ପିଏମ୍ ମୋଦୀଙ୍କୁ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନ ଦେଲା ତ୍ରିନିଦାଦ ଓ ଟବାଗୋ, ଏହି ସମ୍ମାନ ପାଇବାରେ ପ୍ରଥମ ବିଦେଶୀ ନେତା

Published By : Prameya-News7 Bureau | July 04, 2025 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତ୍ରିନିଦାଦ ଓ ଟବାଗୋର ସର୍ବୋଚ୍ଚ ନାଗିରକ ସମ୍ମାନ 'ଦ ଅର୍ଡର ଅଫ୍ ଦ ରିପବ୍ଲିକ୍ ଅଫ୍ ତ୍ରିନିଦାଦ ଆଣ୍ଡ ଟବାଗୋ'ରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ତାଙ୍କୁ ଦେଶର ରାଷ୍ଟ୍ରପତି କ୍ରିଷ୍ଟ୍ରିନ କାଙ୍ଗାଲୁଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୌଣସି ବିଦେଶ ଦେଶ ଦ୍ୱାରା ପ୍ରଦାନ କରାଯାଇଥିବା ୨୫ତମ ଅନ୍ତର୍ଜାତୀୟ ସମ୍ମାନ । ଏହା ପୂର୍ବରୁ ରୁଷ, ସାଉଦି ଆରବ, ସଂଯୁକ୍ତ ଅରବ ଏମିରାଟ୍, ଫ୍ରାନ୍ସ ସମେତ ଅନେକ ଦେଶ ଦ୍ୱାରା ଶୀର୍ଷ ସମ୍ମାନ ମିଳିସାରିଛି ।

ଏହି ସମ୍ମାନ ସହ ପ୍ରଧାନମନ୍ତ୍ରୀ ମୋଦୀ ତ୍ରିନିଦାଦ ଓ ଟବାଗୋ ଗଣରାଜ୍ୟ ଇତିହାସରେ ଏହି ସର୍ବୋଚ୍ଚ ସମ୍ମାନ ପାଇବାରେ ପ୍ରଥମ ବିଦେଶୀ ନେତା ହୋଇଛନ୍ତି । ଏହି ସମ୍ମାନକୁ ଭାରତ ଓ ତ୍ରିନିଦାଦ ଓ ଟବାଗୋ ମଧ୍ୟରେ ମଜଭୁତ ହେଉଥିବା ଦ୍ୱିପାକ୍ଷିତ ସମ୍ପର୍କ, ବୈଶ୍ୱିକ ମଞ୍ଚରେ ଭାରତର ସକ୍ରିୟ ଭୂମିକା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ମାନ୍ୟତା ଦେବେ ରୂପେ ଦେଖାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମାନ ପାଇବା ପରେ କହିଛନ୍ତି, ଏହି ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ 'ଦ ଅର୍ଡର ଅଫ୍ ଦ ରିପବ୍ଲିକ୍ ଅଫ୍ ତ୍ରିନିଦାଦ ଆଣ୍ଡ ଟବାଗୋ' ପାଇଁ ଆପଣଙ୍କ ସରକାର ଓ ଲୋକଙ୍କୁ କୃତଜ୍ଞତା ଜଣାଉଛି । ମୁଁ ଏହି ସମ୍ମାନକୁ ୧୪୦ କୋଟି ଭାରତବାସୀଙ୍କ ତରଫରୁ ମିଳିତ ଗୌରବ ରୂପେ ସ୍ୱୀକାର କରୁଛି । ଏହି ସମ୍ମାନ ପ୍ରଥମ ଥର କୌଣସି ବିଦେଶୀ ନେତାଙ୍କୁ ଦିଆଯିବା ଆମ ସମ୍ପର୍କର ଗଭୀରତାକୁ ଦର୍ଶାଉଛି । ଏହି ସମ୍ପର୍କ ଆମର ମିଳିତ ଇତିହାସ ଓ ସାଂସ୍କୃତିକ ଐତିହ୍ୟ ଉପରେ ଆଧାରିତ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ୧୮୦ ବର୍ଷ ପୂର୍ବେ ଭାରତରୁ ଏଠାକୁ ଆସିଥିବା ଲୋକମାନେ ଆମ ବନ୍ଧୁତାର ମୂଳଦୁଆ ପକାଇଥିଲେ । ଯଦିଓ ସେମାନଙ୍କ ହାତ ଖାଲି ଥିଲା, ସେମାନଙ୍କ ମନ ଭାରତୀୟ ସଭ୍ୟତା, ସଂସ୍କୃତି ଏବଂ ବିବିଧତାରେ ସମୃଦ୍ଧ ଥିଲା । ସେମାନେ ବୁଣିଥିବା ସୌହାର୍ଦ ଓ ସଦ୍ଭାବନାର ମଞ୍ଜି ଆଜି ତ୍ରିନିଦାଦ ଏବଂ ଟବାଗୋରେ ସାକାର ହେଉଛି । ଏହା ଗର୍ବର ବିଷୟ ଯେ ଆମର ସମାନ ପରମ୍ପରା, ସଂସ୍କୃତି ଏବଂ ରୀତିନୀତି ଏବେ ବି ଭାରତୀୟ ସମୁଦାୟ ଦ୍ୱାରା ସଂରକ୍ଷିତ ଅଛି ।

ରାଷ୍ଟ୍ରପତି କାଙ୍ଗାଲୁଙ୍କ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣଙ୍କ ପୂର୍ବପୁରୁଷମାନେ ସନ୍ଥ ତିରୁଭଲ୍ଲୁର ଜୀଙ୍କ ଭୂମି ତାମିଲନାଡୁରୁ ଆସିଥିଲେ । ସନ୍ଥ ତିରୁଭଲ୍ଲୁର ଜୀ କହିଥିଲେ ଯେ ଶକ୍ତିଶାଳୀ ଦେଶଗୁଡ଼ିକର ୬ଟି ଜିନିଷ ରହିବା ଉଚିତ । ସାହସୀ ସେନା, ଦେଶପ୍ରେମୀ ନାଗରିକ, ସମ୍ବଳ, ଭଲ ଜନପ୍ରତିନିଧି, ଦୃଢ଼ ପ୍ରତିରକ୍ଷା ଏବଂ ସର୍ବଦା ଆମ ସହିତ ଠିଆ ହେଉଥିବା ବନ୍ଧୁତ୍ୱପୂର୍ଣ୍ଣ ଦେଶ । ତ୍ରିନିଦାଦ ଏବଂ ଟବାଗୋ ଭାରତ ପାଇଁ ସେହିପରି ଏକ ବନ୍ଧୁ ଦେଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.