ଆୟୁଷ୍ମାନ ଯୋଜନାରୁ ଦୂରଉଛନ୍ତି ଘରୋଇ ହସ୍ପିଟାଲ, ଜାଣନ୍ତୁ କାରଣ କ’ଣ?

Published By : Prameya-News7 Bureau | June 02, 2025 IST

ନୂଆଦିଲ୍ଲୀ ୨।୬: ଆୟୁଷ୍ମାନ ଭାରତ- ପିଏମ ଜନ ଆରୋଗ୍ୟ (ଏବି-ପିଏମଜେଏୱାଇ) ଯୋଜନାରେ ହସ୍ପିଟାଲ  ପ୍ୟାନେଲରେ ତୀବ୍ର ହ୍ରାସ ଦେଖାଯାଉଛି। ନ୍ୟାସନାଲ ହେଲଥ୍ ଅଥରିଟି (ଏନଏଚଏ) ପକ୍ଷରୁ ଏହି ସ୍କିମର ଡ୍ୟାସବୋର୍ଡରେ ସେୟାର କରାଯାଇଥିବା ତଥ୍ୟରୁ ଜଣାପଡୁଛି ଯେ ମାତ୍ର ୪ ମାସରେ ସାରା ଦେଶରେ ଏବି-ପିଏମଜେଏୱାଇ ରେ ୪୪୩ ହସ୍ପିଟାଲ ପ୍ୟାନେଲରେ ସାମିଲ ଥିଲେ। ଏହା ପରେ ଜାନୁୟାରୀରେ ୧୬୧, ଫେବୃଆରୀରେ ୧୮୭, ମାର୍ଚ୍ଚରେ ୪୦ ଓ ଏପ୍ରିଲରେ ଆଉ ୫୫ଟି ହସ୍ପିଟାଲ ପ୍ୟାନେଲରେ ସାମିଲ ହୋଇଥିଲେ। 

ତେବେ ଏ ପର୍ଯ୍ୟନ୍ତ ମିଳୁଥିବା ଅପଡେଟରୁ ମେ ମାସ ୨୦ ତାରିଖ ସୁଦ୍ଧା ମାତ୍ର ଗୋଟିଏ ଘରୋଇ ହସ୍ପିଟାଲରେ ପ୍ୟାନେଲରେ ସାମିଲ ହୋଇଛି। ଏବି-ପିଏମଜେଏୱାଇରେ ସାରା ଦେଶର ୩୧,୯୧୬ଟି ହସ୍ପିଟାଲ ପ୍ୟାନେଲରେ ସାମିଲ ଅଛନ୍ତି। ଏଥିରୁ ୧୭,୪୪୦ଟି ସରକାରୀ ହସ୍ପିଟାଲ ହୋଇଥିବା ବେଳେ ୧୪,୪୭୬ଟି ଘରୋଇ ହସ୍ପିଟାଲ ଅଛନ୍ତି।ଏହି ସବୁ ହସ୍ପିଟାଲମାନଙ୍କରେ ଏ ପର୍ଯ୍ୟନ୍ତ ୮.୫୯ କୋଟି ରୋଗୀଙ୍କୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। 

ଅନେକ ସ୍ୱାସ୍ଥ୍ୟ ସେବା ସଂଘ କହିଛନ୍ତି ଯେ ପ୍ରାଇଭେଟ ସେକ୍ଟର ଖାସ କରି ବଡ଼ କର୍ପୋରେଟ ହସ୍ପିଟାଲ ଚେନ୍ କମ୍ ପ୍ୟାକେଜ ଦର ଓ ବିଳମ୍ବରେ ପୈଠ ଯୋଗୁ ଯୋଜନା ପ୍ରତି ଉଦାସିନତା ମନଭାବ ପ୍ରଦର୍ଶନ କରୁଛନ୍ତି। ତେବେ ଏନଏଚଏର ଏବି-ପିଏମଜେୱାଇ କାର୍ଯ୍ୟକାରୀ ଏଜେନ୍ସୀ ସମ୍ପର୍କିତ ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ୟାନେଲରେ ହସ୍ପିଟାଲଙ୍କ ସାମିଲ ପ୍ରକ୍ରିୟା ଜାରି ରହିଛି ଓ ହୋଇପାରେ ନୂଆ ପ୍ୟାନେଲ ଅପଡେଟ ହୋଇ ନାହିଁ। କାରଣ ସେମାନେ ଏକ ନୂଆ ପ୍ରଣାଳୀକୁ ମାଇଗ୍ରେଟ ହେଉଛନ୍ତି। 

କେବଳ ପଶ୍ଚିମବଙ୍ଗକୁ ଛାଡିଦେଲେ ଦେଶର ବାକି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଉପଲବ୍ଧ ଏବି-ପିଏମଜେଏୱାଇରେ ମେଡିକାଲ ଅନକୋଲଜି (କର୍କଟର ରୋଗ ଚିକିତ୍ସା), ଜରୁରିକାଳୀନ ଦେଖରେଖ, ଅର୍ଥୋପେଡିକ ଓ ୟୁରୋଲଜି ସମେତ ଅନ୍ୟ ରୋଗର ୨ ହଜାର ପ୍ରକ୍ରିୟା ନିମନ୍ତେ ପ୍ରତି ପରିବାର ୫ଲକ୍ଷ ଟଙ୍କା ଓ ବିଶେଷ କ୍ଷେତ୍ରରେ ଏହାଠାରୁ ବି ଅଧିକ ମୂଲ୍ୟରୁ ଚିକିତ୍ସା କରାଯାଉଛି। ଏହି ଯୋଜନାରେ ସଦ୍ୟତମ ସାମିଲ ରାଜ୍ୟ ନୂଆଦିଲ୍ଲୀ ଏକ ପ୍ରତିଷ୍ଠିତ ହସ୍ପିଟାଲ ଚେନ୍ ଙ୍କ ସିଇଓ ଟାଇମ୍ସ ଅଫ ଇଣ୍ଡିଆକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ ଏବି-ପିଏମଜେୱାଇରେ ଅଲଗା ଅଲଗା ପ୍ରକ୍ରିୟା ଲାଗି ଦିଆଯାଉଥିବା ପ୍ୟାକେଜ ଦର ସେମାନଙ୍କ ଇନପୁଟ ବ୍ୟୟଠାରୁ ଅନେକ କମ୍। 

ସେ କହିଛନ୍ତି ଯଦି ପ୍ୟାକେଜ ଦର ବଢା ଯାଏ ତେବେ ଆମେ ଯୋଜନାରେ ସାମିଲ ହୋଇ ପାରିବୁ। ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ମଧ୍ୟ ଅଧିକ  ଭଲ ଚିକିତ୍ସା ଯୋଗାଇ ଦେବାକୁ ପ୍ୟାକେଜ ଦର ବୃଦ୍ଧିର କଥା କହିଛନ୍ତି। ଆଇଏମଏର ଜନୈକ ପଦାଧିକାରୀ କହିଛନ୍ତି ଯେ ଏହି ଦରକୁ ଅନୁନ୍ୟ ସିଜିଏଚଏସ ସ୍ତର ପର୍ଯ୍ୟନ୍ତ ବଢାଯିବା ଦରକାର। ତେବେ ଏହା ପୂର୍ବରୁ ମାର୍ଚ୍ଚ ମାସରେ ସଂସଦରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଥିଲେ ଯେ ୨୦୧୮ରୁ ଏ ପର୍ଯ୍ୟନ୍ତ ୬୦୯ ପ୍ରାଇଭେଟ ହସ୍ପିଟାଲ ଏହି ଯୋଜନାରୁ ନିଜକୁ ଦୂରେଇ ନେଇଛନ୍ତି।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.