ନୂଆଦିଲ୍ଲୀ: ଆମେରିକା ୨୫ ପ୍ରତିଶତ ଶୁଳ୍କ ଲଗାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୀତିର ବର୍ତ୍ତମାନର ସ୍ଥିତି ସମୀକ୍ଷା କରିବା ପାଇଁ ଏକ ଅର୍ଥନୈତିକ ପରାମର୍ଶଦାତା ପରିଷଦ (EAC) ବୈଠକ କରିବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଓ ୭ ଜଣ କେନ୍ଦ୍ର ମନ୍ତ୍ରୀ ଯୋଗଦେବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ୭, ଲୋକ କଲ୍ୟାଣ ମାର୍ଗ ବାସଭବନରେ ସନ୍ଧ୍ୟା ୬.୩୦ ରେ ଏହି ବୈଠକ ହେବ। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି।
ଏହି ଇଏସି ବୈଠକ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି। କାରଣ ଏହା ଆଜିଠାରୁ ଆରମ୍ଭ ହୋଇଥିବା ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ଦୁଇ ଦିନିଆ ଭାରତ ଗସ୍ତ ସହିତ ଯୋଡ଼ା ଯାଉଛି। ତା’ ଛଡ଼ା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ରୁଷ ଗସ୍ତର କିଛି ଦିନ ପୂର୍ବରୁ ଏହାର ଆୟୋଜନ କରାଯାଉଛି। କାରଣ ଭାରତ ଆମେରିକା ସହିତ ବାଣିଜ୍ୟ ସମ୍ପର୍କରେ ଅନିଶ୍ଚିତତା ମଧ୍ୟରେ ବେଜିଂ ଏବଂ ମସ୍କୋ ସହିତ ସମ୍ପର୍କ ବୃଦ୍ଧି କରିବାକୁ ଚାହୁଁଛି। ତେଣୁ ଏହି ବୈଠକ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଦ୍ୱାରା ଆମେରିକାକୁ ରପ୍ତାନି କରାଯାଉଥିବା ସମସ୍ତ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ଏବଂ ରୁଷରୁ ତୈଳ କ୍ରୟ ପାଇଁ ନୂଆଦିଲ୍ଲୀକୁ ଦଣ୍ଡ ଦେବା ପାଇଁ ଅଗଷ୍ଟ ୨୭ ତାରିଖରୁ ଏହି ଶୁଳ୍କକୁ ଦ୍ୱିଗୁଣିତ କରି ୫୦ ପ୍ରତିଶତ କରିବା ପରେ ବୈଠକ ହେଉଛି। ଏହି ଶୁଳ୍କ ରତ୍ନ ଏବଂ ଅଳଙ୍କାର, ବୟନ ଏବଂ ଜୋତା-ଚପଲ ଭଳି ୪୦ ବିଲିୟନ ଆମେରିକୀୟ ଡଲାରର ଭାରତୀୟ ରପ୍ତାନିକୁ ପ୍ରଭାବିତ କରିବାର ସମ୍ଭାବନା ଅଛି।
ଭାରତ ଓ ଆମେରିକା ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ପାଇଁ ଅଗଷ୍ଟ ୨୫ ତାରିଖରେ ଆମେରିକାର ପ୍ରତିନିଧି ଦଳ ଭାରତ ଆସିବାର ଥିଲା। ଏହି ଆଲୋଚନା ଅଗଷ୍ଟ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାର ଥିଲା। ହେଲେ ଏହାକୁ ଟ୍ରମ୍ପ ରଦ୍ଦ କରିଦେଇଛନ୍ତି। ତେବେ ଏହି ଗସ୍ତ ପୁନଃ ନିର୍ଦ୍ଧାରିତ କରାଯାଇପାରେ ବୋଲି ଜଣେ ଅଧିକାରୀ ନାଁ ଗୋପନ ରଖି ପିଟିଆଇକୁ ସୂଚନା ଦେଇଛନ୍ତି।