ପୁରୁଣା ମାମଲାର ଶୁଣାଣି ନସରିବା ଯାଏ, ମନ୍ଦିର-ମସଜିଦ ସହ ଜଡ଼ିତ ନୂଆ କେସ୍ ରୁଜୁ ହେବନି...ୱରଶିପ୍ ଆକ୍ଟ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | December 12, 2024 IST

ନୂଆଦିଲ୍ଲୀ: ୱରଶିପ୍ ପ୍ଲେସ୍ ଆକ୍ଟ ୧୯୯୧ ବିରୋଧରେ ଦାଖଲ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଯେପର୍ଯ୍ୟନ୍ତ ଏହି ଯାଚିକାଗୁଡ଼ିକର ସମାଧାନ ନହୋଇଛି, ସେପେର୍ଯ୍ୟନ୍ତ ଦେଶରେ ଏହି ଆଇନ ଅଧିନରେ ନୂଆ ମୋକଦ୍ଦମା ରୁଜୁ କରାଯିବ ନାହିଁ । ଅର୍ଥାତ୍ ମସଜିଦ୍ ଉପରେ ଦାବି ନେଇ ନୂଆ କେସ୍ ଦାଖଲ ହେବ ନାହିଁ । ଏହି ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଦେଶ ଜାରି କରି ଏହି ଆକ୍ଟର କିଛି ପ୍ରାବଧାନକୁ ଚ୍ୟାଲେଞ୍ଜ କରୁଥିବା ଯାଚିକା ଉପରେ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି । ଚାରି ସପ୍ତାହ ଭିତରେ ଯାଚିକା ଉପରେ ଜବାବ ଦାଖଲ କରିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ଦ୍ୱାରା ଜବାବ ଦାଖଲ କରାଯିବା ପରେ ସମ୍ୱନ୍ଧିତ ପକ୍ଷଙ୍କୁ ପ୍ରତିଉତ୍ତର ଦାଖଲ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଚାରି ସପ୍ତାହ ସମୟ ଦେଇଛନ୍ତି । ମାମଲାରେ ହସ୍ତକ୍ଷେପ ଅନୁରୋଧ କରିଥିବା ମୁସଲମାନ ସଂଗଠନ ଏବଂ ବିଭିନ୍ନ ପକ୍ଷକାରଙ୍କ ଆବେଦନ ମଧ୍ୟ ସ୍ୱୀକାର କରିଛନ୍ତି । ଶୀର୍ଷ ଅଦାଲତ କହିଛନ୍ତି ପରବର୍ତ୍ତୀ ଆଦେଶ ଯାଏ ସର୍ଭେକ୍ଷଣ ପାଇଁ କୌଣସି ନୂଆ ମୋକଦ୍ଦମା କୌଣସି ଅଦାଲତରେ ପଞ୍ଜିକୃତ କରାଯିବ ନାହିଁ । ଏହା ବ୍ୟତୀତ ପରବର୍ତ୍ତୀ ଅଦେଶ ଯାଏ ବିଚାରଧୀନ ମୋକଦ୍ଦମାରେ କୋର୍ଟ କୌଣସି ପ୍ରଭାବୀ ଅନ୍ତରୀଣ କିମ୍ୱା ଚୂଡ଼ାନ୍ତ ରାୟ ପାରିତ କରିବେ ନାହିଁ ।

ସୁପ୍ରିମକୋର୍ଟ ପୂଜା ସ୍ଥାନ ଆକ୍ଟ ୧୯୯୧ର କିଛି ପ୍ରାବଧାନର ବୈଧତାକୁ ଚ୍ୟାଲେଞ୍ଜ କରିଥିବା ଜନସ୍ୱାର୍ଥ ଯାଚିକା ଉପରେ ଗୁରୁବାର ଶୁଣାଣି କରିଛନ୍ତି । ଏହି ଆଇନ ଅନୁସାରେ ୧୯୪୭ ଅଗଷ୍ଟ ୧୫ ସୁଦ୍ଧା ଦେଶରେ ଥିବା ପୂଜା ସ୍ଥାନଗୁଡ଼ିକର ସ୍ଥିତିରେ ପରିବର୍ତ୍ତନ ପାଇଁ କୌଣସି ଆବେଦନ କରିପାରିବେ ନାହିଁ । ସିଜେଆଇ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଏବଂ ଜଷ୍ଟିସ୍ ଭି.ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି ଯେ ମାମଲାର ନ୍ୟାୟାଳୟରେ ବିଚାରଧୀନ ରହିଛି । ଯେପର୍ଯ୍ୟନ୍ତ ଆମେ ମାମଲାର ଶୁଣାଣି ଏବଂ ରାୟ ନଦେଇଛୁ, ସେପର୍ଯ୍ୟନ୍ତ ଅନ୍ୟ କୌଣସି ମୋକଦ୍ଦମା ରୁଜୁ ହେବ ନାହିଁ ।

ଏହି ମାମଲା ସହ ଜଡିତ ଅନେକ ଯାଚିକା ବିଚାରଧୀନ ରହିଛି । ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟୟ ଦାଖଲ କରିଥିବା ଆବେଦନରେ ୱରଶିପ୍ ପ୍ଲେସ୍ ଆକ୍ଟ ୧୯୯୧ର ଧାରା ୨, ୩ ଏବଂ ୪କୁ ରଦ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି । ଆବେଦନରେ ଦିଆଯାଇଥିବା ଗୋଟିଏ ଯୁକ୍ତି ହେଉଛି ଏହି ପ୍ରାବଧାନ କୌଣସି ବ୍ୟକ୍ତି କିମ୍ୱା ଧାର୍ମିକ ସମୁଦାୟର ପୂଜା ସ୍ଥାନ ଉପରେ ପୁନଃ ଦାବି କରିବାର ନ୍ୟାୟିକ ଅଧିକାରକୁ ଛଡ଼ାଇ ନେଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.