ମେ ୩୧ରେ ଭାରତ ଫେରିବେ ପ୍ରଜ୍ଜ୍ୱଳ ରେଭନ୍ନା: କହିଲେ- ମୋତେ ଭୁଲ୍ ବୁଝନି

Published By : Prameya-News7 Bureau | May 27, 2024 IST

indiatoday

ବେଙ୍ଗାଲୁରୁ: ଯୌନ କେଳେଙ୍କାରି ଭିଡିଓ ଭାଇରାଲ୍ ହେବା ପରେ ଦେଶ ଛାଡ଼ି ପଳାଇ ଥିବା ଅଭିଯୁକ୍ତ ତଥା ବିଜେପି-ଜେଡିଏସ୍‌ ସାଂସଦ ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭନ୍ନା ଭାରତ ଫେରିବେ କହିଛନ୍ତି। ମେ ୩୧ ତାରିଖରେ ସେ ଭାରତ ଫେରି ଏସ୍‌ଆଇଟିକୁ ତଦନ୍ତରେ ସହଯୋଗ କରିବେ ବୋଲି ପ୍ରଜ୍ଜ୍ୱଳ କହିଛନ୍ତି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେକୁ ପ୍ରତିକ୍ରିୟା ଦେଇ ପ୍ରଜ୍ଜ୍ୱଳ ରେଭନ୍ନା କହିଛନ୍ତି ଯେ ମୋ ବିଷୟରେ ଭୁଲ ଧାରଣା ରଖ ନାହିଁ। ମୁଁ ମେ ୩୧ ତାରିଖ ସକାଳ ୧୦ଟାରେ ଏସ୍ଆଇଟି ପାଖରେ ପହଞ୍ଚି ତଦନ୍ତରେ ସହଯୋଗ କରିବି। ଏସବୁ ମୋ ଉପରେ ମିଛ କେସ୍ ଲଗାଯାଇଛି। ମୋର ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ମୁଁ ଆଇନ୍‌କୁ ବିଶ୍ୱାସ କରେ ବୋଲି ପ୍ରଜ୍ଜ୍ୱଳ ରେଭନ୍ନା କହିଛନ୍ତି। 

୩୩ ବର୍ଷୀୟ ହସନ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ାଙ୍କ ନାତୀ ପ୍ରଜ୍ଜ୍ୱଳ ରେଭନ୍ନା ଏକାଧିକ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ରହିଛନ୍ତି। କେଳେଙ୍କାରିର ଭିଡିଓ ଭାଇରାଲ ହେବା ପରେ ସେ ଡିପ୍ଲୋମାଟିକ୍ ପାସ୍‌ପୋର୍ଟ ଯୋଗେ ଏପ୍ରିଲ ୨୬ ତାରିଖରେ ଲୁଚି ଲୁଚି ଦେଶ ଛାଡ଼ି ପଳାଇଥିଲେ। ସେ ଜର୍ମାନୀରେ ଥିବା କୁହାଯାଉଛି। ନିକଟରେ ରାଜ୍ୟ ସରକାର ତାଙ୍କର ଡିପ୍ଲୋମାଟିକ ପାସ୍‌ପୋର୍ଟ ରଦ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରେଭନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଥିଲା। 
ଏବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଜ୍ଜ୍ୱଳ କହିଛନ୍ତି। ସେ କୌଣସି ଅପରାଧ କରି ନାହାନ୍ତି। ଏସବୁ ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ରଚାଯାଇଛି। ଏଥିରେ ତାଙ୍କୁ ଗଭୀର ମାନସିକ ଆଘାତ ଲାଗିବାରୁ ସେ ଚାପରେ ରହୁଥିଲେ ଏକା ରହୁଥିଲେ। ତେବେ ତାଙ୍କ ବିଷୟରେ କୌଣସି ସୂଚନା ପାର୍ଟି ନେତାଙ୍କୁ ଦେଇ ନଥିବାରୁ ପ୍ରଜ୍ଜ୍ୱଳ ରେଭନ୍ନା ଜେଡିଏସ୍ ନେତାଙ୍କୁ କ୍ଷମା ମାଗିଛନ୍ତି।   

ଏନେଇ ରେଭନ୍ନା କହିଛନ୍ତି “ ମୁଁ ବିଦେଶରେ କେଉଁଠି ରହିଥିଲି ସେ ବିଷୟରେ କାହାକୁ କିଛି ଜଣାଇ ନଥିବାରୁ ମୁଁ ମୋ ପରିବାର ସଦସ୍ୟଙ୍କୁ କ୍ଷମା ମାଗିବାକୁ ଚାହୁଁଛି ମୋ କୁମାରଆନ୍ନା(ଏଚ୍‌ଡି କୁମାରସ୍ୱାମୀ) ଏବଂ ଦଳୀୟ କର୍ମଚାରୀଙ୍କୁ କ୍ଷମା ମାଗୁଛି। ନିର୍ବାଚନ ସରିବା ପରେ ଏପ୍ରିଲ ୨୬ ତାରିଖରେ ମାମଲା ରୁଜୁ ହେବା ପରେ ମୋ ବିରୋଧରେ କୌଣସି ମାମଲା ନଥିଲା। ଏସ୍ଆଇଟ ଗଠନ ହୋଇ ନଥଇଲା। ମୋ ଯିବାର ଦୁଇ-୩ ଦିନ ପରେ ଗଠନ ହେଲା। ମୁଁ ୟୁଟ୍ୟୁବ୍‌ରୁ ଜାଣିଲି ଯେ ମୋ ବିଷୟରେ ଏସବୁ ଅଭିଯୋଗ ଲାଗିଛି। ଏଥିସହିତ ମୁଁ ମୋ ଓକିଲଙ୍କ ଜରିଆରେ ଏସ୍‌ଆଇଟିକୁ ୭ ଦିନ ସମୟ ମଧ୍ୟ ମାଗିଥିଲି।” ପ୍ରଜ୍ଜ୍ୱଳ କହିଛନ୍ତି ଯେ ରାହୁଲ ଗାନ୍ଧୀ ଓ କଂଗ୍ରେସର ବରିଷ୍ଠ ନେତାମାନେ ସର୍ବସାଧାରଣରେ ମୋ ବିଷୟରେ କହୁଛନ୍ତି। ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.