ନୂଆଦିଲ୍ଲୀ - ଗୋଟେପଟେ ସମସ୍ତେ ଏଆଇକୁ ନେଇ ଉତ୍ସାହିତ ଥିବା ବେଳେ , ଆଉଗୋଟେ ପଟେ ଏହି ଟେକ୍ନୋଲଜି ଏକ ଅବିଶ୍ୱସନୀୟ ଜିନିଷ ଆଡ଼କୁ ପାଦ ବଢାଇଛି। ଚୀନର ବୈଜ୍ଞାନିକଙ୍କ ଅନୁସାରେ , ପ୍ରଥମ ହୁମାନଏଡ୍ ରୋବୋଟ ଜୀବିତ ଶିଶୁକୁ ଜନ୍ମ ଦେବାକୁ ଯାଉଛି , ଯାହାକି ଆମର ଭାବନାର ବାହାରେ ବାସ୍ତବିକତାର ନିକଟତର ହେବାକୁ ଯାଉଛି। ମାନବତାର ପ୍ରଥମ ଆଇଭିଏଫ୍ ଶିଶୁ ୫୦ ବର୍ଷରୁ ମଧ୍ୟ କମ୍ ସମୟ ପୂର୍ବେ ଜନ୍ମ ହୋଇଥିଲା , ଏହା କହିବା ଉଚିତ ହେବ ଯେ ଟେକ୍ନୋଲଜିର ଏହି ବଡ଼ ବିକାଶ ଆମର ଆଖି ସାମ୍ନାରେ ହିଁ ହେଉଛି।
ବିଶେଷଜ୍ଞଙ୍କ ଅନୁସାରେ, ଏହି ଟେକ୍ନୋଲଜି ଗର୍ଭଧାରଣ ଠାରୁ ନେଇ ପ୍ରସବ ଯାଏ ଗର୍ଭାବସ୍ଥାର ସଫଳତାପୂର୍ବକ ନକଲ କରିବାରେ ସକ୍ଷମ ହେବ। ହେଲେ ଏବେ ଏହା ବିକଶିତ ପର୍ଯ୍ୟାୟରେ ରହିଛି , ଏଥିରେ ଏକ କୃତ୍ରିମ ଗର୍ଭାବସ୍ଥା ଓ ଏକ ଟ୍ୟୁବ୍ ମାଧ୍ୟମରେ ଭ୍ରୁଣକୁ ପୋଷକ ତତ୍ତ୍ୱ ଦିଆଯିବ। କିନ୍ତୁ ଏହି ପ୍ରୋଜେକ୍ଟ ଉପରେ କାମ କରୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ , ଆଉ ୯ ମାସ ମଧ୍ୟରେ ହିଁ ଶିଶୁ ଜନ୍ମ ନେବ। ଚୀନର ଗ୍ୱାଙ୍ଗଝୁ ସ୍ଥିତ କାଇୱା ଟେକ୍ନୋଲଜିର ପ୍ରତିଷ୍ଠାତା ଡକ୍ଟର ଝାଙ୍ଗ୍ କିଫେଙ୍ଗଙ୍କ ଅନୁସାରେ , ଏହ ଟେକ୍ନୋଲଜି ଏବେ ପରିପକ୍ୱ ଅବସ୍ଥାରେ ଅଛି। ଏହି ସମ୍ଭାବନା ଉପରେ ଗବେଷଣାର ନେତୃତ୍ୱ ତାଙ୍କର କମ୍ପାନୀ କରୁଛି , ଯେମିତି କି ସେ କହିଥିଲେ , ଏବେ ଏହାକୁ ରୋବୋଟର ପେଟରେ ପ୍ରତ୍ୟାରୋପିତ କରିବାର ଆବଶ୍ୟକତା ଅଛି , ଜଣେ ପ୍ରକୃତ ବ୍ୟକ୍ତି ଏବଂ ରୋବୋଟ୍ ଗର୍ଭଧାରଣ ପାଇଁ ପରସ୍ପର ସହିତ ଯୋଗାଯୋଗ କରିପାରିବେ, ଯାହା ଭ୍ରୁଣକୁ ଭିତରେ ବୃଦ୍ଧି କରିବାକୁ ସାହାଯ୍ୟ କରିବେ। ଯଦି ସବୁକିଛି ଯୋଜନା ଅନୁସାରେ ହୁଏ , ତ ନାନୟାଙ୍ଗ ଟେକ୍ନୋଲଜିକାଲ ୟୁନିଭର୍ସିଟିର ସ୍ନାତକ ଡାକ୍ତର ଝାଙ୍ଗ କିଫେଙ୍ଗ ୨୦୨୬ରେ ପାଖାପାଖି ୧୦,୦୦୦ ୟୁରୋ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୧ ଲକ୍ଷ ୭୩ ହଜାର ୪୦୦ଟଙ୍କାରେ ରୋବୋଟର ଏକ ପ୍ରୋଟୋଟାଇପ୍ ବିକ୍ରି କରିବେ।
ସ୍ଥାନୀୟ ମିଡ଼ିଆର ରିପୋର୍ଟରେ ଦାବି କରାଯାଇଛି ଯେ, ରୋବୋଟକୁ ଗର୍ଭାବସ୍ଥାର ପୂରା ପ୍ରକ୍ରିୟାର ଅନୁସରଣ କରିବା ପାଇଁ ଡିଜାଇନ କରାଯାଇଛି, ହେଲେ ଏଗ୍ ଓ ସ୍ପର୍ମର ପ୍ରକ୍ରିୟା କିପରି ଫର୍ଟିଲାଇଜ୍ ହୁଏ, ଏହା ବର୍ତ୍ତମାନ ବି ସ୍ପଷ୍ଟ ହୋଇ ନାହିଁ। କୁହାଯାଉଛି ଯେ, ଶିଶୁ ଗର୍ଭାବସ୍ଥାର ପୂରା ଅବଧି ଯାଏ ରୋବୋଟର ଶରୀରରେ ରହିବ, କିନ୍ତୁ ଅନେକ ଲୋକ ଏବେ ବି ଏହି କଥାକୁ ନେଇ ଅନିଶ୍ଚିତ ଯେ, ଭ୍ରୁଣକୁ କୃତ୍ରିମ ଗର୍ଭରେ କେମିତି ପ୍ରତ୍ୟାରୋପଣ କରାଯିବ। ଡାକ୍ତର ଝାଙ୍ଗ କହିଛନ୍ତି ଯେ, ଗର୍ଭାଶୟ ପରି ପରିବେଶ ସୃଷ୍ଟି କରିବା ପାଇଁ ଶିଶୁମାନଙ୍କ ଚାରିପାଖରେ କୃତ୍ରିମ ଆମ୍ନିଓଟିକ୍ ତରଳ ବ୍ୟବହାର କରାଯିବ। ସେ ଏହା ସ୍ୱୀକାର କରିଛନ୍ତି ଯେ ,ଏହି ଟେକ୍ନୋଲଜି ସମ୍ପୂର୍ଣ୍ଣ ରୂପେ ନୂଆ ନୁହେଁ, କାରଣ ବୈଜ୍ଞାନିକମାନେ ଅତୀତରେ ସପ୍ତାହ ଧରି ଏକ 'ବାୟୋବ୍ୟାଗ'ରେ ଜନ୍ମିତ ମେଣ୍ଢା ଛୁଆମାନଙ୍କୁ ଜୀବିତ ରଖିଥିଲେ।
ଅନ୍ୟପଟେ ପ୍ରଯୁକ୍ତିବିଦ୍ୟାର ଏହି ଉନ୍ନତି ସତ୍ତ୍ୱେ, ଏହି ପ୍ରକ୍ରିୟା ଉପରେ ନୈତିକ ଏବଂ ଆଇନଗତ ବିତର୍କ ଆରମ୍ଭ ହୋଇସାରିଛି। ଡାକ୍ତର ଦାବି କରିଛନ୍ତି ଯେ, ସେ ଆଇନ ଓ ନୀତିର ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ଗୁଆଙ୍ଗଡୋଙ୍ଗ ପ୍ରଦେଶ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି, ଏହି ପଦକ୍ଷେପ ଚିକିତ୍ସା ବିଜ୍ଞାନକୁ ସବୁଦିନ ପାଇଁ ପରିବର୍ତ୍ତନ କରି ଦେବ। ହେଲେ କିଛି ଲୋକ ଏହି ହ୍ୟୁମନଏଡ୍ର ମାନବୀୟ ଗର୍ଭଧାରଣର ସଫଳତାପୂର୍ବକ ପ୍ରତିକୃତି କରିବାର କ୍ଷମତାକୁ ନେଇ ସନ୍ଦେହରେ ରହିଛନ୍ତି। ସେମାନଙ୍କର ଦାବି ଯେ, ଅନ୍ୟାନ୍ୟ ଜୈବିକ ପ୍ରକ୍ରିୟା ସହ ମାତୃ ହର୍ମୋନ୍ କ୍ଷରଣକୁ ନକଲ କରାଯାଇ ପାରିବ ନାହିଁ।
ଫିଲାଡେଲଫିଆର ଚିଲ୍ଡ୍ରେନ୍ସ ହସ୍ପିଟାଲର ଗବେଷକଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧରେ କୁହାଯାଇଛି ଯେ, ଏହି ପ୍ରକାରର ଟେକ୍ନୋଲୋଜି ଗର୍ଭଧାରଣକୁ 'ବିକାରଗ୍ରସ୍ତ' କରିପାରେ, ଆଉ କିଛି ଲୋକ ଯୁକ୍ତି ବାଢିଛନ୍ତି ଯେ, ମହିଳାମାନଙ୍କୁ ଆଉ ନଅ ମାସ ପର୍ଯ୍ୟନ୍ତ ଶିଶୁକୁ ଗର୍ଭରେ ରଖିବାର ମାନସିକ ଓ ଶାରୀରିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ଏବେ ଦେଖିବାକୁ ବାକି ରହିଲା , ସବୁ କଳ୍ପନା ଜଳ୍ପନା ଓ ଯୁକ୍ତି ତର୍କ ମଧ୍ୟରେ , ରୋବୋଟ କେବେ ମାନବ ଶିଶୁକୁ ଜନ୍ମ ଦେଉଛି । ଆଉ ଟେକ୍ନୋଲଜିର ଦୁନିଆରେ ଏକ ନୂଆ ବିସ୍ଫୋରଣ ସୃଷ୍ଟି କରୁଛି।