ଭୁବନେଶ୍ବର ୨।୭: ବିଏମ୍ସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ବିଏମ୍ସି ଅଫିସରେ ବିଜେପି କର୍ମୀ ପଶି ନିଜ ହିସାବରେ କାମ କରିବାକୁ କହୁଛନ୍ତି । ନିୟମ ବାହାରକୁ ଯାଇ କାମ କରିବାକୁ ଚାପ ପକାଉଛନ୍ତି । ବିଏମ୍ସି ଅଫିସରେ ଯଦି ଅଧିକାରୀ ସୁରକ୍ଷିତ ନୁହନ୍ତି ଲୋକସେବା ଭବନ ଓ ନିର୍ଦ୍ଦେଶାଳୟରେ ବି ସରକାରୀ ଅଧିକାରୀ ସୁରକ୍ଷିତ ନୁହନ୍ତି । ଅଫିସର ସୁରକ୍ଷିତ ଥିଲେ ଆଜି ପ୍ରତିବାଦ କରିନଥାନ୍ତେ । ଅଚଳାବସ୍ଥା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ କାହିଁକି ମୁଖ୍ୟ ଚକ୍ରାନ୍ତକାରୀଙ୍କୁ ଗିରଫ କରୁନାହାନ୍ତି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି । ନିଜ ନିଷ୍ପତ୍ତିରେ ସରକାର ଚାଲୁନି । ଦିଲ୍ଲୀ ନିର୍ଦ୍ଦେଶରେ ସରକାର ଚାଲୁଛି । ସେଥିପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ନିଜ ପଦ ପଦବୀ ଉପରେ ଆଞ୍ଚ ଆସିବ ଭାବି ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ନବୀନ ପଟ୍ଟନାୟକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିଲେ । ବିଧାୟକ ହୁଅନ୍ତୁ କି ମନ୍ତ୍ରୀ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିଲା । ଏମାନେ ନିଜେ ନିଷ୍ପତ୍ତି ନେଇ ପାରୁନାହାନ୍ତି ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।
ସେପଟେ, ଅପରାଜିତାଙ୍କ ବୟାନକୁ ନେଇ ପ୍ରମିଳା କହିଛନ୍ତି, ସେ ପ୍ରଶାସିକା ଥିଲେ । ଜାଣିଛନ୍ତି ଭୁଲ୍ ରହିଛି । ପ୍ରକୃତରେ ଭୁଲ୍ ଅଛି ବୋଲି ନିନ୍ଦା କରୁଛନ୍ତି । କିନ୍ତୁ ବିଜେପି ନେତା ଆକ୍ସନ ନେବା ପରିବର୍ତ୍ତେ ଘଣ୍ଟ ଘୋଡାଇଛନ୍ତି । ଓଡ଼ିଶାରେ ମହିଳା ବି ଏବେ ଅସୁରକ୍ଷିତ । ଆମେରିକା ରାଷ୍ଟ୍ରପତି ବି ଓଡ଼ିଶାକୁ ଅସୁରକ୍ଷିତ ମନେ କରି ଗାଇଡଲାଇନ ଜାରି କରିଛନ୍ତି । ଆଗକୁ ଅନ୍ୟ ଦେଶ ବି ଏହି ପନ୍ଥା ଆପଣାଇବେ ବୋଲି ପ୍ରମିଳା କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସୋମବାର ବିଏମ୍ସି ମୁଖ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିଲା । ମେୟରଙ୍କ ପ୍ରକୋଷ୍ଠକୁ ଲାଗିଥିବା ପ୍ରକୋଷ୍ଠରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ବିଏମ୍ସିର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ବି ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ । ଅଚାନକ ବିଜେପି କର୍ପୋରେଟର ଜୀବନଙ୍କ ସହ ୬ରୁ ୭ଜଣ ଦୁର୍ବୃତ୍ତ ଅଭିଯୋଗ ପ୍ରକୋଷ୍ଠକୁ ପଶିଥିଲେ । ସ୍ୱଚ୍ଛ ସୁପରଭାଇଜରଙ୍କ ଉପରେ ହୋଇଥିବା ତଦନ୍ତର ରିପୋର୍ଟ ବଦଳାଇବାକୁ ଦାବି କରିଥିଲେ । କିନ୍ତୁ ଅତିରିକ୍ତ କମିଶନର ରତ୍ନାକର ସାହୁ ଏଥିରେ ହସ୍ତକ୍ଷେପ କରିବେନି ବୋଲି କହିଥିଲେ । ଏହାକୁ ନେଇ ପ୍ରତିକ୍ରିୟାଶୀଳ ହେବା ସହ ତାଙ୍କୁ ବିଜେପିର କାର୍ଯ୍ୟକର୍ତ୍ତା ମାନେ ଆକ୍ରମଣ କରିଥିଲେ ।
ଅଭିଯୋଗ ପ୍ରକୋଷ୍ଠରୁ କାର୍ ଯାଏଁ ପ୍ରାୟ ୫୦ ମିଟର ଘୋଷାଡ଼ି ଘୋଷାଡ଼ି ନେଇଥିଲେ । ମଝିରେ ମୁହଁକୁ ଗୋଇଠା ଓ ବିଧା ମାରୁଥିଲେ । ଏଥିରେ ରତ୍ନାକର ସାହୁଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଏକ କାର୍ରେ ପୂରାଇବା ବେଳେ ମେୟର ଓ ଅନ୍ୟ କର୍ପୋରେଟର ଧାଇଁ ଆସିବାରୁ ଆକ୍ରମଣକାରୀ ତାଙ୍କୁ ଛାଡ଼ି ପଳାଇଥିଲେ । ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ପରେ ଦୁର୍ବୃତ୍ତମାନେ ମେୟର ସୁଲୋଚନା ଦାସଙ୍କୁ ଘେରି ଗାଳିଗୁଲଜ କରିଥିଲେ ।
You Can Read:
ନିମ୍ନମାନର ପୋଲ ନିର୍ମାଣ କାମକୁ ଗ୍ରାମବାସୀଙ୍କ ବିରୋଧ, ନିର୍ଦ୍ଧାରିତ ସମୟରେ ବି ସରିନି କୋଟି କୋଟି ଟଙ୍କାର କାମ