ଲଣ୍ଡନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ: ବିସ୍ଫୋରଣ ପରେ କଳା ଧୂଆଁମୟ ହେଲା ଆକାଶ

Published By : Prameya-News7 Bureau | July 13, 2025 IST

indiatoday

ନୂଆଦିଲ୍ଲୀ: ଭାରତରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ନେଇ ତଦନ୍ତ ଜାରି ରହିଥିବା ବେଳେ ଲଣ୍ଡନରେ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ରବିବାର ଅପରାହ୍ଣରେ ଇଂଲଣ୍ଡର ଦକ୍ଷିଣପୂର୍ବ ଉପକୂଳରେ ଲଣ୍ଡନର ସାଉଥେଣ୍ଡ ବିମାନବନ୍ଦରରେ ଏକ ଛୋଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ କ୍ରାସ୍ ହୋଇଥିଲା ଫଳରେ ଆକାଶକୁ ଏକ ବଡ଼ ଅଗ୍ନି ଗୋଳା ଉପରକୁ ଉଠିଥିଲା। ଉକ୍ତ ସ୍ଥାନ କଳା ଧୂଆଁରେ ଭରିଯାଇଥିଲା। ଘଟଣା ପରେ ତୁରନ୍ତ ଜରୁରୀକାଳୀନ ସ୍ଥିତି ଘୋଷଣା କରିବା ସହ ଏକାଧିକ ବିମାନ ବାତିଲ କରାଯାଇଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପୁଲିସର କହିବା ଅନୁସାରେ ଅପରାହ୍ଣ ୪ଟା ବାଜିବାର କିଛି ସମୟ ପୂର୍ବରୁ ତାଙ୍କୁ ବିମାନ ଦୁର୍ଘଟଣା ନେଇ ସୂଚନା ମିଳିଥିଲା। ୧୨ ମିଟର ଲମ୍ବର ଏହି ଯାତ୍ରୀବାହୀ ବିମାନଟି କ୍ରାସ୍ ହୋଇଥିବା ସେମାନେ କହିଛନ୍ତି। ତେବେ ବିମାନରେ କେତେ ଜଣ ଥିଲେ ସେ ବିଷୟରେ ଏପର୍ଯ୍ୟନ୍ତ ସବିଶେଷ ସୂଚନା ଦିଆଯାଇ ନାହିଁ। ମୃତାହତ ନେଇ ମଧ୍ୟ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହି। 

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସମ୍ପୃକ୍ତ ବିମାନଟି ଏକ ବିଚ୍ B200 ମଡେଲ୍ ବୋଲି କୁହାଯାଉଛି। ଏହା ନେଦରଲ୍ୟାଣ୍ଡର ଲେଲିଷ୍ଟାଡକୁ ଉଡ଼ାଣ ଭରୁଥିଲା। ତେବେ ବର୍ତ୍ତମାନ ଘଟଣା ସ୍ଥଳରେ ଜରୁରୀକାଳୀନ ସେବା ଉପଲବ୍ଧ ହୋଇଛି। ଦୁର୍ଘଟଣା ସ୍ଥଳରେ ନିକଟରେ ଥିବା ରୋଚଫୋର୍ଡ ହଣ୍ଡ୍ରେଡ୍ ଗଲ୍ଫ କ୍ଲବ ଏବଂ ୱେଷ୍ଟକ୍ଲିଫ୍ ରଗବି କ୍ଲବକୁ ଅଧିକାରୀମାନେ ଖାଲି କରିଦେଇଛନ୍ତି। ୱେବସାଇଟ୍ ଅନୁଯାୟୀ, ରବିବାର ଅପରାହ୍ନରେ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାକୁ ଥିବା ଚାରୋଟି ବିମାନକୁ ବାତିଲ କରାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.