ଖାକିରେ ଲାଗିଲା କଳଙ୍କ, କନେଷ୍ଟବଳଙ୍କ ଠକେଇର ଶିକାର ହେଲେ ହୋମଗାର୍ଡ

Published By : Prameya-News7 Bureau | June 17, 2025 IST

ବୌଦ୍ଧ ୧୭।୬: ବୌଦ୍ଧ ଜିଲ୍ଲାରେ ଖାକିରେ ପୁଣି ଲାଗିଲା କଳଙ୍କ । ପୋଲିସକୁ ଠକିଲେ ଖୋଦ୍ ପୋଲିସ ବାବୁ । କନେଷ୍ଟବଳଙ୍କ ଠକେଇର ଶିକାର ହେଲେ ହୋମଗାର୍ଡ । ହୋମଗାର୍ଡ ପ୍ରଦୀପ ତ୍ରିପାଠୀଙ୍କୁ ଲୋନ୍ କରାଇଦେବାକୁ କହି ଠକେଇ ଅଭିଯୋଗ । ଠକେଇ କରିଛନ୍ତି ଆଦର୍ଶ ଥାନା କନେଷ୍ଟବଳ ହୃଦାନନ୍ଦ ବେହେରା । ହୃଦାନନ୍ଦ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବୌଦ୍ଧ ପୋଲିସ । ହୃଦାନନ୍ଦଙ୍କ ଘରେ ପୋଲିସ ଚଢ଼ାଉ କରି ନଗଦ ୫ ଲକ୍ଷ ଟଙ୍କା, ୬୦ଟି ବ୍ୟାଙ୍କ୍ ପାସ୍ ବୁକ୍, ୪୩ଟି ଏଟିଏମ୍ କାର୍ଡ, ୨୯ଟି ଚେକ୍ ବୁକ୍, ୨୦୯ ଗୋଟି ବ୍ଲାଙ୍କ ଚେକ୍, ୧୧ଟି ସେଲ୍‌ ଡିଡ୍, ୧୪୫ ଗ୍ରାମର ସୁନା ଏବଂ ରୂପା ଜବତ କରିଛି ପୋଲିସ । ଏଥିସହିତ ଉକ୍ତ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବନ କରିବା ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାହୁଲ ଗୋଏଲଙ୍କ ସୂଚନା । 

ସୂଚନାଯୋଗ୍ୟ ଯେ, ବୌଦ୍ଧ ଥାନାରେ କାର୍ଯ୍ୟରତ କନଷ୍ଟେବଳ ହୃଦାନନ୍ଦ ବେହେରା ପୂର୍ବରୁ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଟ୍ରେଜେରି ଅଫିସର ଭାବେ କାର୍ଯ୍ୟରତ ଥିଲେ । ସେହି ସମୟରେ ସେ ତାଙ୍କ ପଦବୀକୁ ଭୁଲ୍ ଭାବରେ ବ୍ୟବହାର ହୋମଗାର୍ଡ ପ୍ରଦୀପ ତ୍ରିପାଠୀଙ୍କୁ ଲୋନ୍ କରାଇଦେବା ନାମରେ ଠକେଇ କରିଥିଲେ ।  ତେବେ ଏନେଇ ହୋମଗାର୍ଡ ଜଣକ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ ଏବଂ ଅଭିଯୋଗ ଆଧାରରେ ପୋଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତ ସମୟରେ ତାଙ୍କ ଘରେ ଚଢ଼ାଉ କରିଥିବା ବେଳେ ସେଠାରୁ ନଗଦ ଟଙ୍କା ଏବଂ ବ୍ୟାଙ୍କ୍ କାଗଜପତ୍ର, ଏଟିଏମ୍ କାର୍ଡ, ପାସ୍‌ବୁକ୍ ଆଦି ଜବତ ହୋଇଥିବା ବେଳେ ତାଙ୍କୁ ଜେରା କରିଥିଲା ପୋଲିସ । ତେବେ ମଙ୍ଗଳବାର କନେଷ୍ଟବଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇଛନ୍ତି ଏସପି ରାହୁଲ ଗୋଏଲ । 

ତେବେ ଦୀର୍ଘ ବର୍ଷ ଧରି ପୋଲିସ ମୁଖ୍ୟାଳୟରେ ଏଭଳି ଭାବେ ଅନୈତିକ କାର୍ଯ୍ୟ ଜାରି ରହିଥିବା ବେଳେ କିଭଳି ଭାବେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଏ ସମ୍ପର୍କରେ ଜାଣି ପାରିଲେ ନାହିଁ ତାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଠକେଇରେ ଅନ୍ୟ କୌଣସି ପୋଲିସ କର୍ମଚାରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ସାମିଲ ରହିଛନ୍ତି କି ସେ ଦିଗରେ ମଧ୍ୟ ପୋଲିସର ତଦନ୍ତ କରିବାର ଆବଶ୍ୟକତା ରହିଛି । ଏଥି ସହିତ ଘରୁ ବିପୁଳ ପରିମାଣର ଟଙ୍କା, ସୁନା ଜବତ ହୋଇଥିବା ବେଳେ ଏହି ଘଟଣାର ଭିଜିଲାନ୍ସ ତଦନ୍ତ କରିବାର ମଧ୍ୟ ଆବଶ୍ୟକତା ରହିଛି । 

You Can Read:

କଳିଙ୍ଗା ଘାଟିରେ ଭୁଶୁଡିଲା ନିର୍ମାଣଧିନ ଗାର୍ଡ ୱାଲ୍, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.