ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ : ପ୍ରଥା ଓ ପରମ୍ପରା ଅନୁଯାୟୀ କରାଗଲା ୩ ରଥର ଦକ୍ଷିଣ ମୋଡ

Published By : Prameya-News7 Bureau | July 02, 2025 IST

ପୁରୀ ୨।୭: ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି । ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ।ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ସମସ୍ତ ନୀତିକାନ୍ତି ସରି ସକାଳ ଧୂପ ସରିବା ପରେ ଘଣ୍ଟ, କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନି ରଥ ନିକଟକୁ ଆସିଥିଲେ । ଏହାପରେ ଆରମ୍ଭ ହୋଇଥିଲା ରଥ ଟଣା । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା । ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡି ସଂଯୋଗ କରାଯାଇଥିଲା। ରାସ୍ତା ଦୁଇ ପାର୍ଶ୍ଵରେ ଦକ୍ଷିଣ ମୋଡ ପାଇଁ ଅସ୍ଥାୟୀ ବାଲି ବସ୍ତା ବିଛାଯାଇଥିଲା। ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀଙ୍କ ଦ୍ବାରା ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ପରେ ବଳଭଦ୍ରଙ୍କ ରଥ ଦକ୍ଷିଣମୋଡ଼ ହୋଇଥିଲା। 
ଦର୍ପଦଳନ ପରେ ତାଳଧ୍ଵଜ ରଥର ଦକ୍ଷିଣ ମୋଡ କରାଯାଇଥିଲା। ଆରକ୍ଷୀ ବାହିନୀ ମହାପ୍ରଭୁଙ୍କ ତିନି ରଥକୁ ଦକ୍ଷିଣମୋଡ କରିବାରେ ସାମିଲ ହୋଇଛନ୍ତି। ଏହା ବାହୁଡା ଯାତ୍ରାର ଅୟମାରମ୍ଭ। ଆସନ୍ତା ୪ ତାରିଖରେ ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ। ଏହି ଅବସରରେ ପ୍ରବଳ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ଜମିବ ଗୁଣ୍ଡିଚା ମନ୍ଦିରରେ। ୫ ତାରିଖ ବାହୁଡା଼ ଯାତ୍ରା ପାଇଁ ଶୀଘ୍ର ସମସ୍ତ ନୀତିକାନ୍ତି କରାଯିବ। ବାହୁଡା଼ ଯାତ୍ରା ପରଦିନ ସୁନାବେଶ ହେବାକୁ ଥିବାରୁ ଠାକୁରଙ୍କ ସଅଳ ନୀତିକାନ୍ତି କିଭଳି କରାଯିବ ସେନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତ ସେବାୟତ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସୁନାବେଶ ପାଇଁ ସମସ୍ତ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିବା ବେଳେ ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ସୁନାବେଶ କରିବା ନେଇ ଆଲୋଚନା ହୋଇଛି । ରଥ ଦକ୍ଷିଣ ମୋଡ଼ ସମୟରେ ରଥ ଦଉଡ଼ି ଟାଣିବା ପାଇଁ ଭକ୍ତ, ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଥିଲା ।

You Can Read:

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାହୁଡା ଯାତ୍ରା ସମୀକ୍ଷା ଓ ସେବାୟତଙ୍କ ସହ ଆଲୋଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.