ଭୁବନେଶ୍ବର ୨୩।୭: ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାର ଭାଙ୍ଗିବା ପାଇଁ ଭକ୍ତଙ୍କ ପୁଣି ରଣହୁଙ୍କାର । ପିସିସି ସଭାପତି କହିଲେ, ସରକାର ଭାଙ୍ଗିବା ପାଇଁ ମୁଖ୍ୟ ବିରୋଧୀ ବିଜେଡି ଆଣୁ ଅନାସ୍ଥା ପ୍ରସ୍ତାବ ଆମେ ତାକୁ ସମର୍ଥନ କରିବୁ । ବିଜେଡି ମୁଖ୍ୟ ବିରୋଧୀ ଦଳ, ତାଙ୍କ ପାଖରେ ସଂଖ୍ୟା ରହିଛି । ସେମାନେ ଯଦି ପ୍ରକୃତରେ ସରକାରକୁ ହଟାଇବାକୁ ଚାହୁଁଛନ୍ତି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ । ନଚେତ୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ, ବିଜେଡି ତାକୁ ସମର୍ଥନ କରୁ ବୋଲି ଭକ୍ତ ଦାସ କହିଛନ୍ତି ।
ଏକାଠି ହେବେ କି ବିଜେଡି- କଂଗ୍ରେସ ? ବିଧାନସଭାରେ ସରକାରଙ୍କ ବିରେୋଧରେ ଆଣିବେ କି ଅନସ୍ଥା ପ୍ରସ୍ତାବ? ପିସିସି ସଭାପତିଙ୍କ ଇଶାରାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ଆଜି ପୁଣି ସରକାରଙ୍କୁ ଟାର୍ଗେଟ୍ କରିବା ସହ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ବାଲେଶ୍ବର ଘଟଣାକୁ ନେଇ ସୁପ୍ରିମ କୋର୍ଟ ଲଜ୍ଜିତ ବୋଲି କହିଲେ। ଓଡ଼ିଶାର ସମ୍ମାନ କ’ଣ ରହିଲା ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ । ସେ ଆହୁରି ବି କହିଛନ୍ତି ଯେ, ବର୍ଷେ ହେଲା ମହିଳା କମିଶନ ଗଠନ ହୋଇପାରିଲା ନାହିଁ । ଏ ସରକାର କ’ଣ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଭକ୍ତ ଦାସ ।
You Can Read: ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତିକୁ ରଦ୍ଦ କଲେ ରାଜ୍ୟପାଳ
ଏହି ଅବସରରେ ଭକ୍ତ କହିଥିଲେ ଯେ, ବିଜେଡି ସତରେ ଯଦି ବିଜେପି ସରକାରକୁ ଭାଙ୍ଗିବାକୁ ଚାହୁଁଛି ତାହେଲେ ମୁଖ୍ୟ ବିରୋଧୀ ଦଳ ହିସାବରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାପ ଆଣନ୍ତୁ । କଂଗ୍ରେସ ତାକୁ ସମର୍ଥନ କରିବ । ବିଜେଡି ମୁଖ୍ୟ ବିରୋଧୀ ଦଳ । ତାଙ୍କ ପାଖରେ ସଂଖ୍ୟା ଅଛି । ଯଦି ବିଜେଡି ସେକଥା କରିପାରୁନି ତାହେଲେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ, ବିଜେଡି ତାକୁ ସମର୍ଥନ କରୁବୋଲି ଆହ୍ବାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।
ସମଦୂରତା କଥା କହି ଆସୁଥିବା ବିଜେଡି ଦିଲ୍ଲୀରେ ସବୁବେଳେ ବିଜେପିକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଆସୁଛି । ତେବେ ନାରୀ ସୁରକ୍ଷା ପ୍ରସଙ୍ଗରେ ବିଜେଡିର କ’ଣ ଆଭିମୁଖ୍ୟ ରହିବ ? ତାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ବିଜେଡି ପୁଣି ସମଦୂରତା କଥାର ଦ୍ବାହି ଦେଇଛି । ବିଜେଡି କହିଛି ରାଜ୍ୟରେ ମହିଳାଙ୍କ ଉପରେ ହିଂସା ବୃଦ୍ଧି ପାଉଛି । ଯଦି ଏହାକୁ ନେଇ ବିଧାନସଭାରେ କୌଣସି ମୋସନ ଆସେ ତା ଉପରେ ଦଳର ଷ୍ଟାଣ୍ଡ କଣ ହେବ ତାହା ଦଳର ସଭାପତି ନିଷ୍ପତ୍ତି ନେବେ । କଂଗ୍ରେସ ଏବଂ ବିଜେପି ଠାରୁ ବିଜେଡି ସବୁ ବେଳେ ସମଦୂରତା ବଜାୟ ରଖିଛି ବୋଲି କହିଛନ୍ତି ବିଜେଡି ନେତା । ଜବାବରେ ବିଜେପି କହିଛି ବିରୋଧୀ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ।
ବିଧାନସଭାରେ ବିଜେପିର ୮୧ ବିଧାୟକ ଥିବା ବେଳେ ବଜେଡି ପାଖରେ ୫୧ ବିଧାୟକ ଏବଂ କଂଗ୍ରେସ ୧୪ ବିଧାୟକ ଅଛନ୍ତି । ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଲେ ବି ଏହା କାଟ ଖାଇବ । କାରଣ ବିଜେଡି ଓ କଂଗ୍ରେସ ମିଶିଲେ ମଧ୍ୟ ସଂଖ୍ୟା ହେଉନାହିଁ । ପିସିସି ସଭାପତି ଏକଥା ଜାଣିବା ପରେ ବି କାହିଁକି ଏଭଳି ପ୍ରସ୍ତାବ ଦେଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଏହା କେବଳ ରାଜନୈତିକ ହଟଚମଟ ନା ବିଜେଡିକୁ ତେରେଚ୍ଛା ବାଣ ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ।