ଦିଲ୍ଲୀରୁ ଶ୍ରୀନଗର ହଲଚଲ୍: ଧାରା ୩୭୦ ଉଚ୍ଛେଦକୁ ପୁରିଲା ୬ ବର୍ଷ, ମିଳିବ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା

Published By : Prameya-News7 Bureau | August 05, 2025 IST

ନୂଆଦିଲ୍ଲୀ ୦୫/୦୮: ଜମ୍ମୁକାଶ୍ମୀରକୁ ପୁଣି ଥରେ ରାଜ୍ୟ ପାହ୍ୟା ଫେରାଇବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ,ପରେ ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତିଙ୍କୁ ସାକ୍ଷାତ ଏହି ଚର୍ଚ୍ଚାକୁ ବଢ଼ାଇଛି  । ଏହା ପୂର୍ବରୁ ଅମିତ ଶାହ ଲଗାତାର କିଛି ଦିନ ଧରି ରାଜ୍ୟ ମାନ୍ୟତା ନେଇ ଆଲୋଚନା କରିଛନ୍ତି । 

ସେପଟେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଏନ୍‌ଡିଏ ସାଂସଦଙ୍କ ବୈଠକ ଡାକିଛନ୍ତି ।  ଏଥିରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଆଲୋଚନା  ହେବ ବୋଲି ଚର୍ଚ୍ଚା ହେଉଛି । ୨୦୧୯ ଅଗଷ୍ଟ  ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ  କରାଯାଇ ଏହାକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ  (ଜମ୍ମୁ-କାଶ୍ମୀର ଓ ଲଦାଖ) ଭାବେ ଘୋଷଣା  କରାଯାଇଥିଲା । ଆଜି ଅର୍ଥାତ୍ ଅଗଷ୍ଟ ୫ରେ ଏହାକୁ ୬ ବର୍ଷ ପୂରିଛି । ତେଣୁ ଜମ୍ମୁ-କାଶ୍ମୀରକୁ  ରାଜ୍ୟ ମାନ୍ୟତା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଏକ ବିଲ୍‌ ଆଣିପାରନ୍ତି । 

ଛଅ ବର୍ଷ ତଳେ ଜମ୍ମୁ-କାଶ୍ମୀରକୁ  ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରାଯିବା ପରଠାରୁ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ  ଅନେକଥର କହିଛନ୍ତି କି ଏହାକୁ ପୁଣି  ରାଜ୍ୟ ମାନ୍ୟତା ଦିଆଯିବ । ୨୦୨୩ ଡିସେମ୍ବରରେ ସୁପ୍ରିମକୋର୍ଟ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ବୈଧତାକୁ କାଏମ ରଖିବା ସହ ଏହାକୁ ଯଥାଶୀଘ୍ର ରାଜ୍ୟ  ମାନ୍ୟତା ଦେବା ଲାଗି କେନ୍ଦ୍ର ସରକାରଙ୍କୁ  ନିର୍ଦ୍ଦେଶ ଦେଇଥିଲେ । ସରକାର କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସମୟ ସୀମା  ଦେଇନଥିଲେ । 

୨୦୨୪ରେ ଜମ୍ମୁ-କାଶ୍ମୀରରେ  ନିର୍ବାଚନ ହୋଇଥିଲା ଏବଂ ୧୦ ବର୍ଷର  ପ୍ରତୀକ୍ଷା ପରେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ  ବନିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଓ  ତାଙ୍କର ସହଯୋଗୀ ଦଳ ସମେତ କଂଗ୍ରେସ  ରାଜ୍ୟ ମାନ୍ୟତା ଦାବି କରିଥିଲା । ଯଦି ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ମିଳିବ ତେବେ  ସେଠାରେ ସାନି ନିର୍ବାଚନ ହେବ । କାରଣ  ପୂର୍ବରୁ ଏହା କେନ୍ଦ୍ରଶାସିତ ଅଞ୍ଚଳ ଥିବା  ବେଳେ ନିର୍ବାଚନ ହୋଇଥିଲା । ଗତ ଜୁନ୍‌ରେ ଓମାର ଅବଦୁଲ୍ଲା କହିଥିଲେ କି ଯଦି ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନତା ମିଳିବ ତେବେ ବିଧାନସଭା ଭଙ୍ଗ କରାଯାଇ ସାନି ନିର୍ବାଚନ ହେଲେ ତାଙ୍କର ଆପତ୍ତି ନାହିଁ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.