ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ବାବଦରେ ଦୁନିଆକୁ ଅବଗତ କରାଇଥିବା ସର୍ବଦଳୀୟ ପ୍ରତିନିଧିମଣ୍ଡଳ ସଦସ୍ୟଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ବିଦେଶ ଗସ୍ତରୁ ଫେରିବା ପରେ ପ୍ରତିନିଧିମଣ୍ଡଳର ସମସ୍ତ ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ଏହି ବୈଠକ ଜୁନ୍ ୯ କିମ୍ୱା ୧୦ରେ ହେବାର ସମ୍ଭାବନା ରହିଛି । ଏହି ଅବସରରେ ପ୍ରତିନିଧିମଣ୍ଡଳ ନିଜ ନିଜ ବିଦେଶ ଯାତ୍ରାର ସୂଚନା ଓ ଅନୁଭବ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବେ । ଉଲ୍ଲେଖଯୋଗ୍ୟ, ଏହି ପ୍ରତିନିଧିମଣ୍ଡଳ ଦୁନିଆର ଦେଶକୁ ଯାଇ ଅପରେସନ ସିନ୍ଦୂର ଉପରେ ଦୁନିଆ ସାମନାରେ ଭାରତର ପକ୍ଷ ରଖିଛନ୍ତି । ଭାରତର କୂଟନୈତିକ ରଣନୀତି ଅଧିନରେ ସାତ ପ୍ରତିନିଧିମଣ୍ଡଳ ବିଦେଶ ଗସ୍ତରେ ଅଛନ୍ତି ।
ପ୍ରତିନିଧିମଣ୍ଡଳ ପ୍ରାୟ ୩୩ ଦେଶ, ଯେଉଁଥିରେ-ଆମେରିକା, ୟୁରୋପ, ମଧ୍ୟପୂର୍ବ, ଆଫ୍ରିକା ଓ ପୂର୍ବ ଏସିଆ ପରି ଦେଶ ଗସ୍ତ କରିଛନ୍ତି । ପ୍ରମୁଖ ପ୍ରତିନିଧିମଣ୍ଡଳରେ ଶଶି ଥରୁର (କଂଗ୍ରେସ) ଆମେରିକା, ପନାମା, ଗୁୟାନା, ବ୍ରାଜିଲ୍ ଓ କୋଲମ୍ୱିଆ ଗସ୍ତ କରିଥିଲେ । ରବି ଶଙ୍କର ପ୍ରସାଦ (ବିଜେପି) ୟୁରୋପର ପ୍ରମୁଖ ଦେଶ ୟୁକେ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଡେନମାର୍କ ଓ ୟୁରୋପୀୟ ସଂଘ ଗସ୍ତ କରିଥିଲେ । ଶିବସେନାର ଶ୍ରୀକାନ୍ତ ସନ୍ଦେ ମଧ୍ୟ-ପ୍ରାଚ୍ୟ ଓ ଆଫ୍ରିକାର କିଛି ଦେଶ ଯାତ୍ରା କରିଥିଲେ । ବିଜେପିର ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱାଧିନ ପ୍ରତିନିଧିମଣ୍ଡଳ ସାଉଦି ଆରବ, କୁଏତ, ବହରୀନ ଓ ଆଲଜେରିଆରେ ଅପରେସନ ସିନ୍ଦୂର ବାବଦରେ ଜଣାଇଥିଲେ ।
ଭାରତୀୟ ପ୍ରତିନିଧିମାନେ ବିଭିନ୍ନ ଦେଶର ଅଧିକାରୀ ଓ ପ୍ରତିନିଧିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରି ଭାରତର ଦୃଷ୍ଟିକୋଣକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ବିଦେଶ ଯାତ୍ରାବେଳେ ହୋଇଥିବା କଥାବାର୍ତ୍ତା ଓ ଆଲୋଚନା ବାବଦରେ ସୂଚନା ଦିଆଯିବ । ୨୦୨୫ ଏପ୍ରିଲ ୨୨ରେ ପହଲଗାମରେ ୨୬ ଜଣ ନିରୀହ ନାଗରିକଙ୍କୁ ଆତଙ୍କୀମାନେ ହାତ୍ୟା କରିଥିଲେ । ଏହାପରେ ଭାରତ ସରକାର ଅପରେସନ ସିନ୍ଦୂରରେ ପାକିସ୍ତାନ ମାଟିରେ ଥିବା ଆତଙ୍କୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲେ ।