ନୂଆଦିଲ୍ଲୀ: ଇଭିଏମ୍ ହ୍ୟାକ୍ ନେଇ ଏଲନ ମସ୍କ ଟିପ୍ପଣୀ ଦେବା ପରେ ଚର୍ଚ୍ଚା ଥମିବାରେ ନାଁ ନେଉ ନାହିଁ। ମସ୍କଙ୍କୁ କାଉଣ୍ଟର କରିବାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ପର୍ଯ୍ୟନ୍ତ ସବୁ ବଡ଼ ବଡ଼ ନେତା ଅନ୍ଲାଇନ୍ ଡିବେଟରେ ମାତିଛନ୍ତି।
ଏନେଇ ସୋମବାର ଆନ୍ଧ୍ରପ୍ରଦେଶ ବିଜେପି ଅଧ୍ୟକ୍ଷା ତଥା ରାଜମହେନ୍ଦ୍ରଭରମ ସାଂସଦ ଦଗୁବତୀ ପୂରନ୍ଦେଶ୍ୱରୀ ମସ୍କଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ପୁରନ୍ଦେଶ୍ୱରୀ ଭାରତୀୟ ନର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି। ଏବଂ ଲେଖିଛନ୍ତି ଏକ୍ସ ମାଲିକ ଏବଂ ଟେସ୍ଲା ସଂସ୍ଥାପକ ମସ୍କଙ୍କୁ ଭାରତ ନିମନ୍ତ୍ରଣ କରାଯାଉ ଓ ତାଙ୍କୁ ଇଲେକ୍ଟ୍ରୋନିକ ଭୋଟିଂ ମେସିନୁକ ହ୍ୟାକ୍ କରିବାକୁ ସୁଯୋଗ ଦିଆଯାଉ। କାରଣ ବର୍ତ୍ତମାନ ସୁଦ୍ଧା କେହି ବି ଇଭିଏମ୍ ହ୍ୟାକ୍ କରିବାରେ ସଫଳ ହୋଇ ନାହାନ୍ତି ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି।
ଏଲନ ମସ୍କ ଇଭିଏମ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଇଭିଏମ୍କୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଉଚିତ ବୋଲି ମସ୍କ ସୋସିଆଲ୍ ମିଡିଆରେ ମତ ରଖିଥଲେ। ମସ୍କ ଲେଖିଥିଲେ “ଆମେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ଗୁଡିକୁ ହଟାଇବା ଉଚିତ୍। ମଣିଷ କିମ୍ବା ଏଆଇ ଦ୍ୱାରା ଏହାର ହ୍ୟାକ୍ ହେବାର ଆଶଙ୍କା ରହିଛି। ଏହା ଛୋଟ କିନ୍ତୁ ବହୁତ ବଡ଼।”
ପୂର୍ବତନ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଭାରତର ଇଭିଏମ୍ କଷ୍ଟମ୍-ଡିଜାଇନ୍ ସୁରକ୍ଷିତ ବୋଲି କହିବା ପରେ ଏଲନ ମସ୍କ ଏହା ଉପରେ ପ୍ରତିକ୍ରିୟା ରଖି ଏଭଳି ବୟାନ ଦେଇଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା।