ଦୁର୍ନୀତିର ପର୍ଦ୍ଦାଫାସ ଭୟରେ କରାଇଦେଲେନି ପ୍ରେସ୍‌ମିଟ୍‌, ଲାଭ ସତ୍ତ୍ୱେ ବି ଚାଲିଛି ଓଟିଡିସି ବିକିବାକୁ ମସୁଧା

Published By : Prameya-News7 Bureau | August 02, 2025 IST

ଭୁବନେଶ୍ୱର ୦୨।୦୮ : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଏକ ଲାଭଦାୟକ ସଂସ୍ଥା । ତାପରେ ବି ପରିଚାଳନା କମିଟି ତାକୁ ବିକିବାକୁ ମସୁଧା ଚଳାଇଛନ୍ତି। ଏହାକୁ ଆରମ୍ଭରୁ ବିରୋଧ କରିଆସିଛି ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ। ସର୍ବଦା ଓଟିଡିସି ତଥା କର୍ମଚାରୀଙ୍କ ହିତକୁ ଗୁରୁତ୍ୱ ଦେଇ ନିଗମକୁ ଆଗେଇ ନେବାକୁ ସରକାରଙ୍କୁ ସହଯୋଗ କରିଆସିଛି। କିନ୍ତୁ ସବୁ ପରେ ବି ସରକାରଙ୍କ କଥା ନ ଶୁଣି ପରିଚାଳନା କମିଟି ମନମାନି ଚଳାଇଛନ୍ତି। ଏହି କଥା ସହ ଓଟିଡିସିର ଅନେକ ଦୁର୍ନୀତିର ଖୁଲାସା କରିବାକୁ କର୍ମଚାରୀ ସଂଘ ଭୁବନେଶ୍ୱର ପାନ୍ଥନିବାସ କଳିଙ୍ଗ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଡାକିଥିଲା। 

ତେବେ ଗତ ୨୯ ତାରିଖରେ ୧୪,୧୬୦ ଟଙ୍କା ଦେଇ ସଂଘ ସଭାପତି ଆଇନଜୀବୀ ଶିବାନନ୍ଦ ରାୟଙ୍କ ନାଁରେ ବୁକ୍‌ ହୋଇଥିଲା। କିନ୍ତୁ ଶୁକ୍ରବାର ଦିନ ୧୧ଟାରେ ସାମ୍ବାଦିକ ସମ୍ମିଳନୀ ପାଇଁ ଗଲାବେଳକୁ ତାଲା ପକାଇ କହିଲେ, ବିଦ୍ୟୁତ୍‌ ଜନିତ ସମସ୍ୟା ଯୋଗୁଁ ହଲ୍‌ ଦେଇ ହେବ ନାହିଁ ବୋଲି ଦାୟିତ୍ୱରେ ଥିବା କର୍ମଚାରୀ କହିଥିଲେ। ଏନେଇ ବହୁ ଯୁକ୍ତିତର୍କ ପରେ ସଂଘ ସଦସ୍ୟ ରାସ୍ତାରେ ବସି ସାମ୍ବାଦିକ ସମ୍ମିଳନୀ କରିବା ସହ ପରିଚାଳନା କମିଟିର ଏଭଳି କାର୍ଯ୍ୟର ଦୃଢ଼ ନିନ୍ଦା କରିଥିଲେ। ଦୁର୍ନୀତି ପର୍ଦ୍ଦାଫାସ୍‌ ଭୟରେ ପରିଚାଳନା କମିଟି ଏମିତି କରିଥିବା ସଂଘ ଅଭିଯୋଗ କରିଛି। ସଂଘ କହିଛି, ଓଟିଡିସି ଲାଭଦାୟକ ସଂସ୍ଥା ଭାବେ ୨୦୨୪-୨୫ରେ ୧୧୮ କୋଟି ୩୪ ଳକ୍ଷର କାରବାର କରି ସରକାରଙ୍କ ସିଲଭର୍‌ ଶ୍ରେଣୀରେ ପଦାର୍ପଣ କରିଛି। ତା’ ସତ୍ତେ୍ୱ ପରିଚାଳନା କମିଟି ଧ୍ୟାନ ନଦେଇ ଓଟିଡିସିକୁ ବିକିବା ସହ କିଛି ୟୁନିଟ୍‌କୁ ଘରୋଇକରଣ କରିବାକୁ ଯୋଜନା ଚଳାଇଛି। ଏହାଛଡ଼ା ବୋର୍ଡରେ ପାରିତ ପରେ ବି ଏଯାବତ୍‌ କ୍ୟାଡର କିମ୍ବା ଆର୍‌ଏଏସ୍‌ କର୍ମଚାରୀଙ୍କ ପାଇଁ କୌଣସି ଅଗ୍ରଗତି ନହେବା ଚିନ୍ତାର କାରଣ ହୋଇଛି। ଏହି ସମସ୍ୟାର ସମାଧାନ ନହେଲେ କର୍ମଚାରୀ ସଂଘ ଆଇନ୍‌ ଅନୁଯାୟୀ ପଦକ୍ଷେପ ନେବ। 

ସେହିପରି ଓଟିଡିସିରେ ନିଯୁକ୍ତି ହୋଇଥିବା କମ୍ପାନୀ ସେକ୍ରେଟାରୀଙ୍କ ନିଯୁକ୍ତି ବେଆଇନ। ନିୟମର ଉଲ୍ଲଂଘନ ସହ ନିଯୁକ୍ତ କମିଟିକୁ ପ୍ରତ୍ୟାଖାନ କରି ନିଯୁକ୍ତି ହୋଇଛି। ଏହାବ୍ୟତୀତ ନିଯୁକ୍ତି ହୋଇଥିବା ପିଏମ୍‌ଏସ୍‌ କର୍ମଚାରୀଙ୍କ ମାସିକ ଦରମା କେଉଁ ଆଧାରରେ ସ୍ଥିର କରାଯାଇଛି? ବାକି ଏନ୍‌ଏମ୍‌ଆର୍‌ ଓ ଡିଏଲ୍‌ଆର୍‌ ଏବଂ ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ କରାଯାଉ। ଠିକା କର୍ମଚାରୀଙ୍କ ବେତନ ଜିଏ ନିୟମ ଆଧାରରେ ଦିଆଯାଉ ବୋଲି ସଂଘ ଦାବି ରଖିଛି। ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବଙ୍କଠୁ ନେଇ ଓଟିଡିସି ଏମ୍‌ଡିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିଠି ଦେଇ ୧୫ଦିନ ମହଲତ ଦିଆଯାଇଥିଲା କିନ୍ତୁ କିଛି ସୁଫଳ ମିଳିନଥିଲା । ଏବେ ୩୦ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଆଗକୁ ପର୍ଯ୍ୟଟନ ଋତୁ ଆରମ୍ଭ ହେବାକୁ ଯାଉଛି। ସେହି ସମୟରେ ସାରା ଓଡ଼ିଶାରେ ଆନ୍ଦୋଳନ ହେବ, ସେଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସଂଘ କହିଛି। ସାମ୍ବାଦିକ ସମ୍ମିଳନୀରେ ସଭାପତି ଆଇନଜୀବୀ ଶିବାନନ୍ଦ ରାୟ, କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର, ସମ୍ପାଦକ ନିରଞ୍ଜନ ନାୟକ, ଆଇନ ପରାମର୍ଶଦାତା ସୁରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.