ଇସ୍ରାଏଲ-ଇରାନ ଯୁଦ୍ଧ ଇଫେକ୍ଟ: ବିମାନ, ଫେଣ୍ଟସ୍‌, ଫାର୍ମା ଶିଳ୍ପ ପାଇଁ ବଡ ଆହ୍ୱାନ

Published By : Prameya-News7 Bureau | June 17, 2025 IST

ନୂଆଦିଲ୍ଲୀ ୧୭/୦୬: ଇରାନ ଉପରେ ଇସ୍ରାଏଲ ରବିବାର ପୁଣି ଆକ୍ରମଣ କରିଛି । ଯୁଦ୍ଧ ଯୋଗୁ ଏବେ ଭାରତ ଉପରେ ସେଭଳି କିଛି ବଡ଼ ଅର୍ଥନୈତିକ ପ୍ରଭାବ ଆସିନାହିଁ । ତେବେ ଯୁଦ୍ଧ ଜାରି ରହିଲେ ସ୍ଥିତି ବିଗିଡ଼ିବାର ଢ଼େର ଆଶଙ୍କା ରହିଛି । ଘଟଣା ଉପରେ ଏବେ କଡ଼ା ନଜର ରଖିଛି ଭାରତ । ତେବେ ଯୁଦ୍ଧ ଜାରି ରହିଲେ ଘରୋଇ ବଜାରର ବିମାନ ଚଳାଚଳ, ପେଣ୍ଟସ ଏବଂ ଫାର୍ମା ଶିଳ୍ପ ଲାଗି ଆହ୍ୱାନ ସୃଷ୍ଟି ହେବ । 


ଏହା ଦ୍ୱାରା ମୋଟାମୋଟି ଭାବେ ଜିଡ଼ିପି ଉପରେ ୦.୩% (୯.୫୧ ଲକ୍ଷ କୋଟି) ର ପ୍ରଭାବ ରହିବ ବୋଲି ଆକଳନ କରାଯାଇଛି ।

ଯୁଦ୍ଧ ବିରତି ଲାଗି ଉଭୟ ଦେଶ ଏକ ଚୁକ୍ତି କରିବା ନେଇ ଆଶା ପ୍ରକଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏବେ ଇସ୍ରାଏଲ ଆକ୍ରମଣ ଜାରି ରଖିଥିବାରୁ ଯୁଦ୍ଧ ବିରତି ଲାଗି ଆଗୁଆ ନ ବାହାରିବାକୁ ମଧ୍ୟସ୍ଥ କତାର ଏବଂ ଓମାନକୁ ଜଣାଇ ଦେଇଛି ଇରାନ । ପ୍ରକ୍ରିୟା ସହ ସହ ଜଡ଼ିତ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯୁଦ୍ଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଉପରେ ପ୍ରଭାବ ପଡ଼ୁଛି । 

ସେହିଭଳି ବିଦେଶୀ ନିବେଶ, ଟଙ୍କା ମୂଲ୍ୟ, ସାମୁଦ୍ରିକ ମାଲ୍‌ ପରିବହନ କ୍ଷେତ୍ରରେ ଭଡ଼ା ଉପରେ ସ୍ୱଳ୍ପ ମିଆଦି ଭିତ୍ତିରେ ପ୍ରଭାବ ପଡ଼ିବ । ତେବେ ପ୍ରଭାବ କେତେ ଗଭୀର ରହିବ ସେ ନେଇ ଏବେ କିଛି କହିହେବନି । ଅର୍ଥ ମନ୍ତ୍ରଣାଳୟ ଏବଂ ନିୟାମକ ସଂସ୍ଥା ଗୁଡ଼ିକ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି ।

ଏବେ ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ଘନେଇଛି । ଏଥିରେ ଆତଙ୍କି ସଙ୍ଗଠନ ହୁତି ମଧ୍ୟ ସାମିଲ ହେଲାଣି । ଯାହା ଭାରତୀୟ ଅର୍ଥନୀତି ଏବଂ ବ୍ୟବସାୟକୁ ବଡ଼ ମାତ୍ରାରେ କ୍ଷତି ପହଞ୍ଚାଇବ ବୋଲି ମଧ୍ୟ ଆଶଙ୍କା କରାଯାଇଛି । ଯୁଦ୍ଧ ସ୍ଥିତି ବେଶି ଜଟିଳ ହେଲେ ଅଶୋଧିତ ତେଲ ବୃଦ୍ଧି ଜନିତ ଚାପ ଭାରତୀୟ ଅର୍ଥନୀତି ଲାଗି ବଡ଼ ଚାପ ଆଣିପାରେ । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଇନ୍ଧନ ଉପଲବ୍ଧତା ଏବଂ ଯୋଗାଣ ସ୍ଥିତିର ଭଲ ଭାବେ ସମୀକ୍ଷା କରିବାକୁ ବିଶେଷଜ୍ଞ କହିଛନ୍ତି । 

ସେହିଭଳି ଅଶୋଧିତ ତେଲ ଆମଦାନୀ ଉତ୍ସକୁ ବିସ୍ତୃତୀକରଣ କରିବା ଏବଂ ଦେଶର ଷ୍ଟ୍ରାଟେଜିକ ତୈଳ ରିଜର୍ଭ ଗୁଡ଼ିକରେ ପର୍ଯ୍ୟାପ୍ତ ତେଲ ଉପଲବ୍ଧ ରଖିବା ଆବଶ୍ୟକ ବୋଲି ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ ପକ୍ଷରୁ କୁହାଯାଇଛି । ଏହି ଯୁଦ୍ଧ ଯୋଗୁ ବିଶ୍ୱରେ ଗଭୀର ଶକ୍ତି ସଙ୍କଟ ଉପୁଜିବା ଆଶଙ୍କା ରହିଛି । ତେଲ ଯୋଗାଣ ହେଉଥିବା ଷ୍ଟ୍ରେଟ ଅଫ୍‌ ହୋର୍ମୁଜ ବନ୍ଦ ହେଲେ ତେଲ ଦର ହୁହୁ ହୋଇ ବଢ଼ିବ ବୋଲି ଇରାକର ବୈଦେଶିକ ମନ୍ତ୍ରୀ ସତର୍କ କରିଛନ୍ତି । 

ଇରାକର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଫୁଆଦ ହୁସେନ କହିଛନ୍ତି, ବ୍ୟାରେଲ ପିଛା ତେଲ ଦର ୨୦୦ରୁ ୩୦୦ ଡଲାର ବୃଦ୍ଧି ହୋଇପାରେ । ଷ୍ଟ୍ରେଟ ଅଫ୍‌ ହୋର୍ମୁଜ ବନ୍ଦ ହୋଇଗଲେ ଦୈନିକ ୫ ନିୟୁତ ବ୍ୟାରେଲ ତେଲ ବଜାରରୁ ଉପଲବ୍ଧତା କମିବ । ଏହି ଆକ୍ରମଣ ପରେ ଅଶୋଧିତ ତେଲ ୧୩% ବଢ଼ିଛି । ଯାହା ଜାନୁଆରି ପରଠୁ ସର୍ବାଧିକ ସ୍ତର ବ୍ୟାରେଲ ପିଛା ୭୫ ଡଲାର ଛୁଇଁଛି । ଭାରତ ଏହାର ୮୫% ତେଲ ଆମଦାନୀରୁ ପୂରଣ କରୁଛି । ତେଲ ଦର ବଢ଼ିଲେ ଏହା କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢ଼ାଇବ । 

ସରକାର ଜନକଲ୍ୟାଣକାରୀ ଯୋଜନାରେ ହେଉଥିବା ଖର୍ଚ୍ଚ ସହ ତେଲ ଓ ସାର ସବ୍‌ସିଡି ଭଳି ଦିଗ ଉପରେ ପୁନର୍ବିଚାର କରିବାକୁ ବାଧ୍ୟ ହେବେ । ଟଙ୍କା ଦୁର୍ବଳ ହେବା ସହ ଦେଶର ଚଳନ୍ତି ଖାତା ନିୟଣ୍ଟ ବଢ଼ିଯିବ । ମୋଟାମୋଟି ଭାବେ ଜିଡିପି ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ରହିବ । ମୁଦ୍ରାସ୍ଫୀତି ଚାପ ମଧ୍ୟ ବଢ଼ିବ । ତେବେ ତେଲ ଦର କେତେ ଯାଏ ବୃଦ୍ଧି ହେଉଛି ଏବେ ସେ ଉପରେ ସମସ୍ତଙ୍କ ନଜର ରହିଛି । 

ଇୱାଇ ଇଣ୍ଡିଆର ପଲିସି ଆଡଭାଇଜର ଡିକେ ଶ୍ରୀବାସ୍ତବ କହିଛନ୍ତି, ୨୦୨୫-୨୬ ଆରମ୍ଭରେ ଭାରତର ହାରାହାରି ଅଶୋଧିତ ତେଲ ବାସ୍କେଟ ବ୍ୟାରେଲ ପିଛା ୬୪.୩ ଡଲାର ଥିଲା । ପୁଣି ଥରେ ଅଶୋଧିତ ତେଲ ବଢ଼ିଲେ ଏହି ହାର ବୃଦ୍ଧି ହେବ । ବ୍ୟାରେଲ ପିଛା ଦର ୧୦ ଡଲାର ବଢ଼ିଲେ ଏହା ଜିଡିପି ଉପରେ ୦.୩% ପ୍ରଭାବ ପକାଇବ । ସେହିଭଳି ଖୁଚୁରା ମୁଦ୍ରାସ୍ଫୀତି କ୍ଷେତ୍ରରେ ୦.୪% ପ୍ରଭାବ ପଡ଼ିବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.