ଜମ୍ମୁ-କଶ୍ମୀରରୁ ଉଠିଲା ରାଷ୍ଟ୍ରପତି ଶାସନ; ନୂଆ ସରକାର ଗଠନ ନେଇ ଚାଲିଛି ପ୍ରସ୍ତୁତି

Published By : Prameya-News7 Bureau | October 14, 2024 IST

ଶ୍ରୀନଗର: ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରୁ ଉଠିଲା ରାଷ୍ଟ୍ରପତି ଶାସନ । ରବିବାର ବିଳମ୍ବିତ ରାତିରେ ଏହାକୁ ହଟାଇ ଦିଆଯାଇଛି । ୨୦୧୯ରେ ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରରେ ୭ ବର୍ଷ ୪ ମାସ ଧରି ରାଷ୍ଟ୍ରପତି ଶାସନ ଲାଗୁ ରହିଥିଲା । ଅକ୍ଟୋବର ୧୩ ତାରିଖ ବିଳମ୍ବିତ ରାତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏନେଇ ବିଜ୍ଞପ୍ତି ଜାରି କରିଥିଲା । ଉପ-ରାଜ୍ୟପାଳ ମନୋଜ ସିହ୍ନା ଏହାକୁ ଲାଗୁ କରୁଛନ୍ତି । ଫଳରେ ଏନସି ମେଣ୍ଟର ନୂତନ ସରକାର ଗଠନ ପାଇଁ ରାସ୍ତା ସଫା ହୋଇଛି । 

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସରିବା ପରେ ଏବେ ଏଠାରେ ନୂତନ ସରକାର ଗଠନ ପାଇଁ ଚାଲିଛି ପ୍ରସ୍ତୁତି । ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟୀ ହୋଇଛି । ନ୍ୟାସନାଲ କନଫରେନ୍ସକୁ ୪୯ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୯ଟି ସିଟ୍ ମିଳିଛି । ଆଜି ଅର୍ଥାତ୍ ସୋମବାର ନ୍ୟାସନାଲ କନଫରେନ୍ସର ବିଧାୟକ ଦଳ ନେତା ଓମାର ଅବଦ୍ଦୁଲା ମୁଖ୍ୟମନ୍ତ୍ରୀ ଭାବେ  ଶପଥ ଗ୍ରହଣ କରିପାରନ୍ତି । ସରକାର ଗଠନ ନେଇ ସମସ୍ତ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡ଼ିଛି   ।

ବିଧାନସଭା ନିର୍ବାଚନରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି ନ୍ୟାସନାଲ କନଫରେନ୍ସ । ଅନ୍ୟପଟେ ସ୍ୱାଧୀନ ବିଧାୟକଙ୍କର ସମର୍ଥନ ମିଳିବା ମାଧ୍ୟ ଆରମ୍ଭ ହୋଇଛି। ଜମ୍ମୁର ଚମ୍ବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତିଥିବା ସ୍ୱାଧୀନ ନେତା ସତୀଶ ଶର୍ମା ନ୍ୟାସନାଲ କନଫରେନ୍ସରେ ଯୋଗ ଦେଇଛନ୍ତି । ରବିବାର ଡୋଡାରେ ଏକ ରାଲିକୁ ସମ୍ବୋଧିତ କରି ଆପ୍ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାର ଗଠନରେ ଏନସିକୁ ପୂର୍ଣ୍ଣ ସମର୍ଥନ କରିବ।

୧୦ ବର୍ଷ ତଳେ ୨୦୧୪ରେ ଜମ୍ମୁ-କଶ୍ମୀରରେ ଶେଷ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା। ନିର୍ବାଚନ ପରେ ବିଜେପି ଓ ପିଡିପି ମେଣ୍ଟ ସରକାର ଗଠନ କରିଥିଲେ। କିନ୍ତୁ ୨୦୧୮ରେ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ଏବଂ ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସଂଖ୍ୟା ଗରିଷ୍ଠତା ନଥିବାରୁ ସରକାର ଭାଙ୍ଗିଯାଇଥିଲା। ସେବେଠାରୁ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.