ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ଅନେକ ଆଶଙ୍କା ଦେଇ ଗତି କରୁଛି। ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଆଡ଼କୁ ଗତି କରୁଛି ଭାରତ। କିନ୍ତୁ ଏବେଠୁ ଆମକୁ ରହିବାକୁ ପଡିବ ସତର୍କ। ଟ୍ରମ୍ପଙ୍କ ଡେଡ୍ ଇକୋନୋମୀ ବୟାନ ଉପରେ କଡା ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବାସୀଙ୍କୁ ସ୍ୱଦେଶୀ ଗ୍ରହଣ କରିବାକୁ ଆହ୍ୱାନ ଓ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି- ଯେ ଏବେ ସମୟ ଆସିଛି। ପ୍ରତ୍ୟେକ ଭାରତୀୟ ପ୍ରତ୍ୟେକ କ୍ରୟରେ ଦେଶର ସ୍ୱାର୍ଥକୁ ପ୍ରାଥମିକତା ଦେବା ଉଚିତ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଅର୍ଥନୀତିକୁ 'ମୃତ ଅର୍ଥନୀତି' ବୋଲି କହିଥିଲେ। ତାଙ୍କ ତାତ୍ସ୍ୟଲ୍ୟର ଜବାବରେ ବାରାଣସୀରୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବରେ କହିଥିଲେ- ଏବେ ଭାରତ ମଧ୍ୟ ପ୍ରତ୍ୟେକ ସାମଗ୍ରୀ ପାଇଁ କେବଳ ଗୋଟିଏ ସ୍କେଲ ବ୍ୟବହାର କରିବ। ଅର୍ଥାତ୍ ଭାରତୀୟ ଝାଳରୁ ତିଆରି ଜିନିଷ। ଏବେ ସମୟ ଆସିଛି… ଦେଶର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଦୋକାନୀ ଏବଂ ପ୍ରତ୍ୟେକ ଗ୍ରାହକ ଏହି ମନ୍ତ୍ର ଗ୍ରହଣ କରିବା ଉଚିତ। ଆଉ ସେହି ମନ୍ତ୍ର ହେଉଛି- ଆମେ କେବଳ ତାହା କିଣିବୁ ଯାହା ଭାରତରେ ତିଆରି, ଯାହା ଭାରତୀୟଙ୍କ ହାତରେ ତିଆରି… ଯାହା ଆମ ଦେଶର ଝାଳ…।
ବିଶ୍ୱ ଅସ୍ଥିରତାର ଯୁଗରେ। ଭାରତକୁ ତୃତୀୟ ବୃହତ୍ତମ ଅର୍ଥନୀତି କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କର ଦାୟିତ୍ୱ କହିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ବିଶ୍ୱ ଅର୍ଥନୀତି ଅନେକ ଆଶଙ୍କା ଦେଇ ଗତି କରୁଛି। ଅସ୍ଥିରତାର ବାତାବରଣ ରହିଛି। ଏପରି ପରିସ୍ଥିତିରେ, ବିଶ୍ୱର ଦେଶଗୁଡ଼ିକ ନିଜ ସ୍ୱାର୍ଥ ଉପରେ ଧ୍ୟାନ ଦେଉଛନ୍ତି। ଭାରତ ମଧ୍ୟ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ତେଣୁ, ଭାରତକୁ ମଧ୍ୟ ଏହାର ଆର୍ଥିକ ସ୍ୱାର୍ଥ ପ୍ରତି ସତର୍କ ରହିବାକୁ ପଡିବ କହିଛନ୍ତି ମୋଦି।
ଭାରତକୁ ଏହାର ଚାଷୀ, କ୍ଷୁଦ୍ର ଶିଳ୍ପ, ଯୁବପିଢ଼ି ଏବଂ ନିଯୁକ୍ତି ଭଳି ପ୍ରସଙ୍ଗକୁ ମଧ୍ୟ ପ୍ରାଥମିକତା ଦେବାକୁ ପଡିବ। ଆମେ କେବଳ ସେହି ଜିନିଷ କିଣିବୁ ଯାହା ଭାରତରେ ତିଆରି। ଭାରତୀୟ କୌଶଳରେ ତିଆରି, ଭାରତୀୟ ହାତରେ ତିଆରି। ଏହା ହିଁ ଆମ ପାଇଁ ପ୍ରକୃତ ସ୍ୱଦେଶୀ। ପ୍ରଧାନମନ୍ତ୍ରୀ ମୋଦି ଏହି ସଂକଳ୍ପକୁ କେବଳ ସରକାର କିମ୍ବା ରାଜନୈତିକ ଦଳ ପର୍ଯ୍ୟନ୍ତ ସୀମିତ ରଖି ନଥିଲେ ବରଂ ଏହାକୁ ପ୍ରତ୍ୟେକ ନାଗରିକର ଦାୟିତ୍ୱ ବୋଲି କହିଥିଲେ। ସେ କହିଥିଲେ, ସରକାର ଏହି ଦିଗରେ ସମସ୍ତ ପ୍ରୟାସ କରୁଛନ୍ତି। କିନ୍ତୁ ଦେଶର ନାଗରିକ ଭାବରେ ଆମର କିଛି ଦାୟିତ୍ୱ ଅଛି।
କେବଳ ମୋଦି ନୁହେଁ, ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଦେଶର ହିତ ପାଇଁ ଏକ ଭାବନା ଜାଗ୍ରତ କରିବାକୁ ପଡିବ। ଏହା ହେଉଛି ସଂକଳ୍ପ, ଆମକୁ ସ୍ୱଦେଶୀ ଗ୍ରହଣ କରିବା ଉଚିତ। ମୋଦୀ ସ୍ପଷ୍ଟ କରିଥିଲେ ଯେ 'ଭୋକାଲ୍ ଫର୍ ଲୋକାଲ' ଏବଂ 'ମେକ୍ ଇନ୍ ଇଣ୍ଡିଆ'କୁ ଏବେ କେବଳ ସ୍ଲୋଗାନ ନୁହେଁ ବରଂ ବ୍ୟବହାରିକ ଜୀବନର ଏକ ଅଂଶ କରିବାକୁ ପଡିବ। ଏପରକି ଦେଶର ବ୍ୟବସାୟୀ ଏବଂ ଶିଳ୍ପକୁ କେବଳ ସ୍ୱଦେଶୀ ସାମଗ୍ରୀ ବିକ୍ରୟ କରିବାର ସମୟ ଆସିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରତ୍ୟେକ ଘରକୁ ନୂତନ ଆସୁଥିବା ସାମଗ୍ରୀ ତାହା ସ୍ୱଦେଶୀ ହେବା ଉଚିତ, ଏହା ଆମର ପ୍ରାଥମିକତା ହେବା ଉଚିତ।
ଯେତେବେଳେ ବିଶ୍ୱ ବାଣିଜ୍ୟ ଚାପ, ରୁଷ-ୟୁକ୍ରେନ ଯୁଦ୍ଧ, ଚୀନରୁ ଆମଦାନୀ ଉପରେ ବିତର୍କ ଏବଂ ଆମେରିକାର ଟାରିଫ୍ ନୀତି ଭଳି ପ୍ରସଙ୍ଗ ଅନ୍ତର୍ଜାତୀୟ ମଞ୍ଚରେ ଆଲୋଚନାର କେନ୍ଦ୍ରବିନ୍ଦୁରେ ରହିଛି ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବକ୍ତବ୍ୟ ଅନେକ ଗୁରୁତ୍ୱ ରଖୁଛି।