ଭୁବନେଶ୍ୱର ୧୮/୦୮: ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସହଯୋଗ ଲୋଡିଲା ଏନଡିଏ । ଏନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନବୀନ ପଟ୍ଟନାୟଙ୍କ ସହ କଥା ହୋଇ ଏନଡିଏ ପ୍ରାର୍ଥିଙ୍କୁ ସମର୍ଥନ କରିବାକୁ ସହଯୋଗ ଲୋଡିଛନ୍ତି । କଂଗ୍ରେସ ଓ ବିଜେପି ଠାରୁ ସମଦୂରତା କଥା କହି ରାଜନୀତି କରୁଥିବା ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରେ କେଉଁ ପଟକୁ ଢଳିବ ସେନେଇ ଅନେକ ଦିନ ଧରି ଚର୍ଚ୍ଚା ଚାଲିଛି ।
ଯଦିବା ଏନଡିଏ ପ୍ରାର୍ଥି ସି.ପି ରାଧାକ୍ରିଷ୍ଣଙ୍କୁ ଜିତିବାରେ କୌଣସି ଅସୁବିଧା ନାହିଁ ତଥାପି ଏନଡିଏ ବିଭିନ୍ନ ଆଞ୍ଚଳିକ ଦଳର ସମର୍ଥନ ଲୋଡୁଛି । ଏହି କ୍ରମରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜେଡି ସୁପ୍ରିମୋଙ୍କୁ ଟେଲିଫୋନ୍ କରି ସମର୍ଥନ ମାଗିଛନ୍ତି । ତେବେ ବିଜେଡିର ଷ୍ଟାଣ୍ଡ କଣ ରହିବ ତାକୁ ଦେଖିବାକୁ ପଡିବ ।
ବିଜେଡି ଏନଡିଏ ପ୍ରାର୍ଥିଙ୍କୁ ସମର୍ଥନ କରିବ ନା ଇଣ୍ଡିଆମେଣ୍ଟ ପ୍ରାର୍ଥିଙ୍କୁ ସମର୍ଥନ ଦେବ ନା ପୁରା ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରହିବ ତା ଉପରେ ସବୁ ଦଳ ନଜର ରଖିଛନ୍ତି । କାରଣ ବିଜେଡିର ଷ୍ଟାଣ୍ଡ ହିଁ ସ୍ଥିର କରିବ ଓଡିଶା ରାଜନୀତିରେ କେଉଁ ଦଳ କାହା ପଟରେ ରହିଛି ।
ସୂଚନା ଥାଉକି, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନଡିଏ । ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଥିବା ସିପି ରାଧାକ୍ରିଷ୍ଣନଙ୍କୁ ଦଳ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ହେଲେ ରେସରେ ଅନେକ ନେତା ଥିଲେ ବି, କାହିଁକି ରାଧାକ୍ରିଷ୍ଣନଙ୍କୁ ଦଳ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କଲା, ତାକୁ ନେଇ ଏବେ ଆରମ୍ଭ ହୋଇଛି ଆଲୋଚନା । କିଛି ଜଣ ଏହା ପଛରେ ଆରଏସଏସରର ଫର୍ମୁଲା ବାହାର କରୁଥିବାବେଳେ, ଆଉ କିଛି ତାମିଲନାଡୁ ରାଜନୀତିକୁ ଏହା ସହ ଯୋଡୁଛନ୍ତି ।
ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଥିବା ରାଧାକ୍ରିଷ୍ଣନ, ତାମିଲନାଡୁ ରାଜନୀତିର ଜଣେ ବଡ଼ ଚେହେରା । ଦକ୍ଷିଣ ଭାରତରେ ବିଜେପି ପାଇଁ ସେ ବହୁ ବର୍ଷ କାମ କରିଥିବାବେଳେ, ତାମିଲନାଡୁର ବିଜେପି ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି । ତେଣୁ ତାଙ୍କୁ ପ୍ରାର୍ଥୀ କରି ଦକ୍ଷିଣ ଭାରତରେ ବିଜେପି ନିଜର ଭୋଟ୍ ବ୍ୟାଙ୍କ ବଢ଼ାଇବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି ।