ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଦୁଇ ଦେଶ ରାଷ୍ଟ୍ରାଧ୍ୟକ୍ଷଙ୍କ ମଧ୍ୟରେ ଏହି କଥାବର୍ତ୍ତା ଗୁରୁତ୍ୱପୂର୍ଣ୍ ସମୟରେ ହୋଇଛି । ପିଏମ୍ ମୋଦୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, 'ବନ୍ଧୁ ମାକ୍ରୋନଙ୍କ ସହ ଏକ ଭଲ କଥାବର୍ତ୍ତା ହୋଇଛି । ୟୁକ୍ରେନ ଓ ପଶ୍ଚିମ ଏସିଆରେ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପ୍ରୟାସ ଉପରେ ବିଚାର ଆଦାନ-ପ୍ରଦାନ କରିଛୁ । ଭାରତ-ଫ୍ରାନ୍ସ ରଣନୈତିକ ସହଭାଗୀତାକୁ ଅଧିକ ମଜଭୁତ କରିବା ନେଇ ଆମ ପ୍ରତିବଦ୍ଧତାକୁ ଦୋହରାଇଛୁ ।'
ଅନ୍ୟପଟେ ରାଷ୍ଟ୍ରତି ମାକ୍ରୋନ ମଧ୍ୟ ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କଥା ସେୟାର କରିଛନ୍ତି । ସେ ଲେଖିଛନ୍ତି- 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କଲି । ଆମେ ୟୁକ୍ରେନରେ ଯୁଦ୍ଧ ଉପରେ ଆମର ସ୍ଥିତିର ସମୀକ୍ଷା କଲୁ, ଫଳରେ ୟୁକ୍ରେନ ଓ ୟୁରୋପର ସୁରକ୍ଷା ପାଇଁ ମଜଭୁତ ଗ୍ୟାରେଣ୍ଟି ସହ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ଆଡ଼କୁ ବଢାଯାଇପାରିବ । ବାଣିଜ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ସମ୍ପର୍କରେ, ଆମେ ଆମର ଆର୍ଥିକ ଆଦାନପ୍ରଦାନ ଏବଂ ସମସ୍ତ କ୍ଷେତ୍ରରେ ଆମର ରଣନୈତିକ ସହଭାଗୀତାକୁ ମଜବୁତ କରିବାକୁ ସହମତି ଜଣାଇଛୁ । ଯାହା ଆମର ସାର୍ବଭୌମତ୍ୱ ଏବଂ ସ୍ୱାଧୀନତାର ଚାବିକାଠି।'
AI ସମ୍ମିଳନୀର ସଫଳତା ପାଇଁ କାମ କରୁଛୁ - ମାକ୍ରୋନ୍
ରାଷ୍ଟ୍ରପତି ମାକ୍ରୋନ୍ ଆହୁରି ଲେଖିଛନ୍ତି, ଗତ ଫେବ୍ରୁଆରୀରେ ପ୍ୟାରିସରେ ଅନୁଷ୍ଠିତ ଏଆଇ ଉପରେ ଶିଖର ସମ୍ମିଳନୀ ପରେ, ଆମେ ୨୦୨୬ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ସମ୍ମିଳନୀର ସଫଳତା ପାଇଁ କାମ କରୁଛୁ । ଅଧିକ ପ୍ରଭାବଶାଳୀ ବହୁପାକ୍ଷିକ ପାଇଁ, ଆମେ ୨୦୨୬ ରେ G-୭ର ଫ୍ରାନ୍ସର ଅଧ୍ୟକ୍ଷତା ଏବଂ BRICSର ଭାରତୀୟ ସଭାପତିତ୍ୱକୁ ବିଚାରକୁ ନେଇ ଘନିଷ୍ଠ ସମନ୍ୱୟ ଉପରେ ସହମତ ହୋଇଛୁ ।
ଉଲ୍ଲେଖଯୋଗ୍ୟ ଯେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ସେହି ୟୁରୋପୀୟ ନେତାଙ୍କ ମଧ୍ୟରେ ସାମିଲ ଥିଲେ, ଯିଏ ଚଳିତ ସପ୍ତାହ ଆରମ୍ଭରେ ରାଷ୍ଟ୍ରପତିଙ୍କ ସହ ବୈଠକରେ ଉପସ୍ଥିତ ରହିଥିଲେ । ୟୁକ୍ରେନ ଶାନ୍ତି ଆଲୋଚନା ପ୍ରସଙ୍ଗରେ ଜେଲେନସ୍କି ଓ ଟ୍ରମ୍ପଙ୍କ ବୈଠକରେ ମାକ୍ରୋନ ଉପସ୍ଥିତ ଥିଲେ । ଏହା ପୂର୍ବରୁ ଗତ ସୋମବାର ରୁଷ ରାଷ୍ଟ୍ରପତି ପୁଟିନ୍ ଫୋନ ଯୋଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିଥିଲେ । ଆଲାସ୍କାରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନା ବାବଦରେ ପୁଟିନ ସୂଚନା ଦେଇଥିଲେ ।