ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପାସ୍ ହାର ୮୨.୭୭%, ପୁୁଣି ପୁଅଙ୍କୁ ଟପିଲେ ଝିଅ

Published By : Prameya-News7 Bureau | May 21, 2025 IST

ଭୁବନେଶ୍ଵର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏକ ସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ   ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ବାହାରିଛି। ମୋଟ୍  ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୧୬ ହଜାର ୭୮୭ ଜଣ ଯୁକ୍ତ ୨ ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି। ପାସ୍ ହାର ୮୨.୭୭ ପ୍ରତିଶତ ରହିଛି। ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଏଥିରୁ ୧,୪୨,୫୧୨ ଛାତ୍ର ଏବଂ ୧,୭୪, ୨୫୧ ଜଣ ଛାତ୍ରୀ ପାସ୍ କରିଛନ୍ତି। ଝିଅଙ୍କ ପାସ ହାର ୮୭.୨୪ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ ହାର ୭୭.୮୮ ପ୍ରତିଶତ ରହିଛି। 

କଳାରେ ୮୦.୫୧ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୮୭.୪୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବାଣିଜ୍ୟରେ ୮୩.୨ ପ୍ରତିଶତ ଏବଂ ଧନ୍ଦାମୂଳକରେ ୬୦ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ କରିଛନ୍ତି। 

ବୁଧବାର ଅପରାହ୍ନ ୪ଟାରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଚିବ ଶାଳିନୀ ପଣ୍ଡିତ, ପରିଷଦର ଅଧ୍ୟକ୍ଷ ମୁଣାଳକାନ୍ତି  ଦାସ, ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଏହାର ଘଣ୍ଟାଏ ପରେ ଅର୍ଥାତ ଅପରାହ୍ଣ ୫ଟାରେ ପରୀକ୍ଷାର୍ଥୀ result.odisha.gov.in କିମ୍ବା results.digilocker.gov.in ମାଧ୍ୟମରେ ନିଜର ପରୀକ୍ଷା ଫଳ ଜାଣି ପାରିବେ। 

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା ପରୀକ୍ଷା ଫଳ ଘୋଷଣାର ଏକ ଘଣ୍ଟା ପରେ ସାମ୍‌ସ ଇସ୍ପେସ୍‌ରୁ ସେମାନଙ୍କର ସ୍କୁଲର ଟାବୁଲେସନ ରେଜିଷ୍ଟର ପାଇ ପାରିବେ । ଯାହାକି ପିଲାମାନଙ୍କ ୨୦୨୫ ମସିହା ତତ୍କାଳ ପରୀକ୍ଷାର ଫର୍ମ ପୂରଣ ପାଇଁ ସହାୟକ ହେବ । ସୂଚନାଯୋଗ୍ୟ, ଯୁକ୍ତ ଦୁଇ ପରୀକ୍ଷା ଗତ ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ରେ ଶେଷ ହୋଇଥିଲା । ମେ ୧ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହୋଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ କଳା ବିଭାଗରେ ୨ ଲକ୍ଷ ୪୭ ହଜାର, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର, ବାଣିଜ୍ୟରେ ୨୫ ହଜାର ଓ ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। 

କଳା ବିଭାଗ

କଳା ବିଭାଗରେ ୨ ଲକ୍ଷ ୪୭ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ୮୦.୫୧ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୭୧ ରହିଛି। 

ବିଜ୍ଞାନ ବିଭାଗ

ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ପରୀକ୍ଷା ଦେଇଥିଲେ। ୮୭.୪୯ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ କରିଛନ୍ତି। ବିଜ୍ଞାନରେ ୯୦ ପ୍ରତିଶତ କିମ୍ବା ସେଥିରୁ ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୯୦୬ ରହିଛି। 

ବାଣିଜ୍ୟ ବିଭାଗ

ବାଣିଜ୍ୟରେ ୨୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୮୩.୨ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟରେ ୯୦ ପ୍ରତିଶତ କିମ୍ବା ସେଥିରୁ ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୦୪ ରହିଛି।   

ଧନ୍ଦାମୂଳକ 

ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୬୦ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ କରିଛନ୍ତି।

ଗତଥର ଏମିତି ଥିଲା ପରୀକ୍ଷା ଫଳ

ସୂଚନାଯୋଗ୍ୟ, ଗତଥର କଳାରେ ପାସ୍‌ ହାର ୮୦.୯୫ ପ୍ରତିଶତ ଥିବା ବେଳେ ବିଜ୍ଞାନରେ ପାସ୍‌ ହାର ୮୬.୯୩ ପ୍ରତିଶତ ରହିଥିଲା। 

ସେହିଭଳି ବାଣିଜ୍ୟରେ ପାସ୍‌ ହାର ୮୨.୨୭ ପ୍ରତିଶତ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.