ରଥଯାତ୍ରା ପାଇଁ ପୁରୀ ପୋଲିସର ମକ୍‌ଡ୍ରିଲ୍ : ରଥ ଟଣା, ଭିଡ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷାର ଅଭ୍ୟାସ

Published By : Prameya-News7 Bureau | June 25, 2025 IST

ପୁରୀ ୨୫।୬: ଆଉ ଦିନକ ପରେ ମହାପ୍ରଭୁଙ୍କର‌ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଅଘଟଣ ମୁକ୍ତ ରଥଯାତ୍ରା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରଥଯାତ୍ରା ଅବସରରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରଥଯାତ୍ରା ପାଇଁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆ ଠାରେ ରଥଟଣାର ମକଡ୍ରିଲ କରାଯାଇଛି । ବିଶେଷ କରି ତିନି ରଥର ସୁରକ୍ଷା, ରଥର ଇନର୍ ଓ ଆଉଟର କର୍ଡନ, ଜେନେରାଲ କର୍ଡନ ଦାୟିତ୍ବରେ ଯେଉଁ ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ ସେମାନଙ୍କୁ ନେଇ ହିଁ ଏହି ମକଡ୍ରିଲ କରାଯାଇଥିଲା। ଏଡିଜି ସଞ୍ଜୟ କୁମାର ନିଜେ ଏହି ମକଡ୍ରିଲର ସମୀକ୍ଷା କରିଥିଲେ। ରଥଯାତ୍ରା ଭଳି ଅବିକଳ ରଥଟଣାର ଡେମୋ କରାଯାଇଥିଲା। ତିନୋଟି ପୁଲିସ ଜିପ୍‌କୁ  ତିନୋଟି ରଥ ଭାବେ ନିଆଯାଇ କର୍ଡନ ମଧ୍ୟରେ କରାଯାଇଥିଲା ରଥଟଣା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ଵଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣି ଅଭ୍ୟାସ କରିଥିଲେ। ଭିଡ ଭିତରେ ରଥ ଗୁଡିକ କିଭଳି ଟଣାଯିବ, ଇନର ଓ ଆଉଟର କର୍ଡନ କିଭଳି ରହିବ ଓ ମାଜିଷ୍ଟ୍ରେଟଙ୍କ ଦ୍ବାରା ରଥ କିଭଳି ନିୟନ୍ତ୍ରଣ କରାଯିବ ତାହାର ଅଭ୍ୟାସ ଓ ପ୍ରଶିକ୍ଷଣ କରାଯାଇଛି।

ସେହିପରି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରେଳବାଇ ପକ୍ଷରୁ ହୋଇଥିବା ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୂର୍ବତଟ ରେଳପଥର ଜିଏମ୍ ପରମେଶ୍ବର ଫୁନକ୍ୱାଲ୍। ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ଷ୍ଟେସନରେ ଯାତ୍ରୀ ଓ୍ବେଟିଙ୍ଗ ରୁମ୍ ଓ ପ୍ରବେଶ, ପ୍ରସ୍ଥାନ ପଏଣ୍ଟକୁ ସମ୍ପ୍ରସାରଣ କରାଯାଇଛି। ଲାଇଟ୍, ଫ୍ୟାନ, ପାନୀୟ ଜଳ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ପ୍ରସ୍ତୁତିକୁ ଚୂଡାନ୍ତ କରାଯାଇଛି। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ୨୫୦ ସିସିଟିଭି କ୍ୟାମେରା ସହ ଯାତ୍ରୀ ଗାଡ଼ି ସଞ୍ଚାଳନ ପାଇଁ କଣ୍ଟ୍ରୋଲ ରୁମ୍ ରହିଛି । 

ନିୟମିତ ଟ୍ରେନ ବ୍ୟତୀତ ୩୬୫ଟି ଅତିରିକ୍ତ ଟ୍ରେନ ଗଡିବାକୁ ବ୍ୟବସ୍ଥା ହୋଇଛି। ଏଥିସହ ଦୁଇଟି ଷ୍ଟଲରେ ୨୪ ଘଣ୍ଟିଆ ଡାକ୍ତରୀ ସେବା ସହିତ ଫାୟାର ଓ ଆମ୍ବୁଲାନ୍ସ ମହଜୁଦ ରହିଛନ୍ତି । ରେଳ ଷ୍ଟେସନରେ ସୁରକ୍ଷା ଦୃଷ୍ଟିକୋଣରୁ ୧୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଜଣେ ଏସ୍‌ପି ପାହ୍ୟା ଓ ଅନ୍ୟ ୩ଜଣ ଅତିରିକ୍ତ ଏସ୍‌ପି ପାହ୍ୟା ଅଧିକାରୀ ସୁରକ୍ଷା ଦାୟିତ୍ଵରେ ରହିଛନ୍ତି। ୨୫୦ ସିସିଟିଭିରୁ ମିଳୁଥିବା ଫିଡ୍ ମାଧ୍ୟମରେ କଣ୍ଟ୍ରୋଲ ରୁମ୍‌ରୁ ସୁରକ୍ଷା ଉପରେ ନଜର ରଖିବାକୁ ବ୍ୟବସ୍ଥା ହୋଇଛି। ସେପଟେ ପୁରୀ ସମୁଦ୍ର କୂଳରେ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ, ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ମକଡ୍ରିଲ କରାଯାଇଛି। ଲାଇଫଗାର୍ଡ ମାନଙ୍କୁ ମକଡ୍ରିଲ ସାହାଯ୍ୟରେ ପ୍ରଶିକ୍ଷଣ ଦିଆଯାଇଛି। ସମୁଦ୍ର କୂଳରେ ୩୫୦ ଲାଇଫ ଗାର୍ଡ ମୁତୟନ ହୋଇଥିବା ବେଳେ ପେଣ୍ଠକଟା ଠାରୁ ଷ୍ଟ୍ରିଲିଙ୍ଗ ରୋଡ ବେଳାଭୂମି ପର୍ଯ୍ୟନ୍ତ ଏହି ଲାଇଫ ଗାର୍ଡ ସୁରକ୍ଷା ଦାୟିତ୍ବରେ ରହିବେ। 

ରଥଯାତ୍ରାରେ ୨୦୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବାବେଳେ ରାଜ୍ୟର ସବୁଠାରୁ ଏହା ବଡ ପୋଲିସ ସୁରକ୍ଷା ବ୍ୟବସ୍ଥା। ଉଭୟ ଜଳ, ସ୍ଥଳ ଓ ଆକାଶ ପଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

You Can Read:

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ନେତା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.