ଘାନା ରାଷ୍ଟ୍ରପତି,ତାଙ୍କ ପତ୍ନୀ ଓ ସଂସଦ ଅଧ୍ୟକ୍ଷଙ୍କୁ ମୋଦି ଦେଲେ ଏହି ମୂଲ୍ୟବାନ ଉପହାର

Published By : Prameya-News7 Bureau | July 03, 2025 IST

ନୂଆଦିଲ୍ଲୀ ୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିବସୀୟ ଘାନା ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ଭାରତ ଓ ଘାନା ମଧ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଗସ୍ତ କାଳରେ ଘାନା ସଂସଦକୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଘାନାରୁ ତ୍ରିନିଦାଦ ଓ ଟବେଗୋ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଘାନା ରାଷ୍ଟ୍ରପତି ଜନ ମହାମା, ତାଙ୍କ ପତ୍ନୀ ଓ ସଂସଦ ବାଚସ୍ପତିଙ୍କୁ ଭାରତୀୟ ପାରମ୍ପରିକ କଳାକୃତି ସମ୍ପର୍କିତ ଅନନ୍ୟ ଓ ସୁନ୍ଦର ଉପହାର ଦେଇଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦି ଘାନା ରାଷ୍ଟ୍ରପତିଙ୍କୁ କର୍ଣ୍ଣାଟକର ପ୍ରସିଦ୍ଧ ବିଦରୀ ଲୋକ କଳାର ଫୁଲଦାନୀ ଉପହାର ଦେଇଛନ୍ତି। ଏହି ଫୁଲଦାନୀ ଯୋଡିକୁ କର୍ଣ୍ଣାଟକର ବିଦର ଜିଲ୍ଲାରେ ପ୍ରସ୍ତୁତ କରାଯାଇଛି। ବିଦରୀ ଧାତବ କଳାକୁ ଏହାର ଗାଢ କଳାରଙ୍ଗର ପୃଷ୍ଠଭୂମି ଓ ଏହା ଉପରେ କରାଯାଇଥିବା ରୂପା କଳାକାରିତା ଲାଗି ଜଣାଯାଏ। ଏଥିରେ ଜିଙ୍କ ଓ ତମ୍ବାର ମିଶ୍ରଣ ଉପଯୋଗ ହୋଇଛି। ସେହିପରି ମୋଦି ଘାନା ରାଷ୍ଟ୍ରପତିଙ୍କ ପତ୍ନୀ ଲର୍ଡିନା ମହାମାଙ୍କୁ ଓଡିଶାର କଟକ ତାରକସୀ କାରିଗରୀରେ ତିଆରି ରୂପା ପର୍ସ ଉପହାର ଦେଇଛନ୍ତି। 

ଏହି ପର୍ସକୁ ରୂପା ତାର ଯୋଗେ ହାତରେ ବୁଣା ଯାଇଛି। ଏଥିରେ ଡାଳି, କଢି ଓ ଫୁଲ ଡିଜାଇନ କରାଯାଇଛି। ଏହାକୁ ଆକର୍ଷକ ଓ ସାଂସ୍କୃତିକ ରୂପେ ସମୃଦ୍ଧ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଘାନା ସଂସଦ ବାଚସ୍ପତି ଅଲବନ ବ୍ୟାଗବିନଙ୍କୁ ପଶ୍ଚିମବଙ୍ଗରେ ନିର୍ମିତ ହାତୀ ଅମ୍ବାବେରୀ ଉପହାର ଦେଇଛନ୍ତି। ଏହା ଭାରତୀୟ ରାଜ ଶାସନ ପରମ୍ପରାର କଳାତ୍ମକ ଐତିହ୍ୟର ପ୍ରତୀକ। ଏହି ଅମ୍ବାବରୀରେ ହାତୀ ଉପରେ ସଜା ଯାଇଥିବା ଭବ୍ୟ ସବାରୀ, ଛତ୍ରି ଓ ଫୁଲର କାରିଗରୀ  କରାଯାଇଛି। 

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଘାନା ଉପରାଷ୍ଟ୍ରପତି ଓପୋକୁ ଅଗ୍ୟମଙ୍ଗଙ୍କୁ ମଧ୍ୟ ଖାସ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଘାନା ଉପରାଷ୍ଟ୍ରପତିଙ୍କୁ ପସମିନା ସାଲ୍ ଭେଟି ଦେଇଛନ୍ତି। ପସମିନା ସାଲ ଜମ୍ମୁ-କାଶ୍ମୀରରେ ତିଆରି ହୋଇଥାଏ। ଏହି ଖାସ ଉପହାର ମାଧ୍ୟମରେ ମୋଦି ଭାରତ-ଘାନା ସମ୍ପର୍କକୁ ମଜଭୁତ କରିଛନ୍ତି। ଭାରତର କଳା, ଐତିହ୍ୟ ଓ କାରିଗରୀକୁ ଦୁନିଆ ସାମ୍ନାକୁ ଆଣିବା ପ୍ରଧାନମନ୍ତ୍ରୀଙ୍କ ଅସଲ ଉଦ୍ଦେଶ୍ୟ ଓ ବିଦେଶ ନୀତିର ଅଂଶବିଶେଷ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.