୁଷ ଅନୁମତି ଦେଇଥିଲା । ଏହାପରେ ରୁଷର କିଛି ପରମାଣୁ ଅସ୍ତ୍ରକୁ ବି ବେଲାରୁଷ ନିଜ ପାଖରେ ରଖିଛି । ୟୁକ୍ରେନ ସହ ବେଲାରୁଷ ୧୦୮୪ କିଲୋମିଟର ସୀମା ସେୟାର କରୁଛି । ରଣନୀତିକ ଦୃଷ୍ଟିରୁ ଏହା ରୁଷ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ସ୍ଥାନରୁ ରୁଷ ଯେତେବେଳେ ଚାହିଁବ ୟୁକ୍ରେନ ଓ ପୂର୍ବ ୟୁରୋପରେ ନାଟୋ ଦେଶ ଉପରେ ଆକ୍ରମଣ କରିପାରିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.