୫ ଦିନ, ୩ ଦେଶ, ଜି-୭ ଶିଖର ସମ୍ମିଳନୀ...ବଡ଼ କୂଟନୈତିକ ମିଶନରେ ବାହାରିବେ ପିଏମ୍ ମୋଦୀ

Published By : Prameya-News7 Bureau | June 14, 2025 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଦେଶ ଗସ୍ତରେ ଯିବେ । ସେ ୫ ଦିନରେ ୩ ଦେଶ ଯାତ୍ରା କରିବେ । ପିଏମ୍ ମୋଦୀ ସର୍ବପ୍ରଥମେ ସାଇପ୍ରସ୍ ଯାତ୍ରା କରିବେ । ସେଠାରେ (୧୫-୧୬ ଜୁନ୍) ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାପରେ କାନାଡା ଗସ୍ତ କରି ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବେ । କାନାଡାରେ ପିଏମ୍ ମୋଦୀ ଜୁନ୍ ୧୬-୧୭ରେ ରହିବେ । ଏହାପରେ ଜୁନ୍ ୧୮ରେ କ୍ରୋଏସିଆ ଯିବେ ଓ ଜୁନ୍ ୧୯ରେ ଭାରତ ଫେରିବେ ।

ପ୍ରଧାନମନ୍ତ୍ରୀଙ୍କ ଏହି ବିଦେଶ ଗସ୍ତରେ ତିନି ଦେଶ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ସହ ୟୁରୋପୀୟ ୟୁନିୟନ ଓ ବୈଶ୍ୱିକ ମଞ୍ଚରେ ଭାରତର ଭୂମିକାକୁ ଅଧିକ ସକ୍ରିୟ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ଦେଖାଯାଉଛି । 

ସାଇପ୍ରସ୍ ଗଣରାଜ୍ୟର ରାଷ୍ଟ୍ରପତି ନିକୋସ କ୍ରିଷ୍ଟୋଡୁଲାଇଡ୍ସଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ୧୫-୧୬ରେ ଅଫିସିଆଲ୍ ସାଇପ୍ରସ୍ ଗସ୍ତରେ ଯିବେ । ଏହା ଗତ ଦୁଇ ଦଶନ୍ଧିରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସାଇପ୍ରସ୍ ଗସ୍ତ । ନିକୋସିଆରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡେସ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଲିମାସୋଲରେ ଉଦ୍ୟୋଗୀଙ୍କୁ ସମ୍ବୋଧିତ କରିବେ । ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ, ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ୟୁରୋପୀୟ ସଂଘ ସହିତ ଭାରତର ସହଭାଗୀତାକୁ ଆହୁରି ଗଭୀର କରିବା ଦିଗରେ ସହାୟକ ହେବ ।

ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନାଡା ଯିବେ । କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୧୬-୧୭ ତାରିଖରେ କାନାନାସ୍କିସ୍‌ରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମୋଦୀ ଲଗାତାର ଷଷ୍ଠ ଥର ପାଇଁ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ । ସମ୍ମିଳନୀରେ ଶକ୍ତି ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ସହିତ ଜଡିତ ପ୍ରସଙ୍ଗଗୁଡ଼ିକ ଉପରେ ଜି-୭ ଦେଶ, ନିମନ୍ତ୍ରିତ ଆଉଟରିଚ୍ ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟଙ୍କ ସହିତ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ଅନେକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। 

ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୧୮ରେ କ୍ରୋଏସିଆକୁ ଏକ ସରକାରୀ ଗସ୍ତରେ ଯିବେ । କ୍ରୋଏସିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ଆଣ୍ଡ୍ରେ ପ୍ଲେଙ୍କୋଭିକ୍‌ଙ୍କ ନିମନ୍ତ୍ରଣରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ । ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.