ନୂଆଦିଲ୍ଲୀ ୩୦।୭: ୟୁପିଆଇରେ ପେମେଣ୍ଟ କରିବା ଏବେ ଆହୁରି ସହଜ ହୋଇଯିବ। ଏବେ ନା ଓଟିପି ପାଇଁ ଝିନଝଟ ନା ପିନ୍ ପାଇଁ ଚିନ୍ତା ଆପଣ ଫିଙ୍ଗର ପ୍ରିଣ୍ଟ ଓ ଫେସ୍ ଆଇଡିରୁ ମଧ୍ୟ ପେମେଣ୍ଟ କରିପାରିବେ। କାରଣ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଏବେ ବାୟୋମେଟ୍ରିକ୍ ପେମେଣ୍ଟ ସିଷ୍ଟମ ଲାଗି ପ୍ରସ୍ତୁତି କରୁଛନ୍ତି। ଏଣୁ ନେଣଦେଣ ପୂର୍ବପେକ୍ଷା ଅଧିକ ସୁରକ୍ଷିତ ଓ ସ୍ମାର୍ଟ ହେବ।
ବାୟୋମେଟ୍ରିକ ପେମେଣ୍ଟ ସିଷ୍ଟମରେ ପେମେଣ୍ଟ କନଫର୍ମ କରିବା ଲାଗି ଫିଙ୍ଗରପ୍ରିଣ୍ଟ ଅଥବା ଫେସ ଆଇଡିର ଉପଯୋଗ ହେବ। ଏହି ପେମେଣ୍ଟ ସୁବିଧା ପିନ୍ ଅଥବା ପାସୱାର୍ଡ ଅପେକ୍ଷା ଅଧିକ ସୁରକ୍ଷିତ ହେବା ସହିତ ବହୁତ ଶରଳ ମଧ୍ୟ ହେବ। କାରଣ ପିନ୍ ଅଥବା ପାସୱାର୍ଡ ଚୋରି ବି ହୋଇପାରେ। ହେଲେ ବାୟୋମେଟ୍ରିକ ପେମେଣ୍ଟରେ ଏହି ବିପଦ କମ। ବାୟୋମେଟ୍ରିକ ପେମେଣ୍ଟ ସିଷ୍ଟମ ଠିକ୍ ସେହିଭଳି କାମ କରିବ ଯେପରି ଫୋନ ଅନଲକ କରିବା ପାଇଁ ଫିଙ୍ଗର ପ୍ରିଣ୍ଟ ଅଥବା ଫେସ ଆଇଡି ବ୍ୟବହାର କରୁଛନ୍ତି।
ଏନପିସିଆଇ ଏହି ନୂଆ ପେମେଣ୍ଟ ଫିଚରର ଲଞ୍ଚିଂ ଡେଟକୁ ନେଇ କୌଣସି ସୂଚନା ଦେଇ ନାହାନ୍ତି। ତେବେ ୟୁପିଆଇ ପେମେଣ୍ଟ ସିଷ୍ଟମକୁ ପୂର୍ବେପେକ୍ଷା ଅଧିକ ସିକ୍ୟୋର ଓ ଶରଳ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏଣୁ ଆଶା କରାଯାଉଛି ଆଗାମୀ ଦିନରେ ୟୁପିଆଇ ପିନ୍ ବଦଳେ ଦୈୟ ପୈଠ ପାଇଁ ବାୟୋମେଟ୍ରିକ ସୁବିଧା ମିଳିପାରେ। ତେବେ ୧ ଅଗଷ୍ଟରୁ ଦେଶରେ ୟୁପିଆଇ ପେମେଣ୍ଟ ସିଷ୍ଟମରେ ବଡ ଧରଣ ପରିବର୍ତ୍ତନ ହେବାକୁ ଯାଉଛି।