ସଂସଦର ମୌସୁମୀ ଅଧିବେଶନକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

Published By : Prameya-News7 Bureau | July 12, 2025 IST

ନୂଆଦିଲ୍ଲୀ ୧୨।୭: ସଂସଦର ୨୧ ଜୁଲାଇରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ମୌସୁମୀ ଅଧିବେଶନ ପ୍ରସ୍ତାବକୁ ରାଷ୍ଚ୍ରପତିଙ୍କ ମଞ୍ଜୁରୀ ମିଳିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ରାଜ୍ୟସଭାରେ ମଲ୍ଲିକାର୍ଜୁନ ଖଡଗେ ସରକାରଙ୍କୁ ଘେରିବା ପାଇଁ ପୁରା ପ୍ରସ୍ତୁତି କରିସାରିଲେଣି। ଅପରେସନ ସିନ୍ଦୂରକୁ ନେଇ ରାହୁଲ ଗାନ୍ଧି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସରେଣ୍ଡର ବୋଲି କହିସାରିଛନ୍ତି। ଏଣୁ ସଂସଦର ଆଗାମୀ ଅଧିବେଶନରେ ବିରୋଧୀ ହଙ୍ଗାମା କରିବୋ ବୋଲି ସୂଚନା ମିଳିଲାଣି।   

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ସଂସଦ ୨୧ ଜୁଲାଇରୁ ଆରମ୍ଭ ହେଉଥିବା ସୂଚନା ଦେଇଛନ୍ତି। ଏଥି ପାଇଁ ସେ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ୧୩ ଓ ୧୪ ଅଗଷ୍ଟରେ ସଂସଦର ବୈଠକ ବନ୍ଦ ରହିବ ଓ ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନତା ଦିବସ ପାଳିବ ବୋଲି ଉଲ୍ଲେଖ କରିଛନ୍ତି। ସଂସଦର ମୌସୁମୀ ଅଧିବେଶନରେ ଅପରେସନ ସିନ୍ଦୂର ଜ୍ୱଳନ୍ତ ପ୍ରସଙ୍ଗ ପାଲଟିବ। ଏହାକୁ ନେଇ ବିପକ୍ଷ ସରକାରଙ୍କୁ ଘେରିବା ପାଇଁ ପୂରା ପ୍ରସ୍ତୁତି କରିଛନ୍ତି। 

ସେହିପରି କଂଗ୍ରେସ ପାର୍ଟିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁନ ୧୨ ତାରିଖରେ ହୋଇଥିବା ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଓ ଗଣମାଧ୍ୟମରେ ଆସୁଥିବା ଏହାର ଯାଞ୍ଚ ରିପୋର୍ଟକୁ ନେଇ ସରକାରଙ୍କୁ କାଠଗଡ଼ାରେ ଛିଡା କରିବେ ବୋଲି କହିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ଦୁର୍ଘଟଣା ଏକ ବଡ଼ ପ୍ରସଙ୍ଗ। ଏଥିରେ ୨୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାର ଯାଞ୍ଚ ରିପୋର୍ଟ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। 

ସଂସଦର ମୌସୁମୀ ଅଧିବେଶନରେ ଏଲହାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ୟଶବନ୍ତ ବର୍ମାଙ୍କ ବିରୋଧରେ ସରକାର ମହାଭିଯୋଗ ପ୍ରସ୍ତାବ ଆଣି ପାରନ୍ତି। ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଏଥି ପାଇଁ ପ୍ରସ୍ତୁତି କରୁଛି। ଏହା ଛଡା ଏବେ ବିଭିନ୍ନ ମନ୍ତ୍ରାଳୟ ସାଂସଦମାନଙ୍କ ତାରାଙ୍କିତ ପ୍ରଶ୍ନର ଉତ୍ତର ପ୍ରସ୍ତୁତିରେ ଲାଗିଛନ୍ତି। ସେହିପରି ସରକାର ମୌସୁମୀ ଅଧିବେଶନ କାଳରେ ୧୨ରୁ ଅଧିକ ବିଧେୟକ ଉପସ୍ଥାପନ କରିପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ସରକାର ଜୁନ ପ୍ରଥମ ସପ୍ତାହରେ ୨୧ ଜୁଲାଇ ସଂସଦ ଅଧିବେଶନ ପାଇଁ ପ୍ରସ୍ତାବ ପଠାଇଥିଲେ। ଏହି ପ୍ରସ୍ତାବରେ ସଂସଦ ୨୧ ଜୁଲାଇରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ଏବେ ଏହାକୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.